ସୁକତେଲ ଡେମରୁ ଗାଇସିଲେଟ ଅଞ୍ଚଳର ଚାଷ ଜମି ପାଇଁ କେନାଲ ମାଧ୍ୟମରେ ପାଣି ଦେବାକୁ ଦାବୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିର ମରୁଡି ଓ ଦାଦନ ପ୍ରବଣ ଅଞ୍ଚଳ ଗାଇସିଲାଟ ବ୍ଲକ ସ୍ୱାଧୀନତାର ୭୫ ବର୍ଷ ବିତିଯାଇଥିଲେ ସୁଦ୍ଧା ସବୁ କ୍ଷେତ୍ରରେ ଅବହେଳିତ । ନିର୍ବାଚନ ବେଳେ ନେତାମାନେ ବାରମ୍ବାର ପ୍ରତିଶୃତି ଦେଇ ଭୋଟ ହାତେଇ ନେଉଛନ୍ତି କିନ୍ତୁ ନିର୍ବାଚନ ସରିଗଲେ ଭୁଲି ଯାଉଛନ୍ତି । ଦୀର୍ଘ ବର୍ଷରୁ ଲୋୟର ସୁକତେଲ କେନାଲରୁ ଗାଇସିଲାଟ ଅଂଚଳର ଚାଷ ଜମିକୁ ପାଣି ଦିଆଯାଉ ବୋଲି ୨୦୧୧ ମସିହାରେ ବିଶିଷ୍ଟ ଜନନେତା, ସଂଗ୍ରାମୀ ନେତା, ସମାଜସେବୀ ସ୍ୱର୍ଗତ ପ୍ରସନ୍ନ କୁମାର ସାହୁଙ୍କର ନେତୃତ୍ୱରେ ଗାଇସିଲେଟ ବ୍ଲକ ଲୋୟର ସୁକତେଲ କେନାଲ ନିର୍ମାଣ ସଂଘର୍ଷ ସମିତି ନାମରେ ଏକ ସଂଗଠନ ଗଠନ କରି ଦୀର୍ଘ ବର୍ଷରୁ ଦାବୀ କରି ଆସୁଥିଲେ । ଫଳରେ ସରକାର ବାଧ୍ୟ ହୋଇ ପତ୍ର ସଂଖ୍ୟା – ୪୫୬ ତା-୨୧-୪-୨୦୧୧ରେ ତୁରନ୍ତ ଏହାର ଆବଶ୍ୟକତା ଅନୁଭବ କରି ବିଭାଗୀୟ ପ୍ରମୁଖ ସଚିବ ତୁରନ୍ତ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେହେତୁ ମରୁଡ଼ିଗ୍ରସ୍ତ ଗାଇସିଲାଟ ବ୍ଲକ ଶତକଡା ୩୫ ଭାଗରୁ କମ୍‌ ଜଳସେଚିତ ବ୍ଲକ ରୂପେ ସ୍ଥାନ ପାଇଛି । ପ୍ରସ୍ତାବିତ ଲୋୟର ସୁକତେଲ କେନାଲ ଆମ ଗାଇସିଲାଟ ବ୍ଲକକୁ ବର୍ଦ୍ଧିତ ହେଲା ପରେ ଉକ୍ତ ବ୍ଲକର ଜଗଲପାଟ,
ଡାଙ୍ଗବାହାଲ, ସନ୍ଧିବାହାଲ, କଠାଉମାଲ, ଗାଇସିଲାଟ, ସରଧାପାଲି, ଗୌରେନମୁଣ୍ଡା, ଫିରିଙ୍ଗି ମାଲ, କନ୍ଦାଗାଡ଼ ସମେତ ୧୧ଟି ଗ୍ରାମ ପଂଚାୟତର ପ୍ରାୟ ୫୭ଟି ଗ୍ରାମର ହଜାର ହଜାର ଚାଷୀ ଉପକୃତ ହୋଇ ପାରିବେ । ଏବେ ଏହି ସୁକତେଲ ଡେମ କାର୍ଯ୍ୟକ୍ଷମ ହେବାକୁ ବସିଛି ହେଲେ ଆମ ଅଂଚଳକୁ ଚାଷ ପାଇଁ ପାଣି ମିଳିବ କି ନାହିଁ ସୁନିଶ୍ଚିତ କରାଯାଇନାହିଁ । ଏଣୁ ଆଜି ଭାଙ୍ଗମୁଣ୍ଡା ଛକ (ପଲ୍ଲୀବିକାଶ) ଠାରେ ଅଞ୍ଚଳର ଚାଷୀମାନଙ୍କୁ ଏକ ଜୁଟ କରି ଗଜପତି ସାହୁଙ୍କର ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯିବା ସହ ଯଦି ଆଗାମୀ ଦିନରେ ଦାବୀ ପୂରଣ ନହେଲେ ଆଗାମୀ ନିର୍ବାଚନରେ ଅଞ୍ଚଳବାସୀ ଭୋଟ ବର୍ଜନ କରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ସରୋଜ ସାହୁ, ଅଶୋକ କଲେତ, ଛବିଲାଲ ଦୀପ, ଆନନ୍ଦ ପଧାନ, ପ୍ରସନ୍ନ କୁମ୍ଭାର, ଶିବୁ ପ୍ରସାଦ ପାଢ଼ୀ, ଶ୍ରୀକାନ୍ତ ପାଢ଼ୀ, ଗୌତମ ସାହୁ ଓ ବହୁ ସଂଖ୍ୟାରେ ଚାଷୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.