jayashree

ମହୁଲ ଫୁଲକୁ ନେଇ ଗୋଳକ ଧନ୍ଦାରେ ଅବକାରୀ ଅଧିକାରୀ : ଜବତ ହେଲା ୩୨ କ୍ଵିଣ୍ଟାଲ ଦେଖାଇଲେ ୨୫ କ୍ଵିଣ୍ଟାଲ

  • ମହୁଲ ଫୁଲ ଚାଷୀଙ୍କ ସହ ମୁଳଚାଳ ନହେବାରୁ ହେଲା କି କାର୍ଯ୍ୟାନୁଷ୍ଠାନ ?
  • ଅବକାରୀ ଅଧିକାରୀ ଏବଂ ମହୁଲ ଫୁଲ ଚାଷୀଙ୍କ ମୋବାଇଲ କଥାବାର୍ତ୍ତାକୁ ନେଇ ସସପେନ୍ସ ଜାରି

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ବିଭାଗ ଉପରେ ଏବେ ମାଳ ମାଳ ଦୁର୍ନୀତିର ଅଭିଯୋଗ । କେତେବେଳେ ବରିଷ୍ଠ ଡାକ୍ତରଙ୍କ ଭିଡିଓ ଭାଇରାଲ ହେଉଛି ତ ଆଉ କେତେବେଳେ ସମନ୍ନୀତ ଶିଶୁ ବିକାଶ ଯୋଜନାର ଗୋଳକ ଧନ୍ଦା ହାଟରେ ପଡି ଦାଣ୍ଡରେ ଗଡୁଛି ତ ପୁଣି କେତେବେଳେ ଯୋଗାଣ ବିଭାଗ ନାଁରେ ଆସୁଛି ସଙ୍ଗୀନ ଅଭିଯୋଗ ତ ଆଉ କେତେବେଳେ ବରିଷ୍ଠ ଅଧିକାରୀମାନଙ୍କ ବିରୋଧରେ ।

ଏବେ ପୁଣି ଆଉ ଏକ ସଙ୍ଗୀନ ଅଭିଯୋଗ ଆସିଛି । ଆଉ ତାହା ପୁଣି ଅବକାରୀ ବିଭାଗ ଉପରେ । ଜୋଶେଫ ୱାଲଟିୟର ନାୟକଙ୍କ ଟଙ୍କା ମଗା ନୀତି ଆଉ ଏହାକୁ ଚାପିବା ପାଇଁ ଆରମ୍ଭ କରିଥିବା ପ୍ରୟାସକୁ ନେଇ ପ୍ରଶ୍ନ ଉଠିଛି । ଅଭିଯୋଗ ଅନୁଯାୟୀ ଗତ ଏପ୍ରିଲ ମାସରେ ସଇଁନ୍ତଲା ବ୍ଲକ ବଡମୁଡା ଗାଁର ମହୁଲ ଫୁଲ ଚାଷୀ ତଥା ବ୍ୟବସାୟୀ ଗଜିନ୍ଦ୍ର ଗଡତ୍ୟାଙ୍କ ଘରେ ଜୋଶେଫ ୱାଲଟିୟର ନାୟକଙ୍କ ନେତୃତ୍ୱରେ ଚଢାଉ ହୋଇଥିଲା । ଚଢାଉ ସମୟରେ ଗଜିନ୍ଦ୍ରଙ୍କ ଘରୁ ୩୨ କ୍ଵିଣ୍ଟାଲ ମହୁଲ ଫୁଲ ଜବତ ହୋଇଥିଲା । ହେଲେ ଏହି ଜବତ ମହୁଲ ଫୁଲ ନିକଟସ୍ଥ ଆମପାଲି ଭାଟିରେ ଜିମାଦେବା କଥା । କିନ୍ତୁ ଅବକାରୀ ଇନ୍ସପେକ୍ଟର ଯୋଶେଫ ୱାଲଟିୟର ନାୟକ ଜବତ ମହୁଲ ଫୁଲ ଗୁଡିକୁ ସଇଁନ୍ତଲା ନିକଟସ୍ଥ ବିବିନା ଭାଟିକୁ ଜିମା ଦେଇଥିଲେ । ହେଲେ ବଡମୁଡା ଗାଁରୁ ବିବିନା ଭାଟିକୁ ପହଂଚିବା ପରେ ୩୨ କ୍ଵିଣ୍ଟାଲ ମହୁଲଫୁଲ ୨୫ କ୍ଵିଣ୍ଟାଲକୁ ପହଂଚିଗଲା । ଜବତ ହେଲା ଗୋଟିଏ ଏବଂ ଦେଖାଗଲା ଆଉ ଏକ ସଂଖ୍ୟା । ଯାହାକୁ ନେଇ ଅଧିକାରୀ ଜଣକର କାର୍ଯ୍ୟକଳାପକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଅବକାରୀ ଅଧିକାରୀ ଏବଂ ଗଜିିନ୍ଦ୍ର ଗଡତ୍ୟା ମଧ୍ୟରେ ହୋଇଥିବା ଏକ ଟେଲିଫୋନ କଲ ରେକର୍ଡ ଭାଇରାଲ ହେବା ଘଟଣା ଏହି ସନ୍ଦେହକୁ ଆହୁରି ଦୃଢ଼ୀଭୃତ କରିଛି । ଟେଲିଫୋନରେ କଥା ହେଉଥିବା ସମୟରେ ଅବକାରୀ ଇନ୍ସପେକ୍ଟର ଜଗିନ୍ଦ୍ରକୁ ପଚାରୁଛନ୍ତି “ଆଉ କେତେ ସମୟ ଲାଗିବ”। ସେପଟେ ଗଜିନ୍ଦ୍ର କହୁଛି “ସାର ! ପଇସା ପତ୍ର ଯୁଗାଡ କରୁଛି । ଏବେ ମୋ ପାଖରେ ପଇସା ପତ୍ର ନାହିଁ । ଦେଖୁଛି ଆଉକିଛି ସମୟ ପଇସାପତ୍ର ଯୋଗାଡରେ ଅଛି” । ଏହି କଥା ଶୁଣିବା ପରେ ଅବକାରୀ ଅଧିକାରୀ ଜଣକ କହୁଛନ୍ତି “ଆଉ କେତେ ସମୟ ଲାଗିବ । କେତେବେଳ ପର୍ଯ୍ୟନ୍ତ ଅପେକ୍ଷା କରିବି । ଆଗରୁ କହିଥିଲେ ଆମେ ପଲେଇଥାନ୍ତୁ” । ଏହି ବିଷୟ ହିଁ ଟଙ୍କା ନେଣଦେଣକୁ ବେଶ ସୂଚାଉଛି । ଆଉ କେତେ ସମୟ ଧରି ଅପେକ୍ଷା କରିବୁ। ଆଗରୁ କହିଥିଲେ ଆମେ ପଲେଇଥାନ୍ତୁ । ଏହାରି ମାନେ ଟଙ୍କା ପାଇଁ ହିଁ ମୁଲଚାଲ ହୋଇଥିଲା । ଯାହା ଯେ କେହି ବି ବୁଝିଯିବେ । ତେବେ କିଛି ଗଣମାଧ୍ୟମ ପ୍ରତିନିଧି ଏନେଇ ଯୋଶେଫ ୱାଲଟିୟର ନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ତାଙ୍କ ଭଏସ ରହିଥିବା ବେଳେ ଏହା ମୋର ଭଏସ ନୁହେଁ ଅନ୍ୟ କାହାର ଭଏସ ଥିବ ବୋଲି କହିବା ସହ ମୋବାଇଲରେ ରେକଡିଂ ହୋଇଥିବା କଥାବାର୍ତା ତାଙ୍କର ନୁହେଁ ବୋଲି ସଫେଇ ଦେବା ଏବଂ ପରେ ନିଜେ ଉକ୍ତ ଅଡିଓକୁ ନେଇ ତାଙ୍କ ଭଏସ ଥିବା ସ୍ୱୀକାର କରିବା ପଛର ଅର୍ଥ ବି ଏବେ ସନ୍ଦେହ ଘେରରକୁ ଆସିଛି । ପୁଣି ୩୨ କ୍ଵିଣ୍ଟାଲ ଜବତ ହୋଇନଥିବା ଅବକାରୀ ଅଧିକାରୀ ୱାଲଟିୟର ନାୟକ କହୁଥିବା ବେଳେ ମହୁଲ ଫୁଲ ଚାଷୀ ଗଜିନ୍ଦ୍ର ଏବଂ ଭାଟି ମ୍ୟାନେଜର ସ୍ପଷ୍ଟ ଭାବରେ ୩୨ କ୍ଵିଣ୍ଟାଲ ମହୁଲ ଜବତ ହୋଇଥିବା କହିବା ଘଟଣା ବାବୁ ଯୋଶେଫ ୱାଲଟିୟର ନାୟକଙ୍କ କାର୍ଯ୍ୟକଳାପ ପ୍ରତି ଅଙ୍ଗୁଳି ଉଠିଛି । ତେବେ ସବୁଠାରୁ ଚକିତ କଲା ଭଳି ଘଟଣା ଯେ, ଏପ୍ରିଲ ମାସରେ ମହୁଲ ଫୁଲ ଜବତ କରିଥିଲେ ବି ଜୁନ ମାସ ୧୬ ତାରିଖ ପର୍ଯ୍ୟନ୍ତ ଜବତ ମହୁଲ ଫୁଲର ନୀଲାମ ପାଇଁ ବଲାଙ୍ଗିର ଅବକାରୀ ଏସ.ପି.ଙ୍କ ଠାରୁ ଅନୁମତି ବି ମାଗିନଥିଲେ । ଗଣମାଧ୍ୟମ ପ୍ରତିନିଧି ମାନେ ଏନେଇ ଖୋଲତାଡ କରିବା ଏବଂ ଜୁନ ମାସ ୧୫ ତାରିଖ ଦିନ ଅବକାରୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଘଟଣାକୁ ଏଡାଇଦେଇ ଜୁନ ୧୭ ତାରିଖରେ ବଲାଙ୍ଗିର ଅବକାରୀ ସୁପରିଟେଣ୍ଡେଣ୍ଟକୁ ୨୫ କ୍ଵିଣ୍ଟାଲ ମହୁଲ ଫୁଲ ଯାହା ୫୦ ଗୋଟି ବ୍ୟାଗରେ ଜବତ କରିଥିବା ଦର୍ଶାଇ ନିଲାମ ପାଇଁ ଅନୁମତି ମାଗିଥିବା ଜଣାଯାଇଛି । ହେଲେ ଅବକାରୀ ଅଧିକାରୀ ଚଂଚକତା କରି ଏକ ଜିମା ନାମା ପ୍ରସ୍ତୁତ କରି ଘଟଣାକୁ ଭିନ୍ନ ରୂପ ଦେବା ପାଇଁ ପ୍ରୟାସ କରିଥିବା ବେଳେ ଜିମା ନାମକୁ ନେଇ ବଲାଙ୍ଗିର ଅବକାରୀ ଅଧିକ୍ଷକ ନାରାୟଣ ମେହେର ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଜିମା ନାମାରେ ଅଖିଲ ଚନ୍ଦ୍ର ସାହୁ ନାମ ରହିଥିବା ବେଳେ ଠିକଣା ଲୋହାରଡଗା ଜିଲ୍ଲା ରହିଛି । ତେବେ ଓଡିଶାରେ ଏମିତି ଜିଲ୍ଲା ନଥିବା ବେଳେ ଏହି ଜିଲ୍ଲା ବିହାର ରାଜ୍ୟରେ ରହିଥିବାରୁ କେମିତି ବଲାଙ୍ଗିର ଜିଲ୍ଲାରେ ଜବତ ହୋଇଥିବା ମହୁଲ ଫୁଲ ବିହାର ରାଜ୍ୟର ଜଣକୁ ଜିମା ଦେଇଛନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ । ଏବଂ ଜିମା ନାମାରେ ଯେଉଁ ସବୁ ସରକାରୀ ନିୟମ ରହିବା କଥା ସେ ସବୁ କୈାଣସି ନିୟମ ପାଳନ କରିନଥିବାରୁ ଉକ୍ତ ଜିମା ନାମାକୁ ନେଇ ବଲାଙ୍ଗିର ଅବକାରୀ ଅଧିକ୍ଷକ ମଧ୍ୟ ହରଡଘଣାରେ ପଡି ଉକ୍ତ ଜିମା ନାମାକୁ ଚଂଚକତା କରାଯାଇ ତିଆରି କରାଯାଇଥିବା ସୂଚନା ଦେଇଛନ୍ତି । ତେବେ ଆହୁରି ଆଶ୍ଚର୍ଯ୍ୟର ବିଷୟ ଯେ, ଜବତ ମହୁଲ ଫୁଲକୁ ଏକମାସ ମଧ୍ୟରେ ନିଲାମ କରି ସବୋର୍ଚ୍ଚ ମୂଲ୍ୟ ନିଲାମ ନେଇଥିବା ବ୍ୟକ୍ତିଙ୍କୁ ପ୍ରଦାନ କରି ନିଲାମ ରାଶି ସରକାରଙ୍କ ତହବିଲକୁ ଯିବା କଥା । ହେଲେ ବର୍ତମାନ ଯାଏଁ ଜବତ ମହୁଲ ଫୁଲ କେଉଁଠି ଅଛି ତାହା ବି ଜଣାପଡିନାହିଁ । ଅଭିଯୋଗ ହୋଇଛି ବିବିନା ଭାଟି ଉକ୍ତ ମହୁଲଫୁଲକୁ ନିଜ ମଦଭାଟିରେ ବ୍ୟବାହର କରିସାରିଛି । ଗଣମାଧ୍ୟମ ପ୍ରତିନିଧି ମାନେ ବାରମ୍ବାର ଜବତ ମହୁଲ ଫୁଲ କେଉଁଠି ଅଛି ତାହା ଜାଣିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଏହାର ସଠିକ ଏବଂ ସନ୍ତୋଷଜନକ ଉତ୍ତର ମିଳିପାରି ନାହିଁ । ଜିମା ନାମାରେ ଗୋଟିଏ ନାମ ରହିଥିବା ବେଳେ ଅବକାରୀ ଇନ୍ସପେକ୍ଟର ଯୋଶେଫ ୱାଲଟିୟର ନାୟକ ଆଉ ଏକ ନାମ ଓକିଲ ଚାନ୍ଦ ପାଖରେ ଥିବା କହିବା ବିଷୟ ଏବେ ବେଶ ଚର୍ଚ୍ଚାରେ ବିଷୟ ସାଜିବା ସହ ମହୁଲ ଫୂଲକୁ ନେଇ ଅବକାରୀ ବିଭାଗର ଭିତିରି ବୁଝାମଣା ଚାଲିଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ରାଜ୍ୟ ସରକାର କୋଟିକୋଟି ଟଙ୍କା ରାଜସ୍ୱ ପ୍ରତିବର୍ଷ ହରାଉଥିବା ଅଭିଯୋଗ ହୋଇଛିି । ତେବେ ଏହି ଘଟଣାର ତଦନ୍ତ କରାଯିବା ନେଇ ବଲାଙ୍ଗିର ଅବକାରୀ ଅଧିକ୍ଷକ ନାରାୟଣ ମେହେର କହିଛନ୍ତି । ଏବେ ଦେଖିବାକୁ ରହିଲା ଯେ, ଏହି ଘଟଣାର ତଦନ୍ତ ହେଉଛି ନା ପୁଣି ତଦନ୍ତ ନାମରେ ସମୟ ଗଡାଇଚାଲି ଅଧିକାରୀଙ୍କ କଳାକରନାମା ଉପରେ ଘଂଟ ଘୋଡାଉଛନ୍ତି ବାବୁମାନେ ।

Leave A Reply

Your email address will not be published.