ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ବୃଦ୍ଧା ମା’ ସହିତ ତିନି ଝିଅ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଅନ୍ତର୍ଗତ ବରଡୋଲ ଗ୍ରାମରେ ବସବାସ କରୁଥିବା ଗୋଟେ ପରିବାରରେ ୭୦ ବର୍ଷୀୟ ବୃଦ୍ଧା ମା’ ସହିତ ତିନି ଅବିବାହିତ ଝିଅ ଅତି ଦୟନୀୟ ପରିସ୍ଥିତିରେ ଜୀବନ ବିତାଉଥିବା ନଜରକୁ ଆସିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗନେସି ଦାସ ନିଜର ତିନି ଝିଅ, ଗୋଟେ ପୁଅ, ସ୍ୱାମୀ ସହିତ ହସ ଖୁସିରେ ଜୀବନ ବିତାଉଥିଲେ । କମ୍‌ ରୋଜଗାର କରୁଥିଲେ ମଧ୍ୟ ଜୀବନରେ କେବେ ଭୋକ ଉପାସରେ ଦିନ କାଟିବାକୁ ପଡୁନଥିଲା । ହେଲେ ଦଇବ ଦାଉ ସାଜିଥିଲା ଏ ପରିବାର ଉପରେ । କିଛି ବର୍ଷ ପୂର୍ବରୁ ଏକ ମାତ୍ର ରୋଜଗାରିଆ ପୁଅ ପରଦେଶୀ ଦାସଙ୍କ ମୃତ ଶରୀର ବରଡୋଲ କେନାଲ କଡରେ ମିଳିଥିଲା । ତେବେ କାହିଁକି ଓ କେମିତି ତାଙ୍କ ମୃତ୍ୟୁ ହେଲା ଆଜି ଯାଏଁ କୌଣସି ଖୋଜ ଖବର ମିଳିନଥିବା ବେଳେ ପୁଅକୁ ଖୋଜି ଖୋଜି ବୃଦ୍ଧାବସ୍ଥାରେ ସ୍ୱାମୀଙ୍କ ମଧ୍ୟ ନିଧନ ହୋଇଥିଲା । ତା’ପରଠାରୁ ଗନେସିଙ୍କ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗନେସିକୁ ୭୦ ବର୍ଷ ହୋଇସାରିଥିବା ବେଳେ ଘରେ ରହିଥିବା ତିନି ଝିଅ ହେମା, ଉଷା ଓ ଯମୁନା ସମସ୍ତଙ୍କ ବୟସ ୪୫ ବର୍ଷରୁ ଅଧିକ ହୋଇଯାଇଛି । ପରିବାରରେ କେହି ମୁରବି ନଥିବାରୁ ଝିଅମାନଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇ ପାରିଲା ନାହିଁ । ଏମିତିକାରେ ଅନ୍ୟତ୍ର କୁଲି ମଜୁରୀ କରି ଚଳୁଥିବା ଗନେସିଙ୍କ ପରିବାର ସରକାରୀ ସାହାଯ୍ୟ ଟିକେ ପାଇବା ପାଇଁ ଅନେକ ଥର ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ସୁଦ୍ଧା ତାଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି । ଝିଅ ଉଷା ଦାସ(୪୫)ର ଅବିବାହିତ ପେନସନ ସଙ୍ଗେ ରାସନ କାର୍ଡରେ ତାଙ୍କ ନାମ ଯୋଡିବା ପାଇଁ ଗନେସି ପଞ୍ଚାୟତ ପିଇଓଙ୍କ ସହିତ ସରପଞ୍ଚଙ୍କୁ ଅନେକ ନେହୁରା ହେଉଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାନ୍ତି । ପ୍ରକୃତ ହିତାଧିକାରୀଙ୍କୁ ବାଦ ଦିଆଯାଏ ତା’ହେଲେ ସରକାରୀ ଯୋଜନା କାହା ପାଇଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.