ଓଡ଼ିଶାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ଥିବା ବଲାଙ୍ଗିର ଜିଲ୍ଲାର ଜେଇଇ ଓ ଏନ୍‌ଇଇଟି ପରୀକ୍ଷାର୍ଥୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଜେଇଇ ଓ ଏନ୍‌ଇଇଟି ପରୀକ୍ଷାର୍ଥୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବହନ ବ୍ୟବସ୍ଥା କରାଯାଇଛି । ପରୀକ୍ଷାର୍ଥୀମାନେ କିଭଳି ସୁବିଧାରେ ନିଜର ପରୀକ୍ଷା କେନ୍ଦ୍ରକୁ ଯାଇ ପାରିବେ ସେଥିପାଇଁ ପରିବହନ ବ୍ୟବସ୍ଥା କରାଯାଇଛି । ସେପ୍ଟେମ୍ବର ୧, ୨ ଓ ୩ ତାରିଖରେ ପରୀକ୍ଷା ଥିବା ବଲାଙ୍ଗିର ଜିଲ୍ଲାର ପରୀକ୍ଷାର୍ଥୀମାନେ ୩୦ ଅଗଷ୍ଟ ଅର୍ଥାତ୍‌ ଆସନ୍ତା କାଲି ସକାଳ ୯ ଘଟିକା ସୁଦ୍ଧା ବଲାଙ୍ଗିର ଲର୍କିପାଲି ସ୍ଥିତ ସରକାରୀ ଆଇଟିଆଇ ଠାରେ ରିପୋର୍ଟ କରିବା ପାଇଁ ଅନୁରୋଧ କରାଯାଇଛି । ସେହିପରି ସେପ୍ଟେମ୍ବର ୪, ୫ ଓ ୬ ତାରିଖରେ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନେ ସେପ୍ଟେମ୍ବର ୩ ତାରିଖ ସକାଳ ୯ଟା ସୁଦ୍ଧା ସରକାରୀ ଆଇଟିଆଇରେ ରିପୋର୍ଟ କରିବା ପାଇଁ ଅନୁରୋଧ କରାଯାଇଛି । ପରୀକ୍ଷାର୍ଥୀଙ୍କ ସହ ଜଣେ ଅବିଭାବକ ଯାଇ ପାରିବେ ଏବଂ ମହିଳା ପରୀକ୍ଷାର୍ଥୀଙ୍କ ସହ ଜଣେ ଅବିଭାବକ ସାଙ୍ଗରେ ଯିବା ଜରୁରୀ ଅଟେ । ସରକାରୀ ଆଇଟିଆଇରେ ରିପୋର୍ଟ ସମୟରେ ପରୀକ୍ଷାର୍ଥୀ ତଥା ଅବିଭାବକମାନେ ନିଜର ପରିଚୟପତ୍ର ଦେଖାଇବା ଆବଶ୍ୟକ ଅଟେ । ସାଂପ୍ରତିକ କରୋନା ମହାମାରୀ ସମୟରେ ସମସ୍ତ ପ୍ରକାରର ସୁରକ୍ଷା କରିବା ଯଥା ହାତ ସେନିଟାଇଜ୍‌ କରିବା, ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ କୋଭିଡ-୧୯ ନିୟମାବଳିକୁ ମାନିବା ପାଇଁ ପରୀକ୍ଷାର୍ଥୀ ଓ ଅବିଭାବକମାନଙ୍କୁ ଅନୁରୋଧ କରାଯାଇଛି । ପରୀକ୍ଷାର୍ଥୀ କିମ୍ବା ଅବିଭାବକମାନେ ଏ ସଂପର୍କରେ ଜିଲ୍ଲା ନୋଡ଼ାଲ ଅଫିସର୍‌ ତଥା ସରକାରୀ ଆଇଟିଆଇର ଅଧ୍ୟକ୍ଷ ୯୯୩୭୮୭୧୬୨୧ / ୯୯୩୭୬୪୯୨୫୩ ଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ ।

Leave A Reply

Your email address will not be published.