ରାଜସୁନାଖଳା ମହୋତ୍ସବ ‘କାଉଁରୀ’ ଉଦ୍‌ଯାପିତ

ରାଜସୁନାଖଳା/ରଣପୁର : ଓଡିଶା ସରକାରଙ୍କର ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସହାଭାଗିତାରେ ରାଜସୁନାଖଳା ଡିଆଇଇଟି ମଇଦାନ ଠାରେ ଦୀର୍ଘ ୫ ଦିନ ଧରି ଚାଲିଥିବା ଚତୁର୍ଥ ବାର୍ଷିକ ରାଜସୁନାଖଳା ମହୋତ୍ସବ ‘କାଉଁରୀ’ ଉଦ୍‌ଯାପିତ ହୋଇଯାଇଛି ।

ଏହି ଅବସରରେ ମହୋତ୍ସବ କମିଟି ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ସାଧାରଣ ସମ୍ପାଦକ ତଥା ରାଜସୁନାଖଳା ପଞ୍ଚାୟତ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ ସମ୍ପାଦକୀୟ ପାଠ କରିଥିଲେ । ମହୋତ୍ସବର ସମସ୍ତ ପାଞ୍ଚଟି ସନ୍ଧ୍ୟାରେ ମଞ୍ଚରେ ପ୍ରତି ଅପରାହ୍ନରେ କୁଇଜ ମାଷ୍ଟରଙ୍କ ଦ୍ୱାରା କୁଇଜ ପରିଚାଳନା ପରେ ପରେ ସ୍ଥାନୀୟ ଅଞ୍ଚଳର କଳାକାର ମାନଙ୍କ ଦ୍ୱାରା ପୁରାତନ ଲୋକ କଳା ସଂସ୍କୃତି, ଦଣ୍ଡ ନାଚ, ଓଡିଶୀ ସଂକୀର୍ତନ, ପାଲା, ଦାସକାଠିଆ, ଖଞ୍ଜଣୀ ଭଜନ ପରିବେଷଣ ସାଥୀକୁ ଓଡିଶୀ, ଗୋଟିପୁଅ ନୃତ୍ୟ, ସମ୍ବଲପୁରୀ, ଛଉ ନୃତ୍ୟ ଆଦି କଳାଗୁଡିକର ପରିବେଷଣ ମହୋତ୍ସବର ପ୍ରଦର୍ଶନୀ ମଣ୍ଡପରେ ଦେଖିବାକୁ ମିଳିଥିଲା ।

ଉଦ୍‌ଯାପନୀ ସନ୍ଧ୍ୟାରେ ବିଶିଷ୍ଟ ଗାୟିକା ଇରା ମହାନ୍ତି ଯୋଗ ଦେଇଥିଲେ । କୃତି ପ୍ରତିଭା ଅନ୍ୱେଷଣ ଉଦ୍ଦେଶ୍ୟରେ ବିଭିନ୍ନ ସଫଳ ପ୍ରତିଭା ମାନଙ୍କୁ ମହୋତ୍ସବ ପକ୍ଷରୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ତେବେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି, ସମାଜସେବୀ, ବୁଦ୍ଧିଜୀବୀ ତଥା ଜନସାଧାରଣ ମାନଙ୍କର ସହଯୋଗ ସହିତ ରାଜସୁନାଖଳା ମହୋତ୍ସବ କମିଟି ସ୍ଥାନୀୟ ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି ପାଇଁ ଚଳିତ ମହୋତ୍ସବ ସଫଳତାର ସହ ଅନୁଷ୍ଠିତ ହୋଇପାରିଛି ।

ଉଦ୍‌ଯାପନୀ ସଂନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହୀ ଯୋଗଦେଇଥିଲା ବେଳେ ଆଇନଜୀବୀ ରଞ୍ଜିତ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲାପରିଷଦ ସଭାପତି ଇଂ ଦେବାଶିଷ ପଟନାୟକ, ରଣପୁର ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର, ସମାଜସେବୀ ଶିଶିର କୁମାର ସାହୁ, ମଦନ ମୋହନ ସାହୁ, ଲିଙ୍ଗରାଜ ନାୟକ, ଭଏସ ଆର୍ଟିଷ୍ଟ, ସୁଶ୍ରୀ ସୌଭାଗିନୀ ସାହୁ, ଡ଼ଃ ବୈଦ୍ୟଭୂଷଣ ନନ୍ଦ ପ୍ରମୁଖ ଯୋଗ ଦେଇ ସ୍ମରଣିକା “କାଉଁରୀ “ଉନ୍ମୋଚନ କରିବା ସହିତ ଏଭଳି ଆୟୋଜନକୁ ପ୍ରଶଂସା କରି ରାଜସୁନାଖଳା ଅଞ୍ଚଳର କଳା ସଂସ୍କୃତି ଓ ଐତିହ୍ୟର ଗୌରବ ଅଧ୍ୟାୟ ଏବଂ ବିକାଶ ଦିଗରେ ଏହା ସହାୟକ ହେବ ବୋଲି ଅତିଥିମାନେ କହିଛନ୍ତି । ଏହି ମହୋତ୍ସବରେ ଉପସ୍ଥାପକ ଭାବେ ପ୍ରଦୀପ ରଣା, ଜୟେନ୍ଦ୍ର ବେହେରା, ବନାନୀ ସାହୁ ଗଣମାଧ୍ୟମ ସଂଯୋଜକ ରୂପେ ସାମ୍ବାଦିକ ରାଜେନ୍ଦ୍ର କୁମାର ସାହୁ ପାଞ୍ଚ ଦିନ ଧରି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଖବର ପ୍ରସାରଣ ନିମିତ୍ତ ସୂଚନା ଓ ସହଯୋଗ କରିଥିଲେ ।

Leave A Reply

Your email address will not be published.