ଛାତ୍ରମାନଙ୍କୁ ନେଇ ଏଚ୍‌ଆଇଭି ସମ୍ୱନ୍ଧରେ ମାରାଥନ କାର୍ଯ୍ୟକ୍ରମର ଆୟୋଜନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ରବିବାର ଛାତ୍ରମାନଙ୍କୁ ନେଇ ଏକ ମାରାଥନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ୧୫୦ଜଣ ଛାତ୍ର ଅଂଶଗ୍ରହଣ କରିଥିଲେ ଓ ପ୍ଲାକାର୍ଡ଼ ଧରି ଏଚ୍‌ଆଇଭି ସମ୍ୱନ୍ଧରେ ସଚେତନତା ବାର୍ତ୍ତା ଦେଇଥିଲେ । ସର୍ବେକ୍ଷଣରୁ ଜଣାଯାଇଛି ଯେ, ଯୁବ ଗୋଷ୍ଠୀ ଚାହିଁଲେ ଆମ୍ଭେମାନେ ଏଚ୍‌ଆଇଭିକୁ ରୋକିପାରିବା । ଏଚ୍‌ଆଇଭି/ଏଡ଼ସ୍‌, ଯୌନ ସଂକ୍ରମଣ ରୋଗ, ଯକ୍ଷ୍ମା ଓ ଅନ୍ୟାନ୍ୟ ରୋଗ ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମକୁ ଓଡିଶା ରାଜ୍ୟ ଏଡ଼ସ୍‌ ନିୟନ୍ତ୍ରଣ ସମିତି ଆର୍ଥିକ ସହାୟତା କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଉମାଶଙ୍କର ମିଶ୍ର ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ । ମାରାଥନ କାର୍ଯ୍ୟକ୍ରମ ସରିବା ପରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଡାକ୍ତର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଆର. ଜଗଦୀଶ ପଟ୍ଟନାୟକ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡା. ଅବନୀ କୁମାର ପାତ୍ର, ଡା. ଗୀତିମୟୀ ପଟ୍ଟନାୟକ, ଜିଲ୍ଲା ରେଡ ରିବନ ଅଧିକାରୀ ଦିଲୀପ କୁମାର ଆଚାର୍ଯ୍ୟ, ଶୁଭକାମନା ଟ୍ରଷ୍ଟ ଧର୍ମରାଇପୁର ପାଟପୁର, ଗଞ୍ଜାମ ଚେୟାରମ୍ୟାନ ମନୋଜ କୁମାର ରଥ, ଜିଲ୍ଲା ଏଡ଼ସ୍‌ ପ୍ରକଳ୍ପ ଅଧିକାରୀ ହେମନ୍ତ କୁମାର ଦାଶ, ଜିଲ୍ଲା ଯକ୍ଷ୍ମା ପ୍ରକଳ୍ପ ଅଧିକାରୀ ବିଦେଶୀ ଜେନା, ଯକ୍ଷ୍ମା ବିଭାଗର ସୁଧୀରକାନ୍ତ ବେହେରା ଏବଂ ଏଡ଼ସ ସେଲର ଡ. ସନ୍ତୋଷ କୁମାର ରାଜୁ ପ୍ରମୁଖ ଯୋଗ ଦେଇଥିଲେ । କୃତି ଛାତ୍ରମାନେ ରାଜ୍ୟସ୍ତରୀୟ ମାରାଥନରେ ଅଂଶଗ୍ରହଣ କରିବେ ଓ ସେଠାରେ ଉପକୃତ ହେଲେ ସର୍ବ ଭାରତୀୟ ସ୍ତରରେ ଭାଗ ନେବାର ବ୍ୟବସ୍ଥା ମଧ୍ୟ ଅଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମିଶ୍ର ଛାତ୍ରମାନଙ୍କୁ ନିଜର ସ୍ୱାସ୍ଥ୍ୟର କିପରି ଯତ୍ନ ନେବେ ସେଥିପ୍ରତି ଆଲୋକପାତ କରିଥିଲେ । ହାତକୁ ପରିସ୍କାର କରି ଓ ସ୍ୱଚ୍ଛ ପାଣିରେ ଧୋଇ ଖାଇବାକୁ ପରାମର୍ଶ ଦେଇଥିଲେ । ଡାକ୍ତର ପାତ୍ର ଏଚ୍‌ଆଇଭି ଓ ଯକ୍ଷ୍ମାର ଭୟାଭୟତା ସମ୍ପର୍କରେ ଛାତ୍ରମାନଙ୍କୁ ବୁଝାଇଥିଲେ ଓ ଏହାଠାରୁ କିପରି ଦୂରେଇ ରହିବେ ପରାମର୍ଶ ଦେଇଥିଲେ । ପ୍ରକଳ୍ପ ଅଧିକାରୀ ଶ୍ରୀ ଦାଶ ଗଞ୍ଜାମ ଜିଲ୍ଲାରେ ଏଚ୍‌ଆଇଭି ସଂକ୍ରମଣ ବହୁ ମାତ୍ରରେ କମିଛି ବୋଲି କହିବା ସହିତ ୨୦୩୦ ମସିହା ସୁଦ୍ଧା ନୂତନ ସଂକ୍ରମଣ ଶୂନ କରିବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା – ଯୁବକମାନଙ୍କ ମଧ୍ୟରେ ଏଚ୍‌ଆଇଭି/ଏଡ଼ସ ସମ୍ୱନ୍ଧରେ ଧାରଣା ଦେବା, ନୂତନ ସଂକ୍ରମଣ କମାଇବା, ଏଚ୍‌ଆଇଭି ବ୍ୟକ୍ତିଙ୍କୁ ଘୃଣା ଓ ଭେଦଭାବ ଦୂର କରିବା, ଯୁବକମାନଙ୍କ ଦ୍ଵାରା ସମାଜରେ ସଚେତନତା ସୃଷ୍ଟି କରିବା, ଏଚ୍‌ଆଇଭି/ଏଡ଼ସ ଦେୟମୁକ୍ତ ନମ୍ବର ୧୦୯୭ର ବ୍ୟାପକ ସଚେତନତା ସୃଷ୍ଟି କରିବା, ଏଚ୍‌ଆଇଭିର ପରୀକ୍ଷା ବୃଦ୍ଧି କରିବା, ନିଶାଠାରୁ ଯୁବକମାନେ ଦୂରେଇ ରହିବା ଇତ୍ୟାଦି । ଡାକ୍ତର ପଟ୍ଟନାୟକ ଉପସ୍ଥିତ ସମସ୍ତ ଛାତ୍ରମାନଙ୍କୁ ଶୃଙ୍ଖଳିତ ଜୀବନ ଯାପନ କରିବାକୁ ପରାମର୍ଶ ଦେଇଥିଲେ । ଯୁବକମାନେ ହେଉଛନ୍ତି ଦେଶ ଗଠନର ବିନ୍ଧାଣି ତେଣୁ ରୋଗଠାରୁ ଦୂରେଇ ରହିବା ସଂଗେ ସଂଗେ ଏହାର ବ୍ୟାପକ ସଚେତନତା କରିବା ପାଇଁ ପରାମର୍ଶ ଦେଇଥିଲେ ।
ମାରାଥନ ପ୍ରତିଯୋଗିତାରେ ପ୍ରଥମ ହେଲେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ସୁଶାନ୍ତ ସେଠି, ଦ୍ଵିତୀୟରେ ବିନାୟକ ଆଚାର୍ଯ୍ୟ କଲେଜର ଅନିଲ କୁମାର ସାହୁ ଏବଂ ତୃତୀୟରେ ଖଲ୍ଲିକୋଟ ଜୁନିଅର ମହାବିଦ୍ୟାଳୟର ଦୁର୍ଯ୍ୟୋଧନ ନାୟକ । ଏଚ୍‌ଆଇଭି ଓ ଯକ୍ଷ୍ମା ବିଭାଗର କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ ।

Leave A Reply

Your email address will not be published.