ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଲୋଇସିଂହା, (କେପିଏନ୍‌ଏସ୍‌) : ବୁଧବାର ଭୋର ୪ ଟା ସମୟରେ ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡାଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ବୁର୍ଡା ଗ୍ରାମର ଟିଟୁ ଭୋଇ (୨୫) ଙ୍କ ମୃତ୍ୟୁ ହୋଇଯାଇଛି । ଅନ୍ୟ ଜଣେ ସେହି ଗ୍ରାମର କାଳିଆ ସା(୩୦) ଗୁରୁତର ଅବସ୍ଥାରେ ବଲାଂଗୀର ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି । ଆଜି ଭୋର ସମୟରେ ସ୍ଥାନୀୟ ଦମକଳ ବାହିନୀ କୌଣସି ସୂତ୍ରରୁ ଖବର ପାଇ ବୁର୍ଡା ଛକ ନିକଟରେ ମୁମୂର୍ଷୁ ଅବସ୍ଥାରେ ପଡି ରହିଥିବା ଟିଟୁ ଓ କାଳିଆଙ୍କୁ ଉଦ୍ଧାର କରି ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଟିଟୁ ଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ ବଲାଂଗୀର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । କାଳିଆ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମଧ୍ୟ ବଲାଂଗୀର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସର୍ବଶେଷ ସୂଚନା ମୁତାବକ, ସନ୍ଧ୍ୟାରେ କାଳିଆଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ଟିଟୁ ଙ୍କ ବାପାଙ୍କ ବହୁ ପୂର୍ବରୁ ମୃତ୍ୟୁ ହୋଇ ଯାଇଥିବା ବେଳେ ଏବେ ଏକମାତ୍ର ସନ୍ତାନକୁ ହରାଇ ତାଙ୍କ ପରିବାର ଭାଙ୍ଗି ପଡିଛନ୍ତି । ଶବ ବ୍ୟବଚ୍ଛେଦ ପରେ ଅପରାହ୍ନରେ ଗାଁ ରେ ଟିଟୁଙ୍କ ମୃତଦେହ ପହଂଚିବା ପରେ ଶବ ସତ୍କାର ହୋଇଥିବା ଜଣାଯାଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.