ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ୍ର ପ୍ରଥମ ଗଭର୍ଣ୍ଣିିଙ୍ଗ୍ ବଡ଼ି ବୈଠକ : ଶୀଘ୍ର ଖୋଲିବ ସୁପର ସ୍ପେସାଲିଷ୍ଟ୍ ବିଭାଗ, କହିଲେ ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ୍ ସମ୍ମିଳନୀ କକ୍ଷ ଠାରେ ଭୀମ ଭୋଇ ମେଡ଼ିକାଳ କଲେଜ ଓ ହସ୍ପିଟାଲ୍ର ପ୍ରଥମ ଗର୍ଭର୍ଣ୍ଣିଙ୍ଗ୍ ବଡ଼ି ବୈଠକ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ପ୍ରଫେସର ମଧୁସୂଦନ ପତି, ଡା.ପରମେଶ୍ୱର ରଥ, ଗୌରୀଶଙ୍କର ଅଗ୍ରୱାଲ, ମେଡ଼ିକାଲ କଲେଜ ଡିନ୍ ଓ ଅଧ୍ୟକ୍ଷା ପ୍ରଫେସର ଡା. ସବିତା ମହାପାତ୍ର, ମେଡ଼ିକାଲ କଲେଜ ଅଧିକ୍ଷକ ଡା. ମହେନ୍ଦ୍ର କୁମାର ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲୀପ କୁମାର ପଟେଲ, ସିଡ଼ିଏମ୍ଓ ଡା. ଭୀମ ସାହୁଙ୍କ ସମତେ ଗଭର୍ଣ୍ଣିଙ୍ଗ୍ ବଡ଼ିର ସଦସ୍ୟ ସଦସ୍ୟା, ସଂପୃକ୍ତ କାର୍ୟ୍ୟନିର୍ବାହୀ ବିଭାଗର ବିଭାଗୀୟ ମୁଖ୍ୟ ଓ ମେଡ଼ିକାଲ କଲେଜର ବିଭିନ୍ନ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ । ମେଡିକାଲ କଲେଜର ଡିନ୍ ତଥା ପ୍ରିନ୍ସିପାଲଙ୍କ ସ୍ୱାଗତ ଭାଷଣରୁ ଆରମ୍ଭ ହୋଇଥିବା ଏହି ବୈଠକରେ ମେଡିକାଲ କଲେଜ ତଥା ଡାକ୍ତରଖାନାର ଭିତ୍ତିଭୂମି, ମାନବ ସଂସାଧନ, ରୋଗୀ ସେବା, ଶିକ୍ଷା ଓ ଉପକରଣ ତଥା ଏହାର ଭବିଷ୍ୟତ କାର୍ୟ୍ୟପନ୍ଥା ନେଇ ବିଭିନ୍ନ ପ୍ରକାର ପ୍ରସ୍ତାବ ପାରିତ ହୋଇଥିଲା । ବୈଠକରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଭୀମ ଭୋଇ ମେଡିକାଲ କଲେଜର ବିଭିନ୍ନ ସମସ୍ୟା ଉପରେ ଗଭୀର ଆଲୋଚନା କରିଥିଲେ । କଲେଜ ଖୋଲିବାର ଦୀର୍ଘ ୩ ବର୍ଷ ବିତି ଯାଇଥିଲେ ହେଁ ଆଜି ପର୍ୟ୍ୟନ୍ତ ହୃଦ୍ ରୋଗ, କିଡନି ଜନିତ ରୋଗ, ମୂତ୍ର ରୋଗ ତଥା ସ୍ନାୟୁ ରୋଗ ବିଭାଗ ଖୋଲାଯାଇ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିବା ସହ ଏହି ୪ଟି ବିଭାଗ ଖୋଲିବା ପାଇଁ ସରକାରଙ୍କ ପାଖକୁ ପ୍ରସ୍ତାବ ପଠାଇବାକୁ କହିଥିଲେ । ଯେତେ ଶୀଘ୍ର ହେବ ଏହି ବିଭାଗ ଗୁଡିକ ଖୋଲିଲେ ହିଁ ଆମ ଅଂଚଳର ଲୋକେ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରକୃତ ଉପାଦେୟତା ପାଇ ପାରିବେ ବୋଲି ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ । କଲେଜର ଶ୍ରେଣୀ କକ୍ଷ ଗୁଡିକରେ ଏସି ନ ଥିବାରୁ ତାର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ପାରିତ ହୋଇଥିଲା । ତା ସହିତ ମେଡିକାଲ କଲେଜ ଭିତରେ ଏକ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ଅଭରହେଡ୍ ଟେଙ୍କ ନିର୍ମାଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ପଠାଇବାକୁ ପ୍ରସ୍ତାବ ପାରିତ ହୋଇଥିଲା । କଲେଜ ପରିସରରେ ୩୦ କୋଠରୀ ବିଶିଷ୍ଟ ଏକ ଅତିଥିଶାଳା ନିର୍ମାଣ ଯାହାରକି ବ୍ୟୟ ଅଟକଳ ୫ରୁ ୬କୋଟି ଟଙ୍କା ହେବ ତାହା ପାଇଁ ମଧ୍ୟ ଚିଠି ଲେଖିôବାକୁ ଶ୍ରୀ ମିଶ୍ର ପ୍ରସ୍ତାବ ଦେଇଥିଲେ । ଡାକ୍ତରୀ ଛାତ୍ର ଛାତ୍ରୀମାନଙ୍କ ସୁରକ୍ଷା ତଥା କେମ୍ପସ ମଧ୍ୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ଆଉଟ୍ ପୋଷ୍ଟ ନିର୍ମାଣ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା । ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଅଚଳ ଥିବା ତିନୋଟି ଲିଫ୍ଟ ଶୀଘ୍ର ମରାମତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ବର୍ତ୍ତମାନ ଡାକ୍ତରଖାନାରେ ରୋଗୀ ସଂଖ୍ୟା ଦୃଷ୍ଟିର ବେଡର ଅଭାବ ଥିବାରୁ ତୁରନ୍ତ ଅତିରିକ୍ତ ୬୦ଟି ବ୍ୟାଡ୍ ପ୍ରସ୍ତୁତ କରିବାକୁ ବୈଠକରେ ନିଷ୍ପତ୍ତି ହେବା ସହ ପରେ ପରେ ଡାକ୍ତରଖାନରେ ଆଉ ୨୦୦ଟି ରୋଗୀ ଶଯ୍ୟା ପ୍ରସ୍ତୁତ କରିବାକୁ ଆବଶ୍ୟକ ହେଉଥିବା ଜମି ଚିହ୍ନଟ ଶୀଘ୍ର କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହା ସହ ମେଡିକାଲ କଲେଜ ପରିସରରେ ୫୦ କୋଟି ଟଙ୍କାର ଏକ ସ୍ପୋଷ୍ଟର୍ସ କମ୍ପେ୍ଲସର ନିର୍ମାଣ ପାଇଁ ପ୍ରସ୍ତାବ ସରକାରଙ୍କ ପାଖକୁ ପଠାଇବାକୁ ନିଷ୍ପତ୍ତି ହୋଇଛି । ଏଥିରେ ଘାସ ପଡିଆ, ବ୍ୟାୟ।।ମଶାଳା, ଇନଡୋର ଖେଳ ସୁବିଧା ସହିତ ଏକ କ୍ୟାଣ୍ଟିନ ମଧ୍ୟ ରହିବ । ଏହି ଅବସରରେ ଭୀମ ଭୋଇ ମେଡିକାଲ କଲେଜ ପରିସରକୁ ସମ୍ପୁର୍ଣ୍ଣ ୱାଇ ଫାଇ ଯୁକ୍ତ କରିବା ପାଇଁ ବିଧାୟକ ଶ୍ରୀ ମିଶ୍ର ନିଜ ବିଧାୟକ ପାଣ୍ଠିରୁ ଆବଶ୍ୟକୀୟ ଅନୁଦାନ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ବୈଠକ ଶେଷରେ ମେଡ଼ିକାଲ କଳେଜର ଡିନ୍ ଓ ଅଧ୍ୟକ୍ଷା ପ୍ରଫେସର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।