
ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଗଣ୍ଡାବାହାଲି ଦେଶୀ ମଦଭାଟିରେ ଜବରଦସ୍ତି ଟଙ୍କା ଆଦାୟ କରାଯାଇଥିବା ନେଇ ସ୍ଥାନୀୟ ଭାଟି ମ୍ୟାନେଜର ଶଶାଙ୍କ ସାହୁ ସିନାପାଲି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଏନେଇ ସିନାପାଲି ଥାନା ପକ୍ଷରୁ ଘଟଣାର ସତ୍ୟାସତ୍ୟ ତଦନ୍ତ ଚାଲିଥିବା ସୂଚନା ମିଳିଛି । ଅଭିଯୋଗ ଅନୁସାରେ ଗତ ୧୫ ତାରିଖ ଗୁରୁବାର ଦିନ ସମୟ ପ୍ରାୟ ୧୨ଟା ୪୫. ମିନିଟରେ କଳାହାଣ୍ଡି ଜିଲ୍ଲା ନର୍ଲା ନିବାସୀ ରଞ୍ଜନ ମହାନ୍ତି, ପବିତ୍ର ମୋହନ ସାହୁ, ତ୍ରିନାଥ ସାହୁ ଓ ଅନ୍ୟଜଣେ ଗଣ୍ଡାବାହାଲି ମଦଭାଟିକୁ ଆସି କଟକରୁ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏକ୍ସସାଇଜ ଡେପାର୍ଟମେଂଟରୁ ଆସିଛୁ କହି ଜବରଦସ୍ତି ଭାଟି ଭିତରକୁ ପଶିଥିବା ଦର୍ଶାଯାଇଛି । ପରେ ଗୋଦାମ ଘର, ରୋଷେଇ ଘର, ଚୁଲାଇ ଘର, ଗଦି ଘରକୁ ପଶି ଭିଡିଓ ସୁଟିଙ୍ଗ କରି ଠକାମୀ କରି ପଇସା ଉପାର୍ଜନ କରୁଥିବା କହି ଧମକ ଦେଇ ପାଞ୍ଚ ଲକ୍ଷ ଟଙ୍କା ଦାବି କରିଥିବା ଅଭିଯୋଗରେ କୁହାଯାଇଛି । ପୁଣି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଜୀବନରେ ମାରିଦେବାକୁ ସେମାନେ ଧମକ ଦେଇଥିବା ବେଳେ ଜୀବନ ଭୟରେ ଭାଟି ମ୍ୟାନେଜର ୧ ଲକ୍ଷ ୨ହଜାର ଟଙ୍କା ନଗଦ ସେମାନଙ୍କୁ ଦେବାରୁ ଚାଲି ଯାଇଥିଲେ ବୋଲି ଅଭିଯୋଗ ହୋଇଛି । ଏନେଇ ଭାଟି ମ୍ୟାନେଜର ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ସିନାପାଲି ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ସିନାପାଲି ଥାନାରେ ଏନେଇ କେସ ନଂ.୧୩୧/୨୩ ଦଫା – ୩୨୯(୩)/୨୯୬/୩୦୮(୨)/୩୧୯(୨) /୨୦୪/୨୦୫/୩୫୧(୩)/୩(୫) ବିଏନ୍ଏସ୍ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ପୁଲିସ ପକ୍ଷରୁ କୁହାଯାଇଛି ।