pr

କରୋନା ଯୋଦ୍ଧା ଡାକ୍ତର ଦିଲ୍ଲୀପ ଷଡ଼ଙ୍ଗୀ ଚାଲିଗଲେ କରୋନାରେ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀରେ ଆଗଧାଡିର ଯୋଦ୍ଧା ଡା. ଦିଲ୍ଲୀପ ଷଡ଼ଙ୍ଗୀ ଚାଲିଗଲେ କରୋନା ସଂକ୍ରମଣରେ । କରୋନା ଯୋଦ୍ଧା ଭାବେ ପ୍ରଥମ ପର୍ୟ୍ୟାୟରେ ଦୁଇଟି ଯାକ ଡୋଜ ଟିକା ନେଇ ମଧ୍ୟ ସେ କରୋନା ସହ ମୁହାଁମୁହିିଁ ହେବା ବେଳକୁ ହାରି ଯାଇଛନ୍ତି। ଅନ୍ୟକୁ ଚିକିତ୍ସା କରୁଥିବା ଡାକ୍ତର ନିଜେ ଉପଯୁକ୍ତ ଚିକିତ୍ସା ସେବା ପାଇ ନଥିବା ଅଭିଯୋଗ ହୋଇଛି । ଚରୋନା ସଂକ୍ରମଣର ୫ ଦିନ ମଧ୍ୟରେ ସେ ଆଖି ବୁଜିଛନ୍ତି ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ସେ କୋଭିଡ଼ ପଜିଟିଭ୍ ବୋଲି ଜଣାପଡ଼ିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ କୁହାଯାଇଥିଲା । ଘରେ ୪ ଦିନ ରହିବା ପରେ ପରେ ସେ ଅଧିକ ଅସୁସ୍ଥ ଅନୁଭବ କରିବାରୁ ଶୁକ୍ରବାର ଅପରାହ୍ନରେ ବରଗଡ଼ ସ୍ଥିତ ଏକ ଘରୋଇ ହସପିଟାଲକୁ ଯାଇଥିଲେ । ମାତ୍ର ସେଠାରେ ଆଇସିୟୁ, ଭେଣ୍ଟିଲେଟର କିମ୍ବା ଅକ୍ସିଜେନ କିଛି ବି ମିଳି ନଥିବା ବେଳେ ସେଠାରୁ ବିନା ଚିକିତ୍ସାରେ ତାଙ୍କୁ ଫେରାଇ ଦିଆ ଯାଇଥିବା କୁହାଯାଇଛି । ଏହାପରେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲକୁ ଯିବା ବାଟରେ ବୌଦ୍ଧଠାରେ ତାଙ୍କ ଦେହାନ୍‌ତ ଘଟିଥିବା କୁହାଯାଇଛି । ତେବେ ବଲାଙ୍ଗିର, କଳାହାଣ୍ଡି ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରୋଗୀ ସେବା କରି ଚର୍ଚ୍ଚାରେ ରହିଥିଲେ ଡାକ୍ତର ଦିଲ୍ଲୀପ । ୧୯୮୧ ମସିହାରେ ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲରୁ ମାଟ୍ରିକ୍‌ ପାସ୍ ପରେ ରାଜେନ୍ଦ୍ର ମହାବିଦ୍ୟାଳୟରେ ପଢ଼ିଥିଲେ । ପରେ ବଲାଙ୍ଗିର ଆୟୁର୍ବେଦ ମହାବିଦ୍ୟାଳୟରୁ ୧୯୮୮ ମସିହାରେ ବିଏଏମଏସ ଡିଗ୍ରୀ ହାସଲ କରିଥିଲେ । ୨୦୦୦ ମସିହାରେ କଳାହାଣ୍ଡି ଜିଲ୍ଲାର ଏମ.ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ ଉର୍ଲାଦାନୀରେ ତାଙ୍କର ପ୍ରଥମ ପୋଷ୍ଟିଂ ହୋଇଥିଲା । ୨୦୧୫ ମସିହାରେ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ସାଗରପାଲି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ମିଳିଥିଲା । ସେଠାରେ ୫ବର୍ଷ ରହିବା ପରେ ଗତ ସେପଟେମ୍ବର ମାସରେ ତାଙ୍କୁ ଲୋଇସିଂହା ବ୍ଲକ୍‌ର ରାକ୍ସିମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ବଦଳି ହୋଇଥିଲା । ପରିବାରରେ ତାଙ୍କ ସ୍ତ୍ରୀଙ୍କ ସମେତ ଦୁଇଝିଅ ରହିଛନ୍ତି । ଭୁବନେଶ୍ୱର ଯାଉଥିବା ବାଟରେ ମୃତ୍ୟୁ ଘଟିବାରୁ ବୌଦ୍ଧରୁ ତାଙ୍କୁ ଫେରାଇ ଅଣାଯାଇଥିଲା । ଟିଟିଲାଗଡ଼ ରୋଡ଼ସ୍ଥିତ ସ୍ୱର୍ଗଦ୍ୱାରରେ ଦାହ ସଂସ୍କାର କରାଯାଇଛି । ବଡ଼ ଝିଅ ଶିଖା ସ୍ମରଣିକା ମୁଖାଗ୍ନି ଦେଇଥିବା ଖବର ମିଳିଛି । ଡା. ଷଡ଼ଙ୍ଗୀଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

nrusinghnath
Leave A Reply

Your email address will not be published.