କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ୧୦୭ତମ ଜନ୍ମ ଜୟନ୍ତୀ ପାଳିତ

  • ଜିଲ୍ଲାରେ ସାମୂହିକ ବିକାଶ ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ କୃଷ୍ଣଚନ୍ଦ୍ର ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସାମୂହିକ ବିକାଶର ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ଜନପ୍ରିୟ କୃଷ୍ଣଚନ୍ଦ୍ର ପଣ୍ଡା । ସେ ସମୟରେ ଜନ ସମାଜର ପ୍ରକୃତ ଆବଶ୍ୟକତା ପୂରଣ ପାଇଁ ଯେଉଁ ଦାୟିତ୍ୱବୋଧ ଆବଶ୍ୟକ, ସେହି ଦାୟିତ୍ୱବୋଧର ସମର୍ଥ କର୍ମଯୋଗୀ ଥିଲେ । ବଲାଙ୍ଗିର ଜିଲ୍ଲାରେ ସାମାଜିକ ସଂଗଠନ ଓ ସାମାଜିକ ବିକାଶ ଦିଗରେ ତାଙ୍କର ଅବଦାନ ଥିଲା ଅନନ୍ୟ । ନିଜ ଅକ୍ଳାନ୍ତ ଉଦ୍ୟମ ଦ୍ୱାରା ବହୁ ଅନୁଷ୍ଠାନ ତିଆରିବା ସହ ଅଂଚଳର ଶିକ୍ଷାର ବିକାଶ ପାଇଁ ମୂଳଦୁଆ ଦେଇଥିଲେ । ଅତି ସାଧାରଣ ଲୋକଙ୍କର ସୁଖଦୁଃଖର ସାହା ଭରସା କର୍ମମୟ ଜୀବନ, ଆମକୁ ପ୍ରେରିତ କରୁ ଓ ଏହି ଜୟନ୍ତୀ ଆମକୁ ସେହି ସାମର୍ଥ୍ୟ ଦେଉ ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ୧୦୭ତମ ଜନ୍ମ ଜୟନ୍ତୀ ଅବସରରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ବଲାଙ୍ଗିର ଆକାଶବାଣୀର ଅବସରପ୍ରାପ୍ତ କେନ୍ଦ୍ର ନିର୍ଦ୍ଦେଶକ କବି ଭାଗିରଥି ମିଶ୍ର ସ୍ମୃତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କୃଷ୍ଣଚନ୍ଦ୍ର ପଣ୍ଡା ସ୍ମୃତି କମିଟି ଓ ଜିଲ୍ଲା ସାମ୍ବାଦିକ ସଂଘ, ବଲାଙ୍ଗିରର ମିଳିତ ଆୟୋଜନରେ ଆୟୋଜିତ ଏହି ଜୟନ୍ତୀରେ ‘କୋଶଳ ପ୍ରବାହ’ର ସଂପାଦକ କବି ଆନନ୍ଦ ଚନ୍ଦ୍ର ସାହୁ ସଭା ପରିଚାଳନା କରିଥିବା ବେଳେ ସନ୍ଦୀପ କୁଅଁର ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମ୍ବାଦିକ ସଂଘର ପୂର୍ବତନ ସଭାପତି ହରିନାରାୟଣ ପୂଜାରୀ, ସଂଗଠନ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର, ଗୋପବନ୍ଧୁ ଶତପଥି, ନବୀନ ପଶାୟତ, ସୁଧୀର ପଣ୍ଡା, ଚନ୍ଦ୍ରଚୂଡ ପଣ୍ଡା, ସୁବାଷ ଚନ୍ଦ୍ର ପଣ୍ଡା, ଚେତନାନନ୍ଦ ପଣ୍ଡା ଓ ଡାକ୍ତର ପଞ୍ଚଜନ୍ୟ ପଣ୍ଡା, ଗୁପ୍ତେଶ୍ୱର ପୃଷ୍ଟି, ନିରୋଜ ମିଶ୍ର, ଚିତ୍ତରଞନ ମିଶ୍ର, ବିଶ୍ୱଜିତ ପଟ୍ଟନାୟକ, ସୁବ୍ରତ ନାୟକ, ସୁନୀଲ ବେହେରା, ପ୍ରତାପ ଚନ୍ଦ୍ର ରଥ, ପଦ୍ମଚରଣ ଆଚାର୍ଯ୍ୟ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ସହ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ । ଶେଷରେ ସଂଗଠନ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!