ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ଚଢ଼ାଉ ଓ ଦଣ୍ଡବିଧାନ ଉପରେ ଗୁରୁତ୍ୱ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲାର ଲଘୁ ଖଣିଜର ସୁରକ୍ଷା ସମ୍ପର୍କରେ ଗତ ଡିସେମ୍ବର ମାସ ୨୩ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ରାଜସ୍ୱ ଅଧିକାରୀ ଓ ପୋଲିସ ଅଧିକାରୀଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା, ଯେଉଁ ସଭାରେ କି ଜିଲ୍ଲାରେ ଲଘୁ ଖଣିଜର ସୁରକ୍ଷା ଉପରେ ବିଶଦ ଆଲୋଚନା କରାଯାଇ ଏହାର ସୁରକ୍ଷା ଦିଗରେ ନିରାକରଣ ସ୍ୱରୂପ ବିଭିନ୍ନ ପ୍ରସ୍ତାବମାନ ଗୃହୀତ ହୋଇଥିଲା ।
ପ୍ରସ୍ତାବ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାର କୌଣସି ସ୍ଥାନରେ ଲଘୁ ଖଣିଜ ସମ୍ପଦର ଚୋରା ଚାଲାଣ ପ୍ରଶାସନର ଦୃଷ୍ଟିକୁ ଆସିଲେ ସରକାରଙ୍କ ଦ୍ୱାରା ପ୍ରଣୀତ ଆଇନ ଅନୁସାରେ ଚୋରା ଚାଲାଣରେ ଜଡ଼ିତ ଥିବା ଯାନ, ବାହନ ଉପରେ ତହସିଦାଲର ଟାଙ୍ଗୀ ଓ ତହସିଲଦାର, ଖୋର୍ଦ୍ଧାଙ୍କ ନେତୃତ୍ୱରେ ଗଠିତ ହୋଇଥିବା ସ୍ୱତନ୍ତ୍ର ଦୁଇଗୋଟି ଟିମ ଦ୍ୱାରା ଚଢ଼ାଉ କରାଯାଇ ଉକ୍ତ ଯାନ, ବାହନ ଜବତ କରାଯିବା ସଙ୍ଗେ ସଙ୍ଗେ ଜବତ ହୋଇଥିବା, ଯାନ ବାହନର ମାଲିକଙ୍କ ଉପରେ ପ୍ରମୁଖ ଦଣ୍ଡ ବିଧାନ ସ୍ୱରୂପ ଉକ୍ତ ଯାନ ବାହନର ମାଲିକଙ୍କ ନାମରେ ଏଫଆଇଆର ଦରଜ କରାଯିବା ସଙ୍ଗେ ସଙ୍ଗେ ଛୋଟ ଯାନ ବା ହାଲୁକା ଯାନ ଉପରେ ଅତି କମ୍‌ରେ ପଚାଶ ଟଙ୍କା ଜୋରିମାନା ଓ ବଡ଼ ଯାନ ବା ଭାରୀଯାନ କ୍ଷେତ୍ରରେ ଅତି କମ୍‌ରେ ଏକ ଲକ୍ଷ ଟଙ୍କା ଜୋରିମାନା ଧାର୍ଯ୍ୟ କରାଯାଇ ଜୋରିମାନା ଅର୍ଥ ଆଦାୟ କରାଯିବ । ନିଷ୍ପତ୍ତି ଅନୁଯାୟୀ ଜବତ ଗାଡ଼ି ଗୁଡ଼ିକର ମାଲିକ ମାନଙ୍କର ସବିଶେଷ ତଥ୍ୟ ହାସଲ କରି ସେମାନଙ୍କ ବିରୁଦ୍ଧରେ ସରକାରୀ ସମ୍ପତ୍ତି ଚୋରୀ ଏବଂ ଲୁଟ କରିଥିବାରୁ ଆଇନ ଅନୁଯାୟୀ ଦଣ୍ଡ ବିଧାନ ତଥା ଗାଡ଼ି ଗୁଡ଼ିକର ରେଜିଷ୍ଟ୍ରେସନ ବାତିଲ ଓ ବ୍ୟାଜ୍ୟାପ୍ତି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ଓଏମଏମସି ନିୟମ ଧାରା-୫୧ ଅନୁସାରେ ବେନିୟମ ଭାବେ ସରକାରୀ ଜମିରୁ ଉତ୍ତୋଜିତ ଲଘୁ ଖଣିଜର ପରିମାଣକୁ ମାପି ଉକ୍ତ ଖଣିଜ ସମ୍ପତ୍ତିର ଚୋରି ମୂଲ୍ୟ ବାବଦରେ ବେଆଇନ ଉତ୍ତୋଳନକାରୀଙ୍କଠାରୁ ଧାର୍ଯ୍ୟ ମୂଲ୍ୟ ଆଦାୟ କରାଯିବା ସହିତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦୁଇବର୍ଷ ଜେଲ ଦଣ୍ଡ ଓ ପାଞ୍ଚଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯିବ । ଅଧିକନ୍ତୁ ଜିଲ୍ଲା କୃଷି ଅଧିକାରୀ ଜିଲ୍ଲାର ସମସ୍ତ କୃଷିଜୀବୀଙ୍କ କୃଷିକ୍ଷେତ୍ର ଗସ୍ତ କରି ସେମାନେ ବ୍ୟବହାର କରୁଥିବା ପାୱାର ଟିଲର ମେସିନଗୁଡ଼ିକୁ ପ୍ରତ୍ୟକ୍ଷ ଯାଞ୍ଚ କରି ଏହା ଲଘୁ ଖଣିଜ ସମ୍ପତ୍ତି ଉତ୍ତୋଳନ ପାଇଁ ବ୍ୟବହୃତ କରାଯାଉଛି କି ନାହିଁ, ବିବରଣୀ ପ୍ରଦାନ କରିବେ, ଯାହା ଅନୁସାରେ କି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗୃହୀତ ପ୍ରସ୍ତାବ ଆଧାରରେ ଗତ ୨୦୨୧ ଡିସେମ୍ବର ୨୪ ତାରିଖ ଠାରୁ ଅଦ୍ୟାବଧି ଉକ୍ତ ନିଷ୍ପତ୍ତି ଅନୁଯାୟୀ ତହସିଲଦାରମାନଙ୍କ ଦ୍ୱାରା ୪୦ଗୋଟି ଯାନ ଜବତ ହେବା ସହିତ ସର୍ବମୋଟ ୧୫ଲକ୍ଷ ୪୬ହଜାର ଟଙ୍କା ଅସୁଲ କରାଯାଇ ୧୯ଜଣ ବ୍ୟକ୍ତିବିଶେଷ ଉପରେ ଏଫଆଇଆର ଦରଜ କରାଯାଇଅଛି । ଆଗାମୀ ଦିନରେ ଜିଲ୍ଲାର ରାଜସ୍ୱ ବିଭାଗ, ପୋଲିସ ଏବଂ ଜଙ୍ଗଲ ବିଭାଗଦ୍ୱାରା ମିଳିତ ଭାବରେ ଚଢ଼ାଉ କରାଯାଇ ବେଆଇନ ଲଘୁଖଣିଜ ଉତ୍ତୋଳନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ସତର୍କ ତଥା ସଚେତନ କରାଯାଇଛି ।

Leave A Reply

Your email address will not be published.