centurian jitm

କାଳାନ୍ତର କାବ୍ୟପୁରୁଷ ସଚ୍ଚି ରାଉତରାୟଙ୍କ ଜୟନ୍ତୀ ପାଳିତ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କାଳାନ୍ତର କାବ୍ୟପୁରୁଷ ସଚ୍ଚି ରାଉତରାୟଙ୍କ ଜୟନ୍ତୀ କଲଚରାଲ ଏକାଡେମୀଠାରେ ପାଳିତ ହୋଇଯାଇଛି । ମଂଚର ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ମୁଖ୍ୟଅତିଥି ତଥା ଅଧ୍ୟାପିକା ବିଜୟିନୀ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ କବିଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଚାଟାର୍ଜୀ ସଚ୍ଚି ରାଉତରାୟଙ୍କ ଗଳ୍ପ, ଉପନ୍ୟାସ, ନାଟକ ଏବଂ ପ୍ରବନ୍ଧ ଉପରେ ଆଲୋଚନା କରି କବିଙ୍କର ହେତୁବାଦୀ ଜୀବନାଦର୍ଶନ ଏବଂ ମାର୍କସୀୟ ଚିନ୍ତାଧାରା କିପରି ତାଙ୍କ ସୃଷ୍ଟି ସମ୍ଭାରକୁ ଆଧୁନିକ ଓ ପ୍ରଗତିଶୀଳ କରି ପାରିଥିଲା, ସେ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଶ୍ରୀମତୀ ଦାଶ କବିଙ୍କ ଦୀର୍ଘ ପଚାଶ ବର୍ଷର କାବ୍ୟ ସାଧନରେ ଯୁଦ୍ଧୋତ୍ତର ପୃଥିବୀ ଏବଂ ଭାରତବର୍ଷର ଔପନିବେଶିକ ଶାସନଠାରୁ ସ୍ୱାଧୀନୋତ୍ତର ଭାରତବର୍ଷର ଦୈନ୍ୟ, ଦୁଃଖ, ଦୁର୍ଦ୍ଦଶା ଏବଂ ସାଧାରଣ ମଣିଷର ଜୀବନ ଯନ୍ତ୍ରଣା କିପରି ତାଙ୍କ ସାମଗ୍ରିକ କୃତିରେ ପ୍ରତିଫଳିତ ହୋଇଛି, ସେ ସଂପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ସଂପାଦକ ଶ୍ରୀ ମହାପାତ୍ର କବିଙ୍କ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ସାମଗ୍ରୀକ ଜୀବନ ଓ ଜୀବନର ସଫଳତା ବିଫଳତା ତଥା କାବ୍ୟ ଯାତ୍ରା ସଂପର୍କରେ ଆଲୋଚନା କରିଥିଲେ । ଏହାସହ ଦିବଙ୍ଗତ ନାଟ୍ୟକାର ଓ ନିର୍ଦ୍ଦେଶକ ସଂଗ୍ରାମ ପତି ଏବଂ ପ୍ରାକ୍ତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଯୁବକବି ଅଶୋକ ରାଉତ ସଂଯୋଜନା କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟୟରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ସର୍ବଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ପ୍ରତାପ ପଣ୍ଡା, ଡା କୃପାସିନ୍ଧୁ ନାୟକ, ଅଶୋକ ପଟ୍ଟନାୟକ, ତ୍ରିନାଥ ସିଂହ, ପ୍ରଣତୀ ବେହେରା, କାଶୀନାଥ ନନ୍ଦୀ, ତ୍ରିଲୋଚନ ସ୍ବାଇଁ, ଧୋବେଇ ବେହେରା, ଶୁପ୍ତି କର, କନକଲତା ମିଶ୍ର, ବବିତା ମହାଳିକ, ଅଭିରାମ ପ୍ରଧାନ, ଗୌତମ ଦାସ, ବସନ୍ତ ବିଶ୍ବକର୍ମା, ସଂଜୀବ କୁମାର ଭୋଇ, ବିଭୁ ନାୟକ, ରଶ୍ମି ସାହୁ, ଅର୍ଚ୍ଚନା ପାତ୍ର ଓ ଆଲୋକ ବୋଷ ପ୍ରମୁଖ ପ୍ରଗତିଶୀଳ କବିତା ପାଠ କରିଥିଲେ । ସଭାପତିତ୍ୱ ଅଭିଭାଷଣ ସହ ସଭାପତି ଶ୍ରୀ ପତି ସମଗ୍ର ସ୍ମୃତି ସଂଧ୍ୟାର ଆଲୋଚନାକୁ ସମୀକ୍ଷା ପୂର୍ବକ ଏକ ଐତିହନିଷ୍ଠ ଭାଷାର ପ୍ରାଣ ପ୍ରବାହକୁ କବି କିପରି ଏକ ମହା ପ୍ରବାହରେ ପରିଣତ କରି ଜଣେ କାଳାନ୍ତର କାବ୍ୟପୁରୁଷ ରୂପେ ନିଜକୁ ଗଢିତୋଳିଥିଲେ ଏବଂ ଓଡିଆ ସାହିତ୍ୟକୁ ବିଶ୍ବ ସାହିତ୍ୟର ମର୍ଯ୍ୟାଦା ପ୍ରଦାନ କରିବା ସଂଗେ ସଂଗେ ପଠିତ ସମସ୍ତ କବିତାର ସମୀକ୍ଷା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅକ୍ଷୟ ସାମଲ, ପ୍ରଫୁଲ୍ଲ ସାମଲ, କୁଂଜବିହାରୀ ରାଉତ, ଗଗନ ବିହାରୀ ଧଳ, ବଳରାମ ରାଉଳ, କାଶୀନାଥ ପାତ୍ର, ଦେବେନ୍ଦ୍ର ଚୌଧୁରୀ, ଗଙ୍ଗାଧର ପୁହାଣ, କେଦାରନାଥ ପ୍ରଧାନ, ରମେଶ ପାତ୍ର, ବିଜୟ କୁମାର ମିଶ୍ର, ଶ୍ରୀଧର ସୁନା, ଦେବାଶିଷ ଦାଶ, ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଂଯୋଜକ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.