
ବାଲେଶ୍ୱର : ନାଟକ ଦେଖିବାକୁ ଯାଇ ଘରକୁ ଫେରିଲେନି ଯୁବକ । ଘରଠାରୁ ଅଳ୍ପ ଦୂରରେ ଥିବା ବର ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ । ମୃତକ ହେଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ କୁମ୍ଭୀରମୂଳି ପଞ୍ଚାୟତ ଅଧୀନସ୍ଥ ଚୌକି ଗାଁର ପ୍ରସନ୍ନ ପାତ୍ରଙ୍କ ପୁଅ ଜଗନ୍ନାଥ ପାତ୍ର (୪୮) । ସୂଚନା ମୁତାବକ, ଶୁକ୍ରବାର ସଂଧ୍ୟାରେ ଜଗନ୍ନାଥଙ୍କ ପରିବାର ଲୋକ ଏକ ବିବାହ ଭୋଜି ଖାଇବା ପାଇଁ ଯାଇଥିଲେ । ଏହି ସମୟରେ ଜଗନ୍ନାଥ ଘରେ ଏକାକୀ ଥିଲେ ଏବଂ ପରେ ପାଖ ଗାଁ ରାଇପୁରରକୁ ନାଟକ ଦେଖିବାକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ ଜଗନ୍ନାଥ । ଶନିବାର ସକାଳେ ଘରଠାରୁ ଅଳ୍ପ ଦୂରରେ ଥିବା ଏକ ବର ଗଛରେ ତାଙ୍କର ମୃତଦେହ ଝୁଲୁ ଥିବାର ଗାଁ ଲୋକେ ଦେଖିବାକୁ ପାଇଥିଲେ । ଭୋଗରାଇ ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ଏହାସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ।