
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ୮୪ ଘର ଅଘରିଆ ସମାଜ ଟ୍ରଷ୍ଟ ତରଫରୁ ଜେଲ ସୁପରିଣ୍ଟେଣ୍ଡେଣ୍ଟ ସର୍ବେଶ୍ୱର ସାହୁଙ୍କୁ ୩୧୪ ଖଣ୍ଡ ଲାଇବ୍ରେରୀ ବହି ପ୍ରଦାନ କରାଯାଇଛି । ଜିଲ୍ଲା କାରାଗାର ଅନ୍ତେବାସୀଙ୍କ ମନରେ ସଂସ୍କାର ସହ ସାହିତ୍ୟ ଭାବ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଅଘରିଆ ସମାଜ ଏକ ନିଆରା ଉଦାହରଣ ସୃଷ୍ଟି କରିଛି । ଦୁଇଗୋଟି ବଡ଼ କୁଲର ପ୍ରଦାନ ପରେ ଟ୍ରଷ୍ଟର ଏହା ଦ୍ଵିତୀୟ କାର୍ଯ୍ୟକ୍ରମ । ଜେଲ୍ ଅନ୍ତେବାସୀ ଚାରିକାନ୍ଥ ଭିତରେ ସୀମିତ ନରହି ସମୟ ସମୟରେ ଗୀତା, ଭାଗବତ, ପୁରାଣ ସହ ବିଭିନ୍ନ କବିମାନଙ୍କ ସାହିତ୍ୟକୃତୀ ସହ ଯୋଡ଼ିହୋଇ ସଂସ୍କାରୀ ହେବେ ବୋଲି ଆଶା ରଖି ଟ୍ରଷ୍ଟର ସଭାପତି ଶୁଭ୍ରାଂଶୁ ଶେଖର ପଟେଲ ଏହି ପ୍ରୟାସ କରିଛନ୍ତି । କବି ଜଗବନ୍ଧୁଙ୍କ ସ୍ଵଲିଖିତ ପୁସ୍ତକ ସହ କୃଷି ଓ କୃଷକ ପୁସ୍ତକ ପ୍ରଦାନ ସହ ପୁସ୍ତକ କମିଟି ସହ ସମ୍ପାଦକ ଭକ୍ତଚରଣ ନାଏକ ମହାଭାରତ ଓ ଅନ୍ୟାନ୍ୟ ପୁସ୍ତକ ପ୍ରଦାନ କରିଛନ୍ତି । ସାଧାରଣ ସମ୍ପାଦକ ଦିଗାମ୍ବର ନାଏକ ମହାପୁରୁଷଙ୍କ ଜୀବନୀ ସମ୍ବନ୍ଧୀୟ କେତେକ ପୁସ୍ତକ ସଂଗ୍ରହ କରି ପ୍ରଦାନ କରିଛନ୍ତି । ବରିଷ୍ଠ ଉପଦେଷ୍ଟା ଦ୍ୱାରିକା ନାଥ ପଟେଲ ରାଜକୁମାର ପଟେଲ, ପୁସ୍ତକ କମିଟି ମୁଖ୍ୟ ସମ୍ପାଦକ ସନ୍ତୋଷ କୁମାର ରାଉତ, ଯୁବ ସମାଜସେବୀ ବିବେକାନନ୍ଦ ପଟେଲ କାର୍ଯ୍ୟକ୍ରମରେ ସହଯୋଗର ହାତ ବଢ଼ାଇ ସମାଜର ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି ।