ଏକ ଭାରତ ଶ୍ରେଷ୍ଠ ଭାରତ ଶୀର୍ଷକ ୱେବିନାର

ନୂଆଦିଲ୍ଲୀ, (ପିଆଇବି) : ଓଡିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ପ୍ରଚଳିତ କଳା, ସଂସ୍କୃତି,ସାହିତ୍ୟ ଓ ପରମ୍ପରା ସମ୍ପର୍କରେ ଉଭୟ ରାଜ୍ୟ ମଧ୍ୟରେ ଭାବର ଆଦାନ ପ୍ରଦାନ ପାଇଁ ସହମତି ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ଆଞ୍ଚଳିକ ଜନସମ୍ପର୍କ କାର୍ୟ୍ୟାଳୟ, ଭୁବନେଶ୍ବର ପକ୍ଷରୁ ଅନୁଷ୍ଠିତ ଏକ ଭାରତ ଶ୍ରେଷ୍ଠ ଭାରତ ସମ୍ବନ୍ଧୀୟ ୱେବିନାରରେ ମହାରାଷ୍ଟ୍ର ସରକାରଙ୍କ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ରବି ଚାବରେ ଯୋଗ ଦେଇ ମହାରାଷ୍ଟ୍ରର ସାଂସ୍କୃତିକ ମୂଲ୍ୟବୋଧ, ଲୋକ କଳା, ପର୍ୟ୍ୟଟନ, ପର୍ବପର୍ବାଣି ଉପରେ ଆଲୋକପାତ କରିଛନ୍ତି। ମୁମ୍ବାଇ ବିଶ୍ଵ ବିଦ୍ୟାଳୟର ଇତିହାସ ବିଭାଗର ପ୍ରଧ୍ୟାପକ ଡା. ସନ୍ଦେଶ ୱାଗ ଏଥିରେ ଯୋଗଦେଇ ମରାଠି ଖାଦ୍ୟପେୟ, ପୋଷାକ, ଚାଲି ଚଳଣି, ପର୍ୟ୍ୟଟନ ଏବଂ ଅନେକ କ୍ଷେତ୍ରରେ ଓଡିଶା ସହ ସମାନତା ବଜାୟ ରହିଛି ବୋଲି ମତବ୍ୟକ୍ତ କରିଥିଲେ। ୱେବିନାରରେ ମହାରାଷ୍ଟ୍ର ଟାଇମସ ଡିଜିଟାଲ ସଂସ୍କରଣର ସମ୍ପାଦକ ଶ୍ରୀ ହରିଶ ଶେଖ ମରାଠି ସାହିତ୍ୟ କଳା, ଏବଂ ସଂସ୍କୃତି ଉପରେ ତଥ୍ୟ ପ୍ରଦାନ କରି କହିଛନ୍ତି ଉଭୟ ରାଜ୍ୟ ମଧ୍ୟରେ ଏସବୁ କ୍ଷେତ୍ରରେ ଭାବ ଆଦାନ ପ୍ରଦାନ ଦ୍ଵାରା ଉଭୟ ରାଜ୍ୟର ସଂସ୍କୃତି ଏବଂ ବନ୍ଧୁତ୍ଵ ଋଦ୍ଧିମନ୍ତ ହେବ । ଏଥି ସହ ସେ ମହାରାଷ୍ଟ୍ରର ପୁରାତନ ଖ୍ୟାତନାମା କବି ରାମ ଗଣେଶ ଗଡକରୀଙ୍କୁ ବ୍ୟଖା କରି କହିଥିଲେ ଯେ ମହାରାଷ୍ଟ୍ର ଲୋକମାନେ ସରଳ, ସାହସୀ ଏବଂ ସଂବେଦନଶୀଳ । ଏହି କାର୍ୟ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ପୂର୍ବତନ ସହାୟକ କମିଶନର ଡ. ଡି. ଓଝା ଓଡିଶାର ବିଭିନ୍ନ ପର୍ବ ପର୍ବାଣି, ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଉଲ୍ଲେଖ କରିଥିବା ବେଳେ ଗବେଷିକା ତଥା ଲେଖିକା ଡ. ଅନିତା ସାବତ ବାନ୍ଧ କଳା ସମ୍ପର୍କରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଓଡିଶାର ସୌରା ଚିତ୍ର ସହ ମହାରାଷ୍ଟ୍ରର ୱୋର୍ଲି ଚିତ୍ର ମଧ୍ୟରେ ଥିବା ସମାନତା ଉପରେ ଆଲୋକପାତ କରିଥିଲେ। ଓଡିଶା ତଥା ବିହାର ପ୍ରାନ୍ତର ଅତିରିକ୍ତ ମହାନିର୍ଦେଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟ କହିଛନ୍ତି ଏହିଭଳି ୱେବିନାର କାର୍ୟ୍ୟକ୍ରମ ଦ୍ଵାରା ଉଭୟ ରାଜ୍ୟର କଳା ସଂସ୍କୃତି ଅଧିକ ସୁଦୃଢ ହେବା ସହ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମହତ୍ଵାକାଂକ୍ଷୀ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ୟ୍ୟକ୍ରମର ସଫଳ ରୂପାଯନ ହୋଇପାରିବ। ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ଜନସମ୍ପର୍କ କାର୍ୟ୍ୟଳୟର ନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ଓଡିଶା,ପଞ୍ଜାବ ଓ ମହାରାଷ୍ଟ୍ରର ସାହିତ୍ୟ ସମ୍ପର୍କରେ ତୁଳନାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ। ଏହି କାର୍ୟ୍ୟକ୍ରମରେ ମହାରାଷ୍ଟ୍ର ଏବଂ ଓଡିଶାର ବିଭିନ୍ନ କ୍ଷେତ୍ରର ଲୋକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Leave A Reply

Your email address will not be published.