jayashree

ଟିଟିଲାଗଡ ସହରରେ ଯୁବ ମଦ୍ୟପଙ୍କ ଦୌରାତ୍ମ୍ୟ ବୃଦ୍ଧି : ଯୁବପିଢ଼ି ମଦ ପିଇବା ପାଇଁ ଟପୁଛନ୍ତି ସୀମା, ଘଟାଉଛନ୍ତି ଅପରାଧ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ସହରରେ ଯୁବ ପିଢି ନିଶା ସେବନ ଆଡ଼କୁ ଗତି କରୁଛନ୍ତି । ଦିନ ଥିଲା ସନ୍ଧ୍ୟା ହେଲେ ନିଜର ପିଲାମାନଙ୍କୁ ଘରୁ ବାହାରକୁ ଛାଡ଼ୁ ନ ଥିଲେ ପିତାମାତା । ଯୁଗ ପରିବର୍ତ୍ତନ ହେଲା ଏବେ ଘରୁ ବାହାରକୁ ସନ୍ଧ୍ୟାରେ ବୁଲି ଯିବା ଏବେ ଫେଶନରେ ପରିଣତ ହୋଇଗଲାଣି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ପାର୍କ, କେଫେ, ବେକେରି, ଖେଳ ପଡିଆ, ଚା’ ଦୋକାନ ମାନଙ୍କୁ ଆଡ୍ଡା ସ୍ଥଳି ବା ଖଟି ଭାବରେ ଏବେ ଭିଡ ଜମୁଛି । ପାଠପଢା ଛାଡ଼ି ଏବେ ଏହି ଧନ୍ଦାରେ ବ୍ୟସ୍ତ, ଅନ୍ୟପଟେ ବେକାରୀ ବୁଲୁଥିବା ପିଲାଙ୍କୁ ଏହା ଆହୁରି ପସନ୍ଦ । ଖଟିମାନଙ୍କୁ ଯାଇ ଗପସପ ସାଙ୍ଗକୁ ସିଗାରେଟ, ତା’ପରେ ଗଞ୍ଜେଇ ସିଗାରେଟ ଧିରେ ଧିରେ ମଦ ପିଆ ପାର୍ଟି ଆଡ଼କୁ ଗତି କରନ୍ତି । ମଦ ପିଇବା ମଜା ଜାଣିଲା ପରେ ପିଇବା ପାଇଁ ସବୁଦିନ ଟଙ୍କା ଆସିବ କେଉଁଠୁ ? ସେଥିପାଇଁ ଘରୁ, ବାପାଙ୍କ ପର୍ସରୁ ଚୋରି କରିବାକୁ ପଛାଉ ନାହାନ୍ତି, ତା’ସହ ସେଠାକୁ ଯେଉଁ ରୋଜଗାରିଆ ବଡ଼ ବଡ଼ ଲୋକ ବା ବଡ଼ ଭାଇ ତୁଲ୍ୟ ଲୋକଙ୍କ ଭାଇଚାରା ଏମାନଙ୍କୁ ଆଉ ଟିକିଏ ଖୋରାକ ଯୋଗାଇଦିଏ । ଧୀରେ ଧୀରେ ମଦ ପିଇବା ଅଭ୍ୟାସରେ ପରିଣତ ହୋଇ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ, ଝାମେଲା ଭଳି ଘଟଣା ମାନଙ୍କରେ ଏମାନେ ଲିପ୍ତ ରହୁଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

ଆଗ ପରିଶ୍ରମ କରୁଥିବା ଲୋକେ ନିଜର ପୀଡା କମାଇବାକୁ ଏହି ମଦ୍ୟପାନ କରୁଥିଲେ କିନ୍ତୁ ଏବେ ଯେତେ ବେକାରୀ ପାଠୁଆ, ଅପାଠୁଆ ଯୁବକ ଏହାକୁ ତାଙ୍କର ଜୀବନଶୈଳୀ ବୋଲି ଭାବି ଅବାଟକୁ ଚାଲି ଗଲେଣି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଆଗ ଲୋକ ମଦ ପିଇଲେ ଘରକୁ ଯିବାକୁ ଡରୁଥିଲେ, ଏବେ ମଦ ପିଇ ଘରେ ନିଜର ପିତାମାତାଙ୍କୁ ବାଡେଇବା, ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା, ଅଯଥା ଚାଲି ଗଲା ଲୋକଙ୍କୁ ବାଡେଇବା ନଜିର ରହୁଛି । ମଦ ପିଇବା ପାଇଁ ଟଙ୍କା ଯୋଗାଡ ହେଇ ପାରୁ ନ ଥିବାରୁ ରାତି ଅଧରେ ଯିବା ଆସିବା କରୁଥିବା ଲୋକ, କିଛି ରେଳ ବିଭାଗରେ କାର୍ୟ୍ୟରତ କର୍ମଚାରୀଙ୍କୁ ଧମକ ଚମକ କରି ନ ମାନିଲେ ବାଡେଇ ଟଙ୍କା ଲୁଟ କରୁଥିବା ଅଭିଯୋଗ ହେଉଛି ।

ସବୁଠୁ ବଡ଼ ସମସ୍ୟା ହେଲା ସହରର ପ୍ରାୟ ଛୋଟ ବଡ଼ ଅଣ୍ଡା ଫ୍ରାଏ କରୁଥିବା ଦୋକାନୀ କିମ୍ବା ଦୋକାନ କଡ଼ରେ ଦେଶି ବିଦେଶୀ ମଦ ସୁବିଧାରେ ଉପଲବ୍ଧ ହୋଇଯାଉଛି । ସନ୍ଧ୍ୟା ହୋଇଗଲେ ସହରର ସମସ୍ତ ଖେଳ ପଡିଆ, ଅନ୍ଧାରୁଆ ସ୍ଥାନରେ ମଦ ପିଆ ଆସର ଜମୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । କିଛି ଦିନ ତଳେ ପୋଲିସ ଏମିତି ଦୁର୍ଦ୍ଦାନ୍ତ ଅପରାଧୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବାରମ୍ଵାର ପୋଲିସ ପକ୍ଷରୁ ଏମିତି କଡ଼ା ପେଟ୍ରୋଲିଂ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.