pr

ଲିଟୁ ମହାନ୍ତିଙ୍କ ‘ବଡମା’ ସିନେମାରେ ଅଭିନୟ କରିବେ ପ୍ରସନ୍ନ ଆଚାର୍ଯ୍ୟ

dr. purohit

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ରାଜନୀତିରୁ ବର୍ତ୍ତମାନ ସାମୟିକ ବିରତି ପରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଚଳଚିତ୍ର ନିର୍ଦ୍ଦେଶକ ଲିଟୁ ମହାନ୍ତିଙ୍କ ଦ୍ୱାରା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତା ପାର୍ବତୀ ଗିରିଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ଚଳଚିତ୍ର ‘ବଡ଼ମା’ରେ ଅଭିନୟ କରିବେ । ଏଥିରେ ତତ୍କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ, ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତା ପାର୍ବତୀଗିରି ଓ କ୍ୟାବିନେଟ ମନ୍ତ୍ରୀ ଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କ ମଧ୍ୟରେ ହୋଇଥିବା କଥୋପକଥନର ଏକ ଦୃଶ୍ୟରେ ପ୍ରସନ୍ନ ଆଚାର୍ଯ୍ୟ ନିଜେ ତାଙ୍କ ଭୂମିକାରେ ଅଭିନୟ କରୁଥିବା ଜଣାପଡିଛି । ଜୁନ ଦ୍ଵିତୀୟ ସପ୍ତାହରେ ବରଗଡ଼ରେ ଏହି ଚଳଚ୍ଚିତ୍ର ଅନ୍ତିମ ପର୍ଯ୍ୟାୟ ସୁଟିଂ ହେବ । ଏହି ଦୃଶ୍ୟଟି ପ୍ରସନ୍ନ ଆଚାର୍ଯ୍ୟଙ୍କ ଯୁବ ସମୟର ହୋଇଥିବାରୁ ପ୍ରସନ୍ନ ଆଚାର୍ୟ୍ୟଙ୍କ ପାଇଁ ସ୍ୱତନ୍ତ୍ର କେଶର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ଜୀବନ ଓ ରାଜନୀତିକୁ ଏକ ଖେଳ ରୂପେ ବିଚାରୁଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କ ଭିନ୍ନ ଏକ ରୂପ ଖୁବଶୀଘ୍ର ସିଲଭର ସ୍କ୍ରିନରେ ଦେଖିବାକୁ ମିଳିବ । ଏଠାରେ ପ୍ରକାଶ ଯୋଗ୍ୟ ଯେ, କଳାହାଣ୍ଡିର ଶିଶୁବିକ୍ରି ଓ ପାର୍ବତୀ ଗିରି ପ୍ରସଙ୍ଗରେ ଅଞ୍ଚଳର ଅନ୍ୟତମ ବରିଷ୍ଠ ସାମ୍ବାଦିକ ବାମାପଦା ତ୍ରିପାଠୀ ମଧ୍ୟ ଏହି ଚଳଚିତ୍ରରେ ଅଭିନୟ କରୁଥିବା ଜଣାପଡିଛି । ଏହି କାରଣରୁ ମୁକ୍ତିଲାଭ ପୂର୍ବରୁ ଲିଟୁ ମହାନ୍ତିଙ୍କ ‘ବଡ଼ମା’ ଚଳଚିତ୍ର ଏବେ ଚର୍ଚ୍ଚାରେ ପ୍ରସଙ୍ଗ ପାଲଟିଛି । ଭାରତୀୟ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ଉପଲକ୍ଷେ ‘ଆଜାଦି କା ଅମୃତ ମହୋତ୍ସବ’ ଅବସରରେ ଏହି ଚଳଚିତ୍ର ମୁକ୍ତିଲାଭ କରିବା ଏବଂ ଏହି ଚଳଚିତ୍ର ମାଧ୍ୟମରେ ପଶ୍ଚିମ ଓଡ଼ିଶାର ବହୁ ଅନାଲୋଚିତ ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ଜନସାଧାରଣ ଅବଗତ ହୋଇ ପାରିବେ ବୋଲି ଚଳଚିତ୍ର ନିର୍ଦ୍ଦେଶକ ଲିଟୁ ମହାନ୍ତି ସୂଚନା ଦେଇଛନ୍ତି ।

nrusinghnath
Leave A Reply

Your email address will not be published.