ଆସନ୍ତା କାଲି ଲୋକାର୍ପିତ ହେବ କୋଶଲୀ ସଟ୍‌ ଫିଲ୍ମ ‘ଭାବର ତିହାର’

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତାକାଲି ଲୋକାର୍ପିତ ହେବାକୁ ଯାଉଛି କୋଶଲୀ ସର୍ଟ ଫିଲ୍ମ ‘ଭାବର ତିହାର’ । ଏ ସଂପର୍କରେ ସ୍ଥାନୀୟ ଅମଲା ଭବନରେ କେକେ ପ୍ରଡ଼କ୍ସନ ବଲାଙ୍ଗିର ପକ୍ଷରୁ ଏକ ପ୍ରେସ୍‌ ମିଟ୍‌ରେ ସଂପୃକ୍ତ ଫିଲ୍ମର ଟ୍ରେଲର୍‌ ଦେଖାଇବା ସହ ସୂଚନା ଦିଆଯାଇଛି । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଆଧାରିତ ଏହି ସଟ୍‌ ଫିଲ୍ମ ଦର୍ଶକମାନଙ୍କ ଦ୍ୱାରା ବେଶ୍‌ ଆଦୃତ ହେବ ବୋଲି ବିଶ୍ୱାସ କରାଯାଇଛି । କୁହାଯାଇଛି ଯେ, କରୋନା କାଳରେ ସବୁ କିଛି ଫିକା ପଡ଼ିଯାଇଥିବା ବେଳେ ଜୀବନ ଜୀବିକା ପାଇଁ ମଣିଷ ସମାଜ ଏବେ ଖୁବ୍‌ ସଂଘର୍ଷ କରୁଛି । ଯେତେ ଯାହା ହେଲେ ମଧ୍ୟ ନୂଆଁଖାଇ ପର୍ବକୁ ପଶ୍ଚିମ ଓଡ଼ିଶାରେ ଜନସାଧାରଣ ବେଶ୍‌ ଧୁମ୍‌ଧାମରେ ପାଳନ କରନ୍ତି । ଏହି କୃଷି ଭିତ୍ତିକ ପର୍ବକୁ ଆଖିରେ ରଖି ଲୋକଙ୍କୁ ମନୋରଂଜନ ଯୋଗାଇ ଦେବା ଲକ୍ଷ୍ୟରେ କେକେ ଫଟୋଗ୍ରାଫି ତଥା ସମ୍ବଲପୁରୀ ଧୂନ୍‌ ପକ୍ଷରୁ ଏହି ସର୍ଟ ଫିଲ୍ମ ପ୍ରସ୍ତୁତ କରାଯାଇଛି । ଏହି ଫିଲ୍ମକୁ ସୌମ୍ୟରାଂଜନ ବାଗ ପ୍ରଯୋଜନା କରିବା ସହ ଡିଓପି. ଦାୟିତ୍ୱ ନିର୍ବାହ କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ବିନୋଦ କୁମାର କାଲସାଏ ।

ଏହାକୁ ବେବି ବେହେରା ରଚନା କରିଛନ୍ତି । କ୍ୟାମେରାରେ ରଂଜିତ, ରାକେଶ ଓ ସତ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି । ବିଜିଏମ୍‌ ଡବିଂରେ ସୁବାଶିଷ ମଣ୍ଡଳ କାର୍ଯ୍ୟ ସଂପାଦନ କରିଛନ୍ତି । ବଲାଙ୍ଗିର ସହରର ଆଖପାଖ ଗ୍ରାମାଂଚଳ ପରିବେଶ ମଧ୍ୟରେ ଏହାକୁ ପ୍ରସ୍ତୁତ କରାଯାଇଥିବା କୁହାଯାଇଛି । ତେବେ ଏହି ସର୍ଟ ଫିଲ୍ମରେ ଅନେକ ନୂଆ ମୁହଁଙ୍କୁ ଦେଖିବାକୁ ମିଳିବ । ତେବେ ବିଭିନ୍ନ ଭୂମିକାରେ ଅନୀତା ତ୍ରିପାଠୀ, ନିସାର ଖାଁ, ଅଶୋକ କୁମାର ଦୀପ, ସାଗର କୁମ୍ଭାର, ଅଜୟ ନାଗ, ବିଭୂକଲ୍ୟାଣ ଗଡ଼ତ୍ୟା, ସାଗରିକା କଅଁର, ରଚନା ବାଗ, ଅଷ୍ଟମୀ ନାଗ, ଲିଙ୍ଗରାଜ ନାଗ, ଆଦିକନ୍ଦ ବଗର୍ତ୍ତି, ସମ୍ବାରୁ କୁମାର ପ୍ରମୁଖ ଅଭିନୟ କରିଛନ୍ତି ।

Leave A Reply

Your email address will not be published.