ଭଟଲିରେ ମିନି ଷ୍ଟାଡିୟମ୍ ନିର୍ମାଣ ପାଇଁ କ୍ରୀଡା ମନ୍ତ୍ରୀଙ୍କୁ ଦାବି ଜଣାଇଲେ ଇରାସିସ୍‌ ଆଚାର୍ଯ୍ୟ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ କ୍ରୀଡା କ୍ଷେତ୍ରରେ ବହୁତ ନାମ ରଖିଥିଲା । ଏହି ଅଞ୍ଚଳରୁ ବହୁ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପୂର୍ବକ ରାଜ୍ୟ ସ୍ତରରେ ଭଟଲିର ଛାପ ଛାଡ଼ି ପାରୁଥିଲେ । ମାତ୍ର ତାହା ବର୍ତ୍ତମାନ ପରିସ୍ଥିତିରେ ଆଉ ଦେଖିବାକୁ ମିଳୁନି । ପୂର୍ବେ କିଛି ରୟତି ସୀମାରେ ଖେଳ ପଡିଆ ନିର୍ମାଣ କରି ଅଞ୍ଚଳର କ୍ରୀଡାବିତ୍ ନିଜ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରୁଥିଲେ । ଏହିପରି ଭାବେ ଅନେକ ବର୍ଷ ବିତି ଯାଇଥିବାବେଳେ ପରେ ଶ୍ୟାମ ବିହାରୀ ମନ୍ଦିର ସଂଲଗ୍ନ ଖାଲି ସ୍ଥାନ ଓ ତା ପରେ ଉଚ୍ଚ ବିଦ୍ୟାଳୟ ପରିସରରେ ରହିଥିବା ଛୋଟ ଖେଳ ପଡିଆରେ ଖେଳାଳି ମାନେ କ୍ରିଡ଼ାଭ୍ୟାସ କରୁଥିଲେ । ଏପରିକି ପୂର୍ବରୁ ଭଟଲି ବହୁତ ବଡ଼ ବଡ଼ ନାମକରା କ୍ରିକେଟ୍‌ ଦଳ ମାନଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବାବେଳେ ଅନେକ ଖେଳାଳି କ୍ରିକେଟ୍‌ ପାଇଁ ରାଜ୍ୟସ୍ତରକୁ ଯାଇ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ମାତ୍ର ଏବେ ଆଉ ସେସବୁ ପ୍ରତିଭା ଦେଖିବାକୁ ମିଳୁନାହିିଁ । ଏଥିପାଇଁ ଭଟଲି ବିଧାୟକ ଇରାସିସ୍‌ ଆଚାର୍ଯ୍ୟ ଦୁଃଖ ପ୍ରକାଶ କରି ଗୁରୁବାର ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟି ଭଟଲିରେ ଏକ ମିନି ଷ୍ଟାଡିୟମ୍‌ ନିର୍ମାଣ କରିବା ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏହା ହେଲେ ଭଟଲି ଅଞ୍ଚଳରେ ଥିବା ଅନେକ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ପ୍ରକୃତ ଭିତ୍ତିଭୂମି ପାଇ ପାରିବେ ଓ ନିଜର କ୍ରୀଡା ପ୍ରତିଭାକୁ ବିକଶିତ କରି ପାରିବେ ବୋଲି ସେ ପ୍ରକାଶ କରିଛନ୍ତି । ତେଣୁ ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉନ୍ନତ ମାନର ମିନି ଷ୍ଟାଡିୟମ୍‌ ନିର୍ମାଣ ପାଇଁ ପାଣ୍ଠିର ବ୍ୟବସ୍ଥା କଲେ ଅଞ୍ଚଳର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ବିଧାୟକ ଦାବି କରିଛନ୍ତି । ତାଙ୍କର ଏଭଳି ଉଦ୍ୟମକୁ ଭଟଲି କ୍ରୀଡା ସଂଘ ତଥା ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.