ବର୍ଷା ମାସରେ ବି ପାନୀୟ ଜଳ ପାଇବାରୁ ବଞ୍ଚିତ : ବିଡିଓଙ୍କ ନିକଟରେ ଦାବୀ କଲେ ମୁରସିଂହ ଗ୍ରାମବାସୀ

ଦେଓଗାଁ, (ମନୀଷ କୁମାର ସାହୁ) : ଗାଁ ପାଖେ ସୋନଗଡ଼ ନଦୀ ପ୍ରଭାବିତ ହେଉଛି । ସୋନଗଡ଼ ନଦୀରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ଦୀର୍ଘ ଦିନ ହେଲା ଅନୁଦାନ ଆସିଛି । ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଟେଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ପଞ୍ଚାୟତ ଦାୟିତ୍ୱ ନେଇଥିଲା । ହେଲେ ବାର୍ଷିକ ଖସଡ଼ାରେ ଦେନେଇଥିବା ଅଟକଳ ଶେଷ ହୋଇଥିବାରୁ ଗତ ୧ତାରିଖରୁ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି ଦେଓଗାଁ ବ୍ଳକର ସବୁଠାରୁ ବଡ଼ ଗାଁ ବୋଲି ମନ୍ୟତା ଦିଆଯାଉଥିବା କୁତୁର୍ଲା ପଞ୍ଚାୟତର ମୁରସିଂହ ଗ୍ରାମବାସୀ ।

ଗୁରୁବାର ୧୨ଟା ସମୟରେ ଦେଓଗାଁ ବ୍ଳକ କାର୍ଯ୍ୟାଳୟରେ ବିଡିଓ ମୁରଳୀଧର ନାୟକଙ୍କୁ ମୁରସିଂହ ଗାଁର ଲୋକମାନେ ଲିଖିତ ଅଭିଯୋଗ କରିଛନ୍ତି ଯେ, ଗାଁକୁ ଟଙ୍କିଆ ଚାଉଳ ଦିଆଯାଉଛି କିନ୍ତୁ ପାଣି ଦିଆଯାଉ ନାହିଁ । ଯାହା ଫଳରେ ବନ୍ଧ, ନାଳର ପାଣି ପିଇବାକୁ ପଡ଼ୁଛି । ପ୍ରସ୍ତାବିତ ସୋନଗଡ଼ ନଦୀରୁ ତୁରନ୍ତ ପାନୀୟ ଜଳ ଯୋଗାଇ ଦିଆଯାଉ ଓ ଯୋଗାଇବା ପର୍ଯ୍ୟନ୍ତ ପୂର୍ବ ପରି ଟେଙ୍କରରେ ପାଣି ଦିଆଯାଉ ବୋଲି ଦାବୀ କରିଥିଲେ । ମୁରସିଂହ ପରି ଗାଁକୁ ପାନୀୟ ଜଳ ସମସ୍ୟା ବିଷୟରେ କୁତୁର୍ଲା ଇଓ ଗୋପାଳ ଷଢ଼ଙ୍ଗୀଙ୍କୁ ପଚାରିବାରୁ ମୁରସିଂହ ଗାଁକୁ ପାଣି ପାଇଁ ନିଆଯାଇଥିବା ବାର୍ଷିକ ବଜେଟ ଗତ ମାସ ଶେଷ ତାରିଖରେ ସରି ଯାଇଛି । ଜଳ ଯୋଗାଣ ବିଭାଗ ପକ୍ଷରୁ ଗତ ମଇ ମାସ ଶେଷ ସୁଦ୍ଧା ସୋନଗଡ଼ ନଦୀରୁ ପାଣି ଯୋଗାଇବା କଥା । ସେମାନେ କାମରେ ଅନୀୟମିତତା କରିଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି । ସେହିପରି କନି‌ଷ୍ଠ ଯନ୍ତ୍ରୀ ମୃତ୍ୟୁଞ୍ଜୟ ରାଉତଙ୍କୁ ପଚାରିବାରୁ କମ୍‌ ଦିନ ମଧ୍ୟରେ କାମ ସରିବ ବୋଲି କହିଛନ୍ତି । ରାଜନେତାମାନେ ଗାଁ ଗାଁ ବୁଲି ଖୁବ ଶୀଘ୍ର ପାନୀୟ ଜଳ ଯୋଗାଣ ହେବ ବୋଲି କହୁଥିବା ବେଳେ ବିଳମ୍ବ ଯୋଗୁଁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତେଣୁ ତୁନ୍ତ ସୋନଗଡ଼ ନଦୀରୁ ଜଳ ଯୋଗାଣ କରିବା ଓ ତାର ପୂର୍ବରୁ ଟେଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.