ଖପ୍ରାଖୋଲ ପଞ୍ଚାୟତ କାର୍ଯ୍ୟାଳୟରେ ‘ବନ୍ଦେ ମାତରଂ’ ଗାନରେ ଗୁଞ୍ଜିଉଠିଲା ଦେଶଭକ୍ତିର ନାଦ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ଖପ୍ରାଖୋଲ ପଞ୍ଚାୟତ କାର୍ଯ୍ୟାଳୟ ପରିସର ଦେଶଭକ୍ତିର ସ୍ପନ୍ଦନରେ ମହିମାନ୍ୱିତ ହୋଇଯାଇଥିଲା । ପଞ୍ଚାୟତ ନିର୍ବାହୀ ଅଧିକାରୀ ମନୋଜ ସାହୁଙ୍କ ତତ୍ତ୍ୱବଧାନରେ ଆୟୋଜିତ ‘ବନ୍ଦେ ମାତରଂ’ କାର୍ଯ୍ୟକ୍ରମରେ ଖପ୍ରାଖୋଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର କୁନି କୁନି ଛାତ୍ରଛାତ୍ରୀମାନେ ସ୍ଵରରେ ମାତୃଭୂମିକୁ ନମନ କରିଥିଲେ । ‘ବନ୍ଦେ ମାତରଂ’ ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଆରମ୍ଭ ହେଲା ବଙ୍କିମଚନ୍ଦ୍ର ଚଟୋପାଧ୍ୟାୟଙ୍କ ଲିଖିତ ଅମର ସଙ୍ଗୀତ ‘ବନ୍ଦେ ମାତରଂ’ ର ସମୁହଗାନ ସହ । ଛାତ୍ରଛାତ୍ରୀମାନଙ୍କ ସୁରିଲା କଣ୍ଠ ଦେଶଭକ୍ତିର ଅବିସ୍ମରଣୀୟ ପରିବେଶ ସୃଷ୍ଟି କରିଥିଲା । ସମସ୍ତ ଉପସ୍ଥିତ ଅତିଥି ଓ ସ୍ଥାନୀୟ ଲୋକମାନେ ଦେଶପ୍ରେମରେ ଭାବବିହ୍ୱଳ ହୋଇଯାଇଥିଲେ । ‘ବନ୍ଦେ ମାତରଂ’ ଗୀତଟି ଭାରତୀୟ ସ୍ଵାଧୀନତା ଆନ୍ଦୋଳନର ଆତ୍ମା ଭାବେ ପରିଚିତ । ଏହି ଗୀତଟି ୧୮୭୦ ମସିହାରେ ବଙ୍କିମଚନ୍ଦ୍ର ଚଟୋପାଧ୍ୟାୟଙ୍କ “ଆନନ୍ଦମଠ” ଉପନ୍ୟାସରେ ପ୍ରଥମେ ସ୍ଥାନ ପାଇଥିଲା । ପରେ ଏହା ଦେଶବାସୀଙ୍କ ମଧ୍ୟରେ ଜାଗୃତି, ସାହସ ଓ ଆତ୍ମସମ୍ମାନର ପ୍ରତୀକ ହୋଇ ଉଠିଲା । ୧୯୫୦ ମସିହାରେ ଭାରତ ସଂବିଧାନ ସଭା ଏହାକୁ ରାଷ୍ଟ୍ରଗୀତ ଭାବେ ସ୍ୱୀକାର କରିଥିଲା । ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ଗନ୍ଧର୍ବ ମହାକୁଡ଼ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି କହିଥିଲେ — “ବନ୍ଦେ ମାତରଂ କେବଳ ଗୀତ ନୁହେଁ, ଏହା ଆମ ଦେଶର ଗୌରବ, ଆମ ସଂସ୍କୃତିର ପ୍ରତୀକ ଓ ଆମର ଜାତୀୟ ଗରିମାର ପ୍ରତିଧ୍ୱନି ।” ଏହି କାର୍ଯ୍ୟକ୍ରମକୁ ଖପ୍ରାଖୋଲ ଏଡିଇଓ ଦେବେଶ ମିଶ୍ର ପରିଚାଳନା କରିଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ବିମଲ ସାହୁ, ଅଶୋକ କୁମାର ବାଗ, ଗୋପାଲ ସାହୁ, ସରୋଜ ସାହୁ ଶିଶୁ ମନ୍ଦିର ଶିକ୍ଷୟିତ୍ରୀ ବୀଣାପାଣି ପଧାନ, ମିତା ପଧାନ, ହୃଦେଶ୍ୱରୀ ସାହୁ, କାମିନୀ ବରିହା, ରିତାଞ୍ଜଳୀ ପଣ୍ଡା ଅଭିଷେକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.