ରୁଗୁଡିଖାଲ ସରକାରୀ ଜମି ଜବରଦଖଲ ଉଚ୍ଛେଦ ହେଉନି

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଂଗିର ଜିଲ୍ଲା ଲୋଇସିଂହା ବ୍ଲକ ବୁଢ଼ୀପଦର ପଞ୍ଚାୟତ ଅଧିନ ରୁଗୁଡିଖାଲ ଠାରେ ସରକାରୀ ଜମି ଜବରଦଖଲ ବୃଦ୍ଧି ପାଇଛି । ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଜବରଦଖଲ ଉଛେଦ ଦିଗରେ ପ୍ରଶାସନ ବିଫଳ ହେଲେ ଆଇନକୁ ହାତକୁ ନେବେ ବୋଲି ଗ୍ରାମବାସୀ ଲୋଇସିଂହା ଥାନା ସମେତ ତହସିଲଦାର ଓ ବଲାଂଗୀର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଚେତାବନୀ ଦେଇଛନ୍ତି ।
ଅଭିଯୋଗ ମତେ, ଲୋଇସିଂହା ତହସିଲ ଅନ୍ତର୍ଗତ ବୁଢ଼ୀପଦର ମୌଜା ରୁଗୁଡିଖାଲର ଖାତା ନଂ-୧୩୦ ର ପ୍ଲଟ ନଂ -୧୦, ୧୧, ୧୩, ୧୮, ୧୯, ୨୦ ଗୁଡିକ ଜାତୀୟ ରାଜପଥ ନଂ-୨୬ ପାର୍ଶ୍ବରେ ରହିଛି । ଏଠାରେ ରାମ ମନ୍ଦିର ସାଙ୍ଗକୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ରହିଥିବା ବେଳେ ସାପ୍ତାହିକ ବଜାର ମଧ୍ୟ ବସିଥାଏ । ତେଣୁ ଏଠାକାର ମୂଲ୍ୟବାନ ସରକାରୀ ଜମି ଉପରେ ଏବେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି । ସରକାରୀ ଜମି ଦଖଲ କରି କେତେକ ବ୍ୟବସାୟ ଆରମ୍ଭ କରି ସାରିଥିବା ବେଳେ ଆଉ କିଛି ଜମିରେ ବ୍ୟବସାୟିକ ଉଦ୍ଦେଶ୍ୟରେ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଛି । ପ୍ରଶାସନିକ ଉଦାସୀନତା ଯୋଗୁଁ ମୂଲ୍ୟବାନ ସରକାରୀ ଜମି ଏବେ କିଛି ମୁଷ୍ଟିମେୟ ଜମି ମାଫିଆଙ୍କ ହାତକୁ ଚାଲି ଯିବାକୁ ବସିଛି । ସ୍ଥାନୀୟ ବାସିନ୍ଦା ଏହାର ପ୍ରତିବାଦ କଲେ ସେମାନଙ୍କୁ ଧମକ ଚମକ ଦିଆଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜବର ଦଖଲ ଉଚ୍ଛେଦ ସକାଶେ ବୁଢ଼ୀପଦର ଗ୍ରାମବାସୀ ସମ୍ବଲପୁର ଆରଡିସି.ଙ୍କ ଠାରୁ ବଲାଂଗୀର ଜିଲ୍ଲାପାଳଙ୍କ ପର୍ୟ୍ୟନ୍ତ ଦ୍ୱାରସ୍ଥ ହୋଇଥିଲେ ହେଁ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ସେମାନେ ନିରାଶ ହୋଇ ପଡ଼ିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ସରକାରୀ ଜମି ଦଖଲ ଯୋଗୁଁ ପଂଚାୟତର ବିଭିନ୍ନ ଉନ୍ନୟନମୂଳକ କାମରେ ବାଧା ସୃଷ୍ଟି ହେଉଥିବା ଜଣାଯାଇଛି । ପ୍ରଶାସନର ନୀରବତା ଯୋଗୁଁ ଜବରଦଖଲ କୁ ନେଇ ବୁଢ଼ୀପଦର ଗ୍ରାମରେ ଦୁଇଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଆଗକୁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଖୁବଶୀଘ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଦାବୀ ହେଉଛି ।

Leave A Reply

Your email address will not be published.