
ଭୂବନେଶ୍ୱର : ଅସହ୍ୟ ଗୁଳୁଗୁଳିରୁ ମିଳିବ ତ୍ରାହି । ଆସନ୍ତା ଦୁଇ ତିନି ଘଣ୍ଟା ଭିତରେ ୮ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ଓ ପବନ ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଆଗାମୀ ଦୁଇରୁ ତିନି ଘଣ୍ଟା ମଧ୍ୟରେ କୋରାପୁଟ, ମୟୂରଭଞ୍ଜ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ଗଞ୍ଜାମ, ଗଜପତି ଏବଂ ବୌଦ୍ଧର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି । ପବନ ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିମି ରହିପାରେ । ତେବେ ଏହି ସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଏହାର ପ୍ରଭାବରେ ଦୁର୍ବଳ ନିର୍ମାଣ, ପନିପରିବା ଚାଷ ଆଦି ବିଶେଷ ଭାବେ ପ୍ରଭାବିତ ହୋଇପାରେ । ଠିଆ ଫସଲ ମଧ୍ୟ କେତେକାଂଶରେ କ୍ଷତିଗ୍ରସ୍ତ ହୋଇପାରେ । ପରିସ୍ଥିତି ଖରାପ ହେବାକୁ ନେଇ ଲୋକଙ୍କୁ ପାଗ ଉପରେ ନଜର ରଖିବାକୁ ଏବଂ ସେହି ଅନୁସାରେ ସୁରକ୍ଷିତ ସ୍ଥାନକୁ ଯିବାକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ରାଜ୍ୟରେ ବର୍ତ୍ତମାନ ଗରମ ଓ ଗୁଳୁଗୁଳି ଜାରି ରହିଛି । କିନ୍ତୁ ରାଜ୍ୟର ଅନେକ ସ୍ଥାନରେ ଘଡଘଡି ସହ ବର୍ଷା ପବନ ହେବାର ସମ୍ଭାବନା ଥିବାରୁ ଗରମ ଓ ଗୁଳିଗୁଳିରୁ ତ୍ରାହି ମିଳିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।