
ବରଗଡ, (ମୁନ୍ନା ସାହୁ) : ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ସତଲମାର ଚାଷୀ । ଶନିବାର ମଧ୍ୟାହ୍ନ ୧୨ଟା ସମୟରେ ଚାଷୀମାନେ ଧାରଣାରେ ବସିଛନ୍ତି । ସତଲମା ଧାନମଣ୍ଡିରେ ଦଲାଲ ମାନଙ୍କ ଦୌରାତ୍ମ ଯୋଗୁଁ ପ୍ରକୃତ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ରହୁଛନ୍ତି । ମଣ୍ଡିରେ ଛତିଶଗଡର ଧାନ ପଡୁଥିବା ବେଳେ ସତଲମାର ଚାଷୀଙ୍କ ଟୋକନରୁ ଛତିଶଗଡର ଧାନ ଉଠୁଛି । ଚାଷୀମାନେ ଏ ପର୍ଯ୍ୟନ୍ତ ଧାନ ଅମଳ କରି ନ ଥିବା ବେଳେ ତାଙ୍କ ଟୋକନରୁ ଧାନ ବିକ୍ରି ସରିସାରିଛି । ମଣ୍ଡିରେ ଦଲାଲରାଜ ଚାଲିଥିବାରୁ ଏହି ଭଳି ସମସ୍ୟା ଦେଖାଯାଉଛି । ଯାହାକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିବା ସହ ଏହାର ଉଚିତ ତଦନ୍ତ କରି ଚାଷୀଙ୍କ ସମସ୍ୟାର ସମାଧାନ କରାଯାଉ ବୋଲି ଦାବି କରାଯାଇଛି ।