jayashree

ବରଗଡ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍‌ କ୍ରିକେଟ ଚାମ୍ପିୟାନସିପ ଉଦ୍‌ଯାପିତ

  • ୦୫ ଉଇକେଟରେ ପାଇକମାଳକୁ ପରାସ୍ତ କରି ଭଟଲି ଦଳ ଚାମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଦ୍ୟାଳୟ କ୍ରୀଡା ସଂଘ ଓ ପାଇକମାଲ ବ୍ଲକ ବିଦ୍ୟାଳୟ କ୍ରୀଡା ସଂଘ ଆନୁକୂଲ୍ୟରେ ବରଗଡ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍‌ କ୍ରିକେଟ ଚାମ୍ପିୟାନସିପ ଉଦ୍‌ଯାପିତ ହୋଇଯାଇଛି । ଲିଗ୍‌ ପଯ୍ୟାୟରୁ ସବୁ ମ୍ୟାଚ୍‌ ଗୁଡିକ ଛିନ୍ଦେଇକେଲା ଚନ୍ଦ୍ରଶେଖର ଷ୍ଟାଡିୟମ ଓ ଡୁଡୁକିଝରିଆ ପଡିଆରେ ୦୨ ରୁ ୦୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ବେଳେ ଫାଇନାଲ ମ୍ୟାଚ ଭଟଲି ବ୍ଲକ ଓ ପାଇକମାଲ ବ୍ଲକ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚ ପୂର୍ବରୁ ଟସ ଜିଣି ଭଟଲି ଦଳ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ପାଇକମାଳ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପାଇକମାଲ ଦଳ ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୮ ୱିକେଟ ବିନିମୟରେ ୧୧୭ ରନ ସଂଗ୍ରହ କରିଥିଲା । ଲକ୍ଷ୍ୟକୁ ପିଛା କରି ଭଟଲି ଦଳ ୧୫ ଓଭରରେ ୦୫ ୱିକେଟ ବିନିମୟରେ ୧୨୧ ରନ ସଂଗ୍ରହ କରି ଚାମ୍ପିୟାନ ହୋଇଥିଲା । ଭଟଲି ଟିମ୍‌ରୁ ପ୍ରଜ୍ଞାନ ପ୍ରୟାସ ପଟେଲ ଫାଇନାଲ ମ୍ୟାଚ୍‌ରେ ବ୍ୟକ୍ତିଗତ ୫୪ ରନ ସଂଗ୍ରହ ସହ ୦୨ ଟି ଉଇକେଟ ନେଇ ପ୍ଲେୟାର ଅଫ ଦି ମ୍ୟାଚ୍‌ ଓ ପ୍ଲେୟାର ଅଫ ଦି ଟୁର୍ନାମେଣ୍ଟ ବିବେଚିତ ହୋଇ ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ଉଦ୍‌ଯାପନୀ ତଥା ପୁରସ୍କାର ବିତରଣ ଉତ୍ସବରେ ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ସଭାପତିତ୍ୱ କରିଥିବା ବେଳେ ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥିଭାବେ ଜିଲ୍ଲାପରିଷଦ ସଦସ୍ୟ ତ୍ରିପୁରା ବରିହା, ସୁରେନ୍ଦ୍ର ପ୍ରତାପ ସିଂ ବରିହା, ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ସାହୁ, ସରୋଜ କୁମାର ଭୁଏ, ଭାବନା ସାହୁ, ମିଶ୍ରାଣୀ କୁମ୍ଭାର, ମଛିନ୍ଦ୍ର ମଲିକ, ମୁକୁନ୍ଦ ମହାରା, ଅମୃତା ସାହୁ, ଚୁଡାମଣୀ ବାରିକ, ଜର୍ଜ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶାଶ୍ୱତୀ ଦାସ, ବରଗଡ ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତି ସୁନା, ମାଣ୍ଡୋସିଲି ସରପଞ୍ଚ ଓମ ପ୍ରକାଶ ନାୟକ, ଛିନ୍ଦେଇକେଲା ସରପଞ୍ଚ ସୁବାସିନୀ ନନ୍ଦ ପ୍ରମୁଖ ଯୋଗଦାନ କରି ଚାମ୍ପିୟାନଦଳ ଭଟଲି ଟିମ୍‌ ଓ ରନର୍ସ ଅପ ପାଇକମାଲ ଟିମ୍‌କୁ ପୁରସ୍କୃତ କରିଥିଲେ ଏବଂ ରାଜ୍ୟସ୍ତରୀୟ ଚାମ୍ପିୟାନ ପାଇଁ ଶୁଭେଚ୍ଛା ଜଣେଇଥିଲେ । ଏହି ଅବସରରେ ବିଶେଷ ସହଯୋଗ କରିଥିବା ସ୍ଥାନୀୟ ରାଇଜିଂ କ୍ରିକେଟ କ୍ଳବକୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଯୁକ୍ତ ଦୁଇ ଛାତ୍ର ସତ୍ୟ ରଣା ନିଜ ହାତରେ ଆଙ୍କିଥିବା ସାଂସଦଙ୍କ ଫୋଟୋ ଚିତ୍ର ସାଂସଦ ମହୋଦୟଙ୍କୁ ପ୍ରଦାନ କରିଥିଲେ । ଦର୍ଶକଙ୍କ ମନୋରଞ୍ଜନ ପାଇଁ ବୋଧନ ସାଂସ୍କୃତିକ ଅନୁଷ୍ଠାନ ତୋରା ବରଗଡର କଳାକାର ଗଣନୃତ୍ୟ ଗୀତ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପରିଶେଷରେ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବାରିକ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ଛିନ୍ଦେଇକେଲା ଗ୍ରାମବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.