
କୋରାପୁଟ : ବଜ୍ରପାତ ନେଲା ୭ ଜୀବନ । କେବଳ ଗୋଟିଏ ପରିବାରର ୩ ସଦସ୍ୟଙ୍କ ଜୀବନ ଯାଇଥିବା ଜଣାପଡିଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଓଡ଼ିଆ ପେଣ୍ଠ ପଞ୍ଚାୟତର ପରଡିଗୁଡା ଗ୍ରାମରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ଦିନ ଦ୍ୱିପ୍ରହର ସମୟରେ କାଳବୈଶାଖୀ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବା ସମୟରେ ବିଲ ନିକଟରେ ଥିବା ଏକ କୁଡ଼ିଆରେ ଆଶ୍ରୟ ନେଇଥିଲେ ପୁରା ପରିବାର । ହେଲେ ଏହି ସମୟରେ ହଠାତ୍ ବଜ୍ରାଘାତ ହେବାରୁ ଗୋଟିଏ ପରିବାରର ଆଈ, ନାତୁଣୀଙ୍କ ସହ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଜଣେ ବୃଦ୍ଧା ମଧ୍ୟ ଗୁରୁତର ହୋଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସେହିପରି ମୋହନ କାନକଟା ଗାଁରେ ବିଜୁଳି ଘଡଘଡି ହେବା ଯୋଗୁଁ ଜଣେ ଯୁବତୀଙ୍କ ପ୍ରାଣ ହରାଇଛନ୍ତି । ଖବର ମୁତାବକ ଉକ୍ତ ଯୁବତୀ ଜଣକ ନିଜ ଦୋକାନ ସମ୍ମୁଖରେ ବସିଥିବା ବେଳେ ବଜ୍ରପାତ ହୋଇଥିଲା । ଏହି ବଜ୍ରାଘାତର ଶିକାର ଯୁବତୀ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ଜଣାପଡିଛି । ବ୍ରହ୍ମପୁରରେ ବଜ୍ରପାତ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଭଞ୍ଜନଗର କେବ୍ରୀ ବରପୁରରେ ବଜ୍ରପାତରେ ଯୁବତୀ ମୃତ । ଗାଁ ଆମ୍ୱ ତୋଟାରୁ ଆମ୍ୱ ଗୋଟାଉଥିବା ବେଳେ ବିଜୁଳି ମାରିବା ଯୋଗୁଁ ହେଲା ମୃତ୍ୟୁ । ସେହିଭଳି କବିସୂର୍ଯ୍ୟନଗର ଏ ବରିଡା ଗାଁରେ ବଜ୍ରପାତରେ ଛାତ୍ର ମୃତ । ଛାତ୍ର ଜଣକ ନିଜ ଘର ବାରଣ୍ଡାରେ ବସିଥିବା ବେଳେ ଅକଷ୍ମାକ ବଜ୍ରାଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା । ମୃତ ଛାତ୍ର ଜଣକଙ୍କ ନାମ ଏମ ପ୍ରକାଶ ପ୍ରଧାନ ବୋଲି ଜଣାପଡିଛି । ସେହିଭଳି ସିମିଳିଗୁଡା ବ୍ଲକ ଖାଲିପାଡିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଯୁବକ ଜଣଙ୍କ ନଦୀରୁ ମାଛ ଧରୁଥିବା ବେଳେ ବଜ୍ରାଘାତ ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ମିଳିଲା ସୂଚନା ।