
ନୂଆପଡ଼ା, (କେପିଏନ୍ଏସ୍) : ଅଦିନିଆ ବର୍ଷା ଯୋଗୁ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ଗ୍ରାମର କୁମୁଦ ସାଙ୍କ ଘର ଉପରେ ଗଛ ପଡି ଥିବାବେଳେ ଅଳ୍ପକେ ପରିବାର ଲୋକେ ବର୍ତ୍ତି ଯାଇଛନ୍ତି । ପ୍ରକାଶ ଯେ ଆଜି ମଧ୍ୟାହ୍ନ ୧ ଘଣ୍ଟା ସମୟ ବେଲେ ଅଦିନିଆ ବର୍ଷା ପବନର କାଳ ବୈଶାଖୀ ତାଣ୍ତବ ରଚିଥିଲା । ତାର ପ୍ରଭାବରେ ଘର ସମ୍ମୁଖରେ ଥିବା ଏକ ବମୁର ଗଛ ଘର ଉପରେ ପଡିଥିଲା । ସେଠୁ ଘର ଭାଙ୍ଗି ପଡିଥିବା ବେଳେ ଘରରେ ଥିବା ଆବଶ୍ୟକ ବିଭିନ୍ନ ସାମଗ୍ରୀର କ୍ଷୟକ୍ଷତି ହୋଇଥିଲା । ଘରର ଜଣେ ବିଧବା ମହିଲା ନିଲେନ୍ଦ୍ରି ମେହେରଙ୍କୁ ଅଳ୍ପ ଆଘାତ ଲାଗିଥିଲା । ଖବର ପାଇଁ ସିନାପାଲି ବିଡିଓ କାର୍ମି ଓରାମ, ତହସିଲଦାର ଉପାଞ୍ଜଲି ମାଝି, ପିଇଓ ସୁଶାନ୍ତ ବେହେରା ଘରକୁ ପହଞ୍ଚି ତଦନ୍ତ କରିଥିଲେ । ଶ୍ରୀମତି ମେହେରଙ୍କୁ ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିବା ବେଳେ ସେ ବର୍ତ୍ତମାନ ଠିକ ଥିବା ଜଣାପଡିଛି । ଏନେଇ ସିନାପାଲି ଦମକଲ ଅଧିକାରୀ ଖବର ଯାଣିଲାପରେ ତୁରନ୍ତ ଏକ ଦମକଲ ଟିମ ପହଞ୍ଚି ଗଛ କାଟି ସ୍ଥିତି ସୁଧାରି ଥିଲେ । ତାଙ୍କ ଏଭଳି କାମ ଦେଖି ଲୋକେ ପ୍ରସଂଶା ମଧ୍ୟ କରିଥିଲେ । ପ୍ରାପ୍ତ ଖବର ଅନୁସାରେ ସିନାପାଲି ବାସିନ୍ଦା ଟେକ ମେହେର (୭୦) କିଛି ବର୍ଷ ହେଲା ତାଙ୍କ ସ୍ତ୍ରୀ, ପୁଅର ମୃତ୍ୟୁ ପରେ ବୋହୂ ଓ ନାତିଙ୍କୁ ନେଇ ଭଡା ଘରେ ବସବାସ କରୁଛନ୍ତି । ତାଙ୍କ ଘର ଖଣ୍ତିଏ ଏଯାଏଁ ନାହିଁ । ହେଲେ ଆଜି କାଳ ବୈଶାଖୀ ପ୍ରଭାବରେ ରହୁଥିବା ଭଟା ଘରେ ଗଛପଡି ଘର ଭାଙ୍ଗି ଯାଇଛି । ବର୍ତ୍ତମାନ ସେମାନଙ୍କ ରହିବା ପାଇଁ ସ୍ଥାୟୀ ବ୍ୟବସ୍ଥା ନଥିବା ବେଳେ ପରିବାର ଲୋକେ ସରକାରୀ ସହାୟତା ପାଇଁ ନିବେଦନ କରୁଛନ୍ତି । ସିନାପାଲି ବିଡିଓ ତଦନ୍ତରେ ଯାଇଥିବା ବେଳେ ଆବଶ୍ୟକ କାଗଜପତ୍ର ପ୍ରଦାନ କଲେ ପକ୍କାଘର ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଦୁଷ୍ଟିଦେଇ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।