ଆଦିବାସୀ ବୃଦ୍ଧାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଳକର କରଡୁକୁପା ପଞ୍ଚାୟତର ଉପାନ୍ତ ଅଞ୍ଚଳ ଟକପଦର୍ ଗ୍ରାମରେ ଜଣେ ବୃଦ୍ଧା ଆଦିବାସୀ ମହିଳା ଋତୁଲୀ ମାଝୀଙ୍କ ଦୁଃଖ ବୁଝିବାକୁ କାହା ପାଖରେ ସମୟ ନାହିଁ । ଏହି ବୃଦ୍ଧା ମହିଳା ଜଣକ ଆଜକୁ ୨ ବର୍ଷରୁ ଅଧିକ ହେବ ଏକ ଅଜଣା ରୋଗରେ ପୀଡିତ ଅଛନ୍ତି । ତାଙ୍କ ପାଟିର ତଳ ଓଠ ଏବଂ ଜିଭ ଫୁଲି ଯାଇ ଘାରେ ଭର୍ତ୍ତି ହୋଇଛି । ଅନେକ ଦିନ ଭଲରେ ଖାଇବା, ପିଇବା କରିନପାରି ଅତି ଦୁର୍ବଳତାରେ ଅଛନ୍ତି । ସେ ବାଲିଗୁଡା ଓ ବିଷମ କଟକ ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିଲେ କିନ୍ତୁ ସେଠାରେ ଏହି ଚିକିତ୍ସା ହୋଇ ପାରିବ ନାହିଁ ବୋଲି କହି ଫେରାଇବା ସହ ବଡ଼ ମେଡିକାଲ ଯାହାକି ବ୍ରହ୍ମପୁର କିମ୍ବା ଭୁବନେଶ୍ୱରକୁ ଯାଇ ଚିକିତ୍ସିତ ହେବାକୁ ପରାମର୍ଶ ଦେଇଥିଲେ । ଓଡ଼ିଆ ଭାଷା ବୁଝି ପାରୁ ନ ଥିବା ଏହି ଆଦିବାସୀ ବୃଦ୍ଧାମହିଳା ଜଣକଙ୍କ ପାଖରେ ଏହି ଲକ୍ ଡାଉନ୍ ସମୟରେ ଗାଡ଼ି ଭଡ଼ା କରି ବ୍ରହ୍ମପୁର ବା ଭୁବନେଶ୍ଵର ଯିବା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି । ଗ୍ରାମର କିଛି ବଦାନ୍ୟ ବ୍ୟକ୍ତି ତୁମୁଡିବନ୍ଧ ମେଡିକାଲକୁ ଯାଇ ଆମ୍ବୁଲାନ୍ସରେ ଯିବା ପାଇଁ ଅନୁରୋଧ କରିଥିଲେ ସୁଦ୍ଧା କିଛି ସୁଫଳ ମିଳି ନଥିଲା । ତାଙ୍କ ପରିବାର ଓ ଗ୍ରାମବାସୀମାନେ ସରକାରଙ୍କ ଠାରେ ଶ୍ରୀମତୀ ମାଝୀଙ୍କ ଚିକିତ୍ସା ପାଇଁ ସାହାଯ୍ୟ ଆଶା କରି କହିଛନ୍ତି ଯେ, ଯଦି ସରକାର ଏଥିରେ ହସ୍ତକ୍ଷେପ ନ କରନ୍ତି ତାହାହେଲେ ନିଶ୍ଚିତ ଭାବେ ସେ ବୃଦ୍ଧା ମା’ ଜଣକଙ୍କ ଜୀବନ ହାରିଦେବେ ବୋଲି କହୁଛନ୍ତି । ଦେଖିବାକୁ ବାକି ରହିଲା ଯେ ସରକାର ତାଙ୍କୁ ଚିକିତ୍ସା କରୁଛନ୍ତି ନା ସେହି ରୋଗରେ ମୃତ୍ୟୁବରଣ କରିବାକୁ ଛାଡ଼ି ଦେଉଛନ୍ତି । ପ୍ରକାଶ ଥାଉ କି ସରକାର ଅନେକ ଯୋଜନା କରୁଥିଲେ ମଧ୍ୟ ଏହି ଗ୍ରାମକୁ କେବେ ମଧ୍ୟ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ସେବା ପହଞ୍ଚି ପାରିନାହିଁ ଏବଂ ଅନେକ ସମସ୍ୟାରେ ଲୋକ ମାନେ କଷ୍ଟ ପାଉଛନ୍ତି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି ।

Leave A Reply

Your email address will not be published.