ବରଗଡ ସନାତନି ବ୍ରାହ୍ମଣ ସମାଜ ପକ୍ଷରୁ ପର୍ଶୁରାମ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ସନାତନି ବ୍ରାହ୍ମଣ ସମାଜ ପକ୍ଷରୁ ପର୍ଶୁରାମ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ ପଣ୍ଡିତ କୁଳମଣି ମହାପାତ୍ରଙ୍କ ସଭାପତିତ୍ବ ଓ ଦୀପକ ଦାଶଙ୍କ ସଂଯୋଜନାରେ ସ୍ଥାନୀୟ ସାଇ କ୍ରିଷ୍ଣା ପେଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସହରର ବ୍ରାହ୍ମଣ ସମାଜର ବହୁ ବରିଷ୍ଠ ଓ କନିଷ୍ଟ ସଦସ୍ୟ ଯୋଗ ଦେଇ ଚଳିତ ବର୍ଷ ବ୍ରାହ୍ମଣ ମାନଙ୍କ ଆରାଧ୍ୟ ଦେବତା ପ୍ରଭୁ ପର୍ଶୁରାମଙ୍କ ଜୟନ୍ତୀକୁ ଭବ୍ୟ ଆକାରରେ ଆୟୋଜନ କରିବାକୁ ନିଷ୍ପତି ନିଆଯାଇଥିଲା । ସ୍ଥାନୀୟ ଶ୍ୟାମା କାଳୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ଭବ୍ୟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ନେଇ ପ୍ରାଥମିକ ସ୍ତରରେ ନିଷ୍ପତ୍ତି ହୋଇଅଛି । ବୈଠକରେ ଉପସ୍ଥିତ ସମାଜର ସମସ୍ତେ ଏକ ସ୍ଵରରେ ବ୍ରାହ୍ମଣ ସମାଜର ସଂଗଠନକୁ ମଜବୁତ୍ କରି ଗଢି ତୋଳିବା ସହ ନିୟମିତ ବୈଠକ ଆୟୋଜନ କରାଯାଉ ବୋଲି ଦାବୀ କରିଥିଲେ । ଏହା ସହ ବ୍ରାହ୍ମଣ ସମାଜ ପାଇଁ ଜମି ନିଆଯାଇ ଅଫିସ୍ ଗୃହ ସହ ନିର୍ମାଣ କରି ସେଠାରେ ନିୟମିତ ବୈଠକ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା ମଇ ତିନି ତାରିଖରେ ହେବାକୁ ଥିବା ପର୍ଶୁରାମ ଜୟନ୍ତୀ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସାଂସ୍କୃତିକ ଦଳକୁ ଅଣାଯାଇ ଏହି ଶୋଭାଯାତ୍ରାରେ ସାମିଲ କରାଯିବ ବୋଲି ଆଲୋଚନା ହୋଇଥିଲା । ସମାଜର ପରବର୍ତ୍ତୀ ବୈଠକ ଆସନ୍ତା ଗୁରୁବାର ଦିନ ସଂଧ୍ୟା ୬.୩୦ରେ ସାଇ କ୍ରିଷ୍ଣା ପେଲେସ୍‌ରେ ଅନୁଷ୍ଠିତ ହେବ । ଏହି ବୈଠକର ଚୂଡାନ୍ତ ନିଷ୍ପତ୍ତି ହେବାକୁ ଥିବା ବେଳେ ଏଥିରେ ସହରର ସମସ୍ତ ୱାର୍ଡର ବ୍ରାହ୍ମଣ ସମାଜର ସଦସ୍ୟମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.