ବେଆଇନ ଚାଲାଣ ବେଳେ ଦୁଇଟି ସ୍ଥାନରୁ ୧୭ ଜଣ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବାଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦାଦନ ପ୍ରବଣ ହୋଇଥିବାରୁ ଏ ଅଂଚଳରୁ ହଜାର ହଜାର ଲୋକ ବାହାର ରାଜ୍ୟକୁ ପ୍ରତିବର୍ଷ ଦାଦନ ଶ୍ରମିକ ଭାବେ ଯାଇଥାନ୍ତି । ଏନେଇ କିଛି ଦିନ ତଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ ଅନୁଯାୟୀ ଦେଶାନ୍ତର ହେବାକୁ ଲୋକଙ୍କୁ ସଚେତନ କରାଯାଇଥିବା ବେଳେ ବେଆଇନ ଦାଦନ ଶ୍ରମିକ ଚଲାଣ ଥମିବାର ନାଁ ଧରୁନାହିଁ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ତେଲେଙ୍ଗାନା ରାଜ୍ୟକୁ ବେଆଇନ ଭାବେ ଚାଲାଣ ସମୟରେ ପୃଥକ ପୃଥକ ଦୁଇଟି ସ୍ଥାନରେ ଚଢାଉ କରି ୩ ଶିଶୁ ଏବଂ ୨ ନାବାଳିକା ନାବାଳକ ସମେତ ୧୭ ଜଣ ଦାଦନ ଶ୍ରମିକ ଉଦ୍ଧାର କରିଥିବା ଜଣାପଡିଛି । ଉଦ୍ଧାର ଶ୍ରମିକମାନେ ଗାଇସିଲେଟ୍‌ ଥାନା ଅଂଚଳର ଏବଂ ଖପ୍ରାଖୋଲ ଥାନା ଅନ୍ତର୍ଗତ ଡମ୍‌ନିମାଲ ଗ୍ରାମର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ବେଆଇନ ଭାବେ ଦାଦନ ଶ୍ରମିକଙ୍କୁ ଚାଲାଣ କରୁଥିବା ଦାଦନ ସର୍‌ଦାର ଲରମ୍ଭା ଥାନା ଅନ୍ତର୍ଗତ ଖୁରିପାଣି ଗ୍ରାମର କେଶବ କୁମ୍ଭାର (୨୨), କଙ୍ଗାଲୁ ସାହୁ(୫୦) ଏବଂ ଘୁମେର ଗ୍ରାମର ସ୍ୱାଗତମ ସାହୁଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ସେହିପରି ଲାଠୋର ଥନା ଅନ୍ତର୍ଗତ କରୁଆଁଝର ଗ୍ରାମର ଦାଦନ ସର୍‌ଦାର ଫାଲ୍‌ଗୁନୀ ନିଆଲ(୨୬)ଙ୍କୁ ଡମ୍‌ନିମାଲ ଗ୍ରାମରୁ ବେଆଇନ ଦାଦନ ଶ୍ରମିକ ଚାଲାଣ କରୁଥିବା ଯୋଗୁଁ ପୋଲିସ ଗିରଫ କରିଥିବା ସୂଚନା ରହିଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୨୪୬/୨୦୨୩ ଏବଂ ୨୪୭/୨୦୨୩ରେ ଭାରତୀୟ ପେନାଲକୋର୍ଡ ଧାରା ୩୭୦/୩୭୪/୪୧୭ / ୨୫ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଅଧିନିୟମ ଅନୁଯାୟୀ ଦୁଇଟି ମାମଲା ଋଜୁ କରାଯାଇ ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ବେଆଇନ ଦାଦନ ଚାଲାଣକୁ ନେଇ ପୋଲିସ ତତ୍ପରତା ଦେଖାଉଥିବା ବେଳେ ଶ୍ରମ ବିଭାଗ ହାତ ବାନ୍ଧି ବସିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.