କେନ୍ଦୁପତ୍ର ସିଜିନାଲ କର୍ମଚାରୀଙ୍କ ଦରମା ଓ କେନ୍ଦୁପତ୍ର ତୋଳାଳିଙ୍କ ପତ୍ର ଖରିଦ୍‌ର ପଇସା ରଥଯାତ୍ରା ପୂର୍ବରୁ ଦେବାକୁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦୁପତ୍ର ତୋଳାଳିମାନେ ଗତ ୨ ମାସ ହେଲା ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହ କରି ରାଜ୍ୟ କେନ୍ଦୁପତ୍ର ବିଭାଗକୁ ବିକ୍ରି କରିଥିଲେ ମଧ୍ୟ ପଦ୍ମପୁର କେନ୍ଦୁପତ୍ର ଡିଭିଜନର ୫୫ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ଟଙ୍କାଟିଏ ସୁଦ୍ଧା ସରକାର ଦେଇ ନାହାନ୍ତି । କେନ୍ଦୁପତ୍ର ବିକ୍ରିର ୭ଦିନ ଭିତରେ ତୋଳାଳିଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ କରିବା ପାଇଁ ନିଜେ ସରକାର ନିୟମ କରି ଏହାକୁ ଉଲଙ୍ଘନ କରୁଛନ୍ତି ବୋଲି ଆଜି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପାଇକମାଲ ପଶ୍ଚିମ ରେଞ୍ଜ କମିଟୀ ବୈଠକରେ ଉଦବେଗ ପ୍ରକାଶ ପାଇଛି । ମୁନସୀ ଓ ଚପରାସୀ ମାନେ ଗୁଛାକଟା କାର୍ଯ୍ୟରୁ ପତ୍ରତୋଳା, ଫଡି ମରାମତି, ରଚେଇ, ବୁହେଇ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ ମଧ୍ୟ ମୁନସୀ ଚପରାସୀ ମାନଙ୍କ ଦରମା ଦିଆଯାଇ ନଥିବାରୁ ବୈଠକରେ ଉପସ୍ଥିତ ଅନେକ ଚପରାସୀ ଓ ମୁନସୀ ଦୁଃଖ ପ୍ରକାଶ କରିଥିଲେ । ଗତ ତା ୨୧/୬ ଦିନ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପ୍ରତିନିଧି ମଣ୍ଡଳଙ୍କ ସହ ପଦ୍ମପୁର କେନ୍ଦୁପତ୍ର ଡିଏଫଓ ଆଲୋଚନା କରି ୭ ଦିନ ଭିତରେ ମୁନସୀ, ଚପରାସୀ, ପତ୍ର ରଚେଇ, ବୁହେଇ, ଫଡି ମରାମତିର ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିବାରୁ ୭ଦିନ ପର୍ୟ୍ୟନ୍ତ ଅପେକ୍ଷା କରିବା ପାଇଁ ରେଞ୍ଜ କମିଟୀ ନିଷ୍ପତ୍ତି ନେଇଥିଲା । ସଂଘର ବରିଷ୍ଠ ନେତା ଅରମାନ ଖାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରେଞ୍ଜ କମିଟୀର ବୈଠକରେ ପଦ୍ମପୁର ଡିଭିଜନ ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟଅତିଥି ଭାବେ ଓ ହେଡଚେକର ହରିହର ସା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ବଂଶିଧର ସାହୁ, ଉମାକାନ୍ତ ପ୍ରଧାନ, ଅକ୍ଷୟ ପ୍ରଧାନ, ଲୋଚନ ସୁନା, ମନୋହର ଗୌଡ, ଧନସିଂ ନାୟକ, ବିଜୟ ମହାନ୍ତି ଆଦି ନେତା ମାନେ ଆଲୋଚନାରେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.