
ପାଟଣା : ବିହାର ରୋହତସ ଜିଲ୍ଲାର ଦରିଗାଁ ଥାନା ଅଞ୍ଚଳରେ ରବିବାର ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଝିଅର ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତ ୧୨ ବର୍ଷର ନାବାଳିକାକୁ ସେହି ଗାଁର କିଛି ଯୁବକ ଗଣଦୁଷ୍କର୍ମ କରିଛନ୍ତି ବୋଲି । ମିଳିଥିବା ସୂଚନା ଅନୁସାରେ ନାବାଳିକାଙ୍କ ପଡୋଶୀରେ ରହୁଥିବା ଯୁବକ ଗୋଲୁ, ଶନିବାର ରାତିରେ ନାବାଳିକାକୁ ତାଙ୍କ ଘରୁ ଉଠାଇ ଆଣିଥିଲା । ପରେ ତାର ଆଉ ୩ ଜଣ ସାଙ୍ଗଙ୍କ ସହ ମିଶି ଏକ ନିଛାଟିଆ ସ୍ଥାନରେ ରଖି ଦୁଷ୍କର୍ମ କରିଥିଲେ । ତେବେ କୌଣସି ମତେ ପୀଡିତାଜଣକ ଘରେ ପହଞ୍ଚି ଘଟଣା ବାବଦରେ କହିଥିଲେ । ଅଭିଯୁକ୍ତମାନେ ଥାନାରେ ଅଭିଯୋଗ କଲେ ଗୁଲି ମାରି ଉଡେଇ ଦେବାକୁ ଧମକ ଦେଇଛନ୍ତି । ଏହାକୁ ନେଇ ଗାଁର କିଛି ଲୋକ ପଞ୍ଚାୟତ କରିବା ପାଇଁ ଉଦ୍ୟମ କରିଥିଲେ । ଏହାରି ମଧ୍ୟରେ ଗାଁରୁ କେହି ଜଣେ ପୋଲିସକୁ ଖବର ଦେଇଦେଇଥିଲେ । ପୋଲିସ ରବିବାର ସକାଳୁ ଗାଁରେ ପହଞ୍ଚି ପୀଡିତା ନାବାଳିକାକୁ ଥାନାକୁ ଆଣିବା ସହ ପରିବାର ଲୋକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କରିଥିଲା । ଥାନାରେ ପୀଡିତାଙ୍କ ବୟାନ ରେକର୍ଡ ପରେ ମାମଲା ରୁଜୁ କରିଥିଲା ପୋଲିସ । ଏହା ସହ ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଘଟଣା ବାବଦରେ ଏସଡିପିଓ ଅରବିନ୍ଦ ପ୍ରତାପ ସିଂହ କହିଛନ୍ତି, ପୀଡିତା ନାବାଳିକାଙ୍କ ବୟାନ ଆଧାରରେ ପକ୍ସୋ ଆଇନ ଆଧାରରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣକୁ ଗିରଫ କରାଯାଇଛି ।