
- ଡେଲାଙ୍ଗ, କଣାସ ବ୍ଲକରେ ବିଦ୍ୟୁତ୍ ସରବରାହ ସ୍ଵାଭାବିକ ହେଲା
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲଘୁଚାପଜନିତ ବର୍ଷା ପରେ ବନ୍ୟା ଯୋଗୁଁ ଉପକୂଳ ଓଡ଼ିଶାରେ ପ୍ରଳୟଙ୍କରୀ ବନ୍ୟା ହେବାରୁ ଡେଲାଙ୍ଗ ଓ କଣାସ ବ୍ଲକର ହଜାର ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ବେଡି ଉପରେ କୋରଡ଼ା ସଦୃଶ ବନ୍ୟା ପ୍ରପୀଡିତଙ୍କୁ ଦଇବ ଦାଉ ସାଧିଛି ବୋଲି ମତ ପ୍ରକାଶ ପାଇଛି । ସୂଚନା ଅନୁସାରେ ଶନିବାର ଦିନ ରାତି ୧୨ଟାରେ ବେଗୁନିଆପଡ଼ାଠାରେ ଦୟା ନଦୀରେ ଅବସ୍ଥାପିତ ଡିପି ଷ୍ଟ୍ରକ୍ଚରରେ ଦୁଇଟି ୩୩କେଭି ବିଦ୍ୟୁତ୍ ଖୁଣ୍ଟ ବନ୍ୟା ପାଣିରେ ଉପୁଡ଼ି ପଡ଼ିବାରୁ ଡେଲାଙ୍ଗ ଓ କଣାସ ଅଞ୍ଚଳର ହଜାର ହଜାର ଉପଭୋକ୍ତା ୩ଦିନ ଧରି ଅନ୍ଧାରରେ ଥିଲେ । ତେବେ ଦୀର୍ଘ ତିନି ଦିନର ଅକ୍ଳାନ୍ତ ପରିଶ୍ରମ ପରେ ମଙ୍ଗଳବାର ସନ୍ଧ୍ୟାରେ ଡେଲାଙ୍ଗ ଓ କଣାସ ଅଞ୍ଚଳକୁ ବିଦ୍ୟୁତ୍ ସରବରାହ ସ୍ଵାଭାବିକ ହୋଇପାରିଛି । ବନ୍ୟା ସମୟରେ ବଢିଲା ନଦୀ ଭିତରେ ବିଦ୍ୟୁତ୍ ତାର ସଂଯୋଗ କରିବା ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ କହିବା ସହ ଏଭଳି ଦୁଃସାହସିକ କାର୍ଯ୍ୟ ପାଇଁ ସେ ଟିପିସିଓଡିଏଲ୍, ଭୁବନେଶ୍ୱର- ୨ର ସର୍କଲ୍ ହେଡ୍, ଟିମ୍ ପ୍ରୋଜେକ୍ଟ,, ଓଡ୍ରାଫ୍ ଟିମ୍, ଅଗ୍ନିଶମ ବାହିନୀ, ଡେଲାଙ୍ଗ ପୁଲିସ୍ ଟିମ୍, ପୁରୀ ଓ ଖୋର୍ଦ୍ଧା ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀ, ଏସଡିଓ -୨, ପୁରୀ ଡିଭିଜନାଲ୍ ସଂଯୋଜକ, ଡେଲାଙ୍ଗ ଓ କଣାସ ସେକନ୍ ଇନ୍ ଚାର୍ଜ, ଇମ୍ଲେକୋ, ମହାନ୍ତି ବ୍ରଦର୍ସ ଟିମ୍, ଟିପିସିଓଡିଏଲ୍ ଏସଟିଏସ, ମ୍ୟାନେଜର ପ୍ରୋଜେକ୍ଟ ଇଗଲ୍ ଟିପିସିଓଡିଏଲ, ପୁରୀ ତଥା ପୁରୀ ଓ ଖୋର୍ଦ୍ଧାର ସମସ୍ତ କ୍ଷେତ୍ର କର୍ମଚାରୀ, ପୁରୀ ଜିଲ୍ଲା ଓ ଡେଲାଙ୍ଗ ବ୍ଲକ୍ ପ୍ରଶାସନ ଏବଂ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ଏପରିକି ଏଭଳି ସଙ୍କଟ ସମୟରେ ସ୍ଥାନୀୟ ଜନସାଧାରଣ ଧୈର୍ଯ୍ୟ ରଖି ସହଯୋଗ କରିବାକୁ ସେମାନଙ୍କୁ ବିଧାୟକ ଧନ୍ୟବାଦ୍ ଅର୍ପଣ କରିଛନ୍ତି । ବିଦ୍ୟୁତ୍ ସଂଯୋଗ କାର୍ଯ୍ୟର ସଫଳ ରୂପାୟନ ପାଇଁ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ସମବାୟବିତ୍ ବୈରାଗୀ ଜେନା, ବିଡ଼ିଓ ଦିଲ୍ଲୀପ କୁମାର ଷଡଙ୍ଗୀ ପ୍ରମୁଖ ଘନ ଘନ ଘଟଣାସ୍ଥଳ ଗସ୍ତ କରି ସମସ୍ତ କାର୍ଯ୍ୟ ତଦାରଖ କରିବା ସହ ବିଦ୍ୟୁତ୍ ସରବରାହ କାର୍ଯ୍ୟ ସ୍ଵାଭାବିକ କରିବାକୁ ସହଯୋଗ କରିଥିବାରୁ ସ୍ଥାନୀୟ ଜନସାଧାରଣ ସେମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି ।