ପ୍ରେମୀ ଯୁଗଳଙ୍କୁ ବାନ୍ଧିଦେଲା ପବିତ୍ର ବିବାହ ବନ୍ଧନରେ ‘ଏଇତ ଜୀବନ’ ଚାରିଟେବୁଲ୍‌ ଟ୍ରଷ୍ଟ

ଝାରସୁଗୁଡ଼ା, (କେପିଏନ୍‌ଏସ୍‌) : ‘ଏଇତ ଜୀବନ’ ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ପ୍ରେମୀ ଯୁଗଳଙ୍କ ବାହାଘର ସଂପନ୍ନ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରେ ସଂପୃକ୍ତ ଟ୍ରଷ୍ଟକୁ ପ୍ରଶଂସା କରାଯାଇଛି । ସୂଚନା ଅନୁସାରେ ପ୍ରେମୀ ଯୁଗଳ ଦୀର୍ଘ ବର୍ଷରୁ ଉଭୟେ ଉଭୟଙ୍କୁ ଭଲ ପାଉଥିବା ବେଳେ ପାରିବାରିକ ସ୍ୱୀକୃତି ମିଳୁ ନଥିବାରୁ ସେମାନଙ୍କ ବାହାଘର ହୋଇପାରୁ ନଥିଲା । ତେବେ ସୁନ୍ଦରଗଡ଼ର ଏକ ଟ୍ରାନ୍ସପୋର୍ଟରେ ଚାକିରୀ କରୁଥିବା ଯାଜପୁରର ଯୁବକ ନିଜ ପ୍ରେମିକାକୁ କୋର୍ଟରେ ବାହାହେବାକୁ ମନସ୍ଥ କରିଥିଲେ । ତେବେ ଏଭଳି ସମୟରେ ସହଯୋଗର ହାତ ବଢ଼ାଇଛି ‘ଏଇତ ଜୀବନ’ ଚାରିଟେବୁଲ୍‌ ଟ୍ରଷ୍ଟ । ପ୍ରେମୀ ଯୁଗଳଙ୍କ ଟ୍ରଷ୍ଟର ସହାୟତାରେ ସ୍ଥାନୀୟ ମଝାପଡ଼ା ଶୈବପୀଠରେ ବୈଦିକ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ସଂପନ୍ନ ହୋଇଛି । ତେବେ ପ୍ରେମୀ ଯୁଗଳଙ୍କୁ ପବିତ୍ର ବିବାହ ବନ୍ଧନରେ ବାନ୍ଧି ଦେଇଥିବାରୁ ଯୁବ ମହଲରେ ପ୍ରଶଂସାର ପାତ୍ର ହୋଇଛି ଟ୍ରଷ୍ଟ । ଟ୍ରଷ୍ଟର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶିକା ସୁଜାତା ମିଶ୍ର, କବିତା ପଣ୍ଡା, ଯୁବ ସମାଜସେବୀ ରାମହରୀ ପୂଜାରୀ, ଆରତୀ ପଣ୍ଡା ପ୍ରମୁଖ ଏହି ବିବାହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.