ବାଲିଗୁଡା ଓ ଜି.ଉଦୟଗିରି ବିଧାନସଭା : ଆଉ ଦିନକ ପରେ ଗଣତି, ବଢୁଛି ହୃଦସ୍ପନ୍ଦନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟ ସମେତ ସାରା ଦେଶରେ ଏଥର ସାଧାରଣ ନିର୍ବାଚନ ସକାଶେ ଭୋଟ ଗ୍ରହଣ ସରିଛି । ଆଉ ଦିନକ ବିରତି ପରେ ମଙ୍ଗଳବାର ଗଣତି ତାରିଖ । ଆଉ ଏନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢି ଚାଲିଛି । ଭୋଟ୍ ଦେଇଥିବା ମତଦାତା ବେଶ ନିରବତା ଅବଲମ୍ବନ କରୁଥିବା ବେଳେ ଗଣତି ତାରିଖ ଯେତିକି ପାଖେଇ ଆସୁଛି ନେତା ଓ କର୍ମୀମାନଙ୍କ ବଢି ଚାଲିଛି ହୃଦସ୍ପନ୍ଦନ । ଚଳିତ ନିର୍ବାଚନକୁ ରାଜ୍ୟରେ ପୂର୍ବାପେକ୍ଷା ଭିନ୍ନଧରଣରେ ଗଣା ହେଉଛି । ବିଜେପି ଓ ବିଜେଡି ମେଣ୍ଟ ଆଲୋଚନାର ବ୍ୟତିକ୍ରମ ସ୍ୱରୂପ ପରସ୍ପର ବିରୁଦ୍ଧରେ ନିର୍ବାଚନ ରଣାଙ୍ଗନରେ କେବଳ ଯେ ଅବତୀର୍ଣ୍ଣ ହୋଇନଥିଲେ ବରଂ ପରସ୍ପରକୁ କଟୁ ସମାଲୋଚନା କରି ତୀବ୍ର ପ୍ରତିଦ୍ୱନ୍ଦିତା କରିଛନ୍ତି । ତୃଣମୂଳସ୍ତରରୁ ଆରମ୍ଭ କରି ଉଚ୍ଚସ୍ତର ପର୍ଯ୍ୟନ୍ତ ଏହି ଆମନା ସାମନା ଲଢେଇର ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି ବନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ବିଜେପି-ବିଜେଡି ଟକ୍କର ମଧ୍ୟରେ ଚଳିତ ଥର କଂଗ୍ରେସ ମଧ୍ୟ ବାଦ ପଡ଼ିନାହିଁ । ତଥାପି ଦଳର ତୁଙ୍ଗ ନେତା ରାହୁଲ ଗାନ୍ଧୀ ରାଜ୍ୟରେ ପ୍ରଚାର କରି ପାର୍ଟି ପାଇଁ ଜନସମର୍ଥନ ହାସଲ କରିବାକୁ ଚେଷ୍ଟା କରିଥିଲେ । ଏହାରି ମଧ୍ୟରେ କନ୍ଧମାଳ ଲୋକସଭା ଅନ୍ତର୍ଗତ ୨ଟି ପ୍ରମୁଖ ବିଧାନସଭା ବାଲିଗୁଡା ଓ ଜି. ଉଦୟଗିରି ନିର୍ବାଚନର ଫଳାଫଳକୁ ନେଇ ନେତା ଓ କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ଓ ଆଲୋଚନା ଜୋର୍ ଧରିଛି । କେଉଁ ନେତା କେତେ ପରିମାଣରେ ନିର୍ବାଚନ ପରିଚାଳନାରେ ସଫଳ ହୋଇଛନ୍ତି ସେହି ଅନୁସାରେ ସେମାନେ ଫଳାଫଳ ପାଇବେ ଏଥିରେ ସନ୍ଦେହ ନାହିଁ । ଆଉ ଏପଟେ ଗଣତି ପୂର୍ବରୁ ସଟ୍ଟା ବଜାରରେ ବାଜି ଲାଗିଲାଣି । କାହାର ପଲା କେତେ ଅଧିକ, ତାକୁ ନେଇ ମଧ୍ୟ ଅନେକ ଆକଳନ କରାଯାଉଛି । ପ୍ରତ୍ୟେକ ଦଳ ନିଜର ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ବୋଲି ଦାବି କରୁଛନ୍ତି । ଏହାକୁ ନେଇ ରାସ୍ତାଘାଟରୁ ଆରମ୍ଭ କରି ଚାହା ଦୋକାନ, ପାନ ଦୋକାନରେ ବେଶ୍ ଖଟି ଜମୁଛି । ଏପଟେ କାଳେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବ ସେହି ଆଶଙ୍କାରେ ପୁଲିସ ପକ୍ଷରୁ କଡାକଡ଼ି ପାଟ୍ରୋଲିଂ କରାଯାଉଛି । ତେବେ ଇଭିଏମ୍‌ରେ ସିଲ୍ ହୋଇ ରହିଛି ନେତାଙ୍କ ଭାଗ୍ୟ । ୪ ତାରିଖରେ ଖୋଲିବ କାଉଁରୀ ପେଡି । କିଏ କାହା ଉପରେ ଭାରୀ ପଡିବ ତାକୁ ନେଇ ଏବେ ଆକଳନ ଜୋର୍ ଧରିଛି । ତେବେ ନୀରବ ଭୋଟରଙ୍କ ମୁଡ୍‌କୁ ପରଖିବା ନେତାମାନଙ୍କ ପାଇଁ କାଠିକର ହୋଇପଡ଼ୁଛି । ତେବେ ସବୁକିଛି ଇଭିଏମ୍ ଖୋଲିଲେ ସ୍ପଷ୍ଟ ହେବ । ଆଉ ତା’ପୂର୍ବରୁ ରାଜନୀତିରେ ରୁଚି ରଖୁଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ସମେତ ନେତା ଓ ସାଧାରଣ କର୍ମୀଙ୍କ ମନରେ ଉତ୍କଣ୍ଠା ମଧ୍ୟ ବଢ଼ି ଚାଲିଛି ।

Leave A Reply

Your email address will not be published.