ନିଆଁରେ ପୋଡ଼ି ହୋଇ ବୃଦ୍ଧ ମୃତ

ଗୋଛାପଡ଼ା : ନିଆଁରେ ପୋଡ଼ି ହୋଇ ଯାଇଥିବା ଜଣେ ବୃଦ୍ଧଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗୋଛାପଡ଼ା ଥାନା ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତର ଡାଗରସୁଗା ଗ୍ରାମର ସୁଦର୍ଶନ କହଁର ଶନିବାର ଦିନ ପରିବାର ଲୋକେ ବିଲକୁ ଯାଇଥିବା ବେଳେ ଚୁଲି ପାଖରେ ବସିଥିଲେ । ପିନ୍ଧିଥିବା ଲୁଗାରେ ନିଆଁ ଲାଗି ଯିବାରୁ ସେ ପୋଡ଼ିଯାଇଥିଲେ । ପରିବାର ଲୋକ ଘରକୁ ଫେରିବା ପରେ ତାଙ୍କୁ ପୋଡ଼ି ଯାଇଥିବା ଦେଖି ସଙ୍ଗେ ସଙ୍ଗେ ଏକ ଅଟୋରିକ୍ସା ସାହାଯ୍ୟରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତ୍ତି କରିଥିଲେ ।

ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ସୁଦର୍ଶନଙ୍କ ମୃତ୍ୟୁ ହୋଇଛି । ସୁଦର୍ଶନଙ୍କ ପୂର୍ବରୁ ଅପସ୍ମାର ରୋଗ ଥିବା ପରିବାର ଲୋକେ କହିଛନ୍ତି । ପରିବାର ପକ୍ଷରୁ ଗୋଛାପଡ଼ା ଥାନାରେ ଏତଲା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ରଞ୍ଜିତ୍ କୁମାର ମୁନି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.