om academy

ବହୁଧା ପର୍ଯ୍ୟଟନର ସୁଯୋଗ ଥିବା ସୁବର୍ଣ୍ଣପୁର ସହର ଓ ଜିଲ୍ଲା ଭିତ୍ତିଭୂମି ବିକାଶର ଅପେକ୍ଷା ରଖେ

jsm

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : ସୁବର୍ଣ୍ଣପୁର, ଅଷ୍ଟ ମ’କାରର ଭୂଖଣ୍ଡରେ ରହିଛି ପର୍ଯ୍ୟଟନର ଅନେକ ବିଭବ । ବହୁ ପ୍ରାଚୀନ ମନ୍ଦିର, ମଠ, ପ୍ରାକୃତିକ ସୌନ୍ଦର୍ୟ୍ୟରେ ଭରପୁର ପରିବେଶ ସହ କଳା କାରିଗରି ଏ ମାଟିକୁ ଦେଇଛି ସ୍ୱତନ୍ତ୍ର ପରିଚୟ । ଆଜି ସମଗ୍ର ବିଶ୍ୱ ପର୍ଯ୍ୟଟନ ଦିବସ ମାନୁଥିବା ବେଳେ ବହୁଧା ପର୍ଯ୍ୟଟନର ସୁଯୋଗ ଥିବା ସୁବର୍ଣ୍ଣପୁର ସହର ଓ ଜିଲ୍ଲା ଭିତ୍ତିଭୂମି ବିକାଶର ଅପେକ୍ଷା ରଖେ ।


ବର୍ଣ୍ଣିଳ ସଂସ୍କୃତି ଓ ଐତିହ୍ୟ ସହ ସୁସଂହତ ସଭ୍ୟତାର ମାଟି ସୁବର୍ଣ୍ଣପୁର । ଏଠି କଳା କାରିଗରି, ମଠ ମନ୍ଦିର, ପ୍ରାକୃତିକ ପରିବେଶ ସର୍ବୋପରି ପର୍ବତ ଓ ନଦୀ ପର୍ଯ୍ୟଟନ ସହ ସାଂସ୍କୃତିକ ବିଭବ ସୁବର୍ଣ୍ଣପୁରକୁ ଦେଇଛି ଏକ ଭିନ୍ନ ପରିଚୟ । ମହାନଦୀ କୂଳରେ ଥିବା ହଜାର ହଜାର ବର୍ଷର ସଭ୍ୟତାର ପ୍ରତିଟି ସ୍ପନ୍ଦନରେ ଖୁନ୍ଦି ହୋଇ ରହିଛି ଅବସର ବିନୋଦନ ସହ ଗବେଷଣାତ୍ମକ ମଣିଷ ପାଇଁ ଅନେକ ଆକର୍ଷଣ । ‌

ଦ୍ୱିତୀୟ ବାରାଣାସୀ ଭାବେ ପରିଚିତ ସୁନାମାଟିକୁ କେହି କେହି ‌ସ୍ୱର୍ଣ୍ଣ ପ୍ରୟାଗ ଭାବେ ଉଲ୍ଲଖ କରନ୍ତି । ୧୦୮ ମନ୍ଦିରକୁ ନେଇ ମନ୍ଦିରମାଳିନୀ ସୁବର୍ଣ୍ଣପୁର ସହରର ମଧ୍ୟଭାଗରେ ଥିବା ପଂଚରଥ ମନ୍ଦିରର କାରୁକାର୍ଯ୍ୟ, ନବମ ଶତାବ୍ଦୀରେ ଗଢ଼ା ବୈଦ୍ୟନାଥର ପ୍ରାଚୀନ ଶୈବପୀଠ କୋଶଳେ‌ଶ୍ୱର ମନ୍ଦିର ହେଉ କି ମା’ମେଟାକାନୀ ମନ୍ଦିର ସହ ପାପକ୍ଷୟ ଘାଟ ସବୁଠି ପର୍ୟ୍ୟଟକକୁ ମିଳେ ନିଆରା ସ୍ୱାଦ ।

ମହିମା ଧର୍ମର ପ୍ରମୁଖ ପ୍ରଚାରକ ତଥା ମାନବବାଦୀ କବି ଭୀମଭୋଇଙ୍କ ସମାଧିପୀଠ ଆଜି ବି ଶୂନ୍ୟବ୍ରହ୍ମର ନିରାଜନାରେ ଶୂନ୍ୟ ଆକାଶକୁ ଚାହିଁ ରହିଛି । ମହାନଦୀର ଗର୍ଭରେ ଥିବା ଲଂକେ‌ଶ୍ୱରୀ ମନ୍ଦିର, ଦେଶୀ ଡଂଗାରେ ନୌବିହାର ଓ ଭଗ୍ନ ରାଜବାଟୀ ପର୍ୟ୍ୟଟନର ଆକର୍ଷଣ ରଖେ । ବାକିରେ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମିର ବିକାଶ ଓ ପୀଠ ଗୁଡିକର ସୌନ୍ଦର୍ୟକରଣର ଆବଶ୍ୟକତା ରହିଛି ବୋଲି କହନ୍ତି ଜଣେ ସଂସ୍କୃତିଗ୍ରାହୀ ଯୁବକ ପ୍ରଦ୍ୟୁମ୍ନ ସାହୁ ।


ମହାନଦୀ, ତେଲ ଓ କର୍ପୁର ନଦୀର ତ୍ରିବେଣୀ ସଂଗମର ନଦୀ ପର୍ଯ୍ୟଟନ ବର୍ଷ ତମାମ୍ ବହିରାଗତ ପର୍ଯ୍ୟଟକଙ୍କୁ ବାନ୍ଧି ରଖୁଥିବାବେଳେ ଶ୍ରଜଗନ୍ନାଥଙ୍କ ପାତାଳି ଶ୍ରୀକ୍ଷେତ୍ର ପର୍ବତ ପର୍ଯ୍ୟଟନକୁ ବିଷେଶ ଭାବେ ଆକର୍ଷିତ କରିଥାଏ । ତ୍ରିକୂଟ ପାହାଡରେ ଥିବା ‌ଧ୍ୱନି ଗୁମ୍ଫା, ମାଧବ ଗୁମ୍ଫା, ଜଗନ୍ନାଥ ଗୁମ୍ଫା, ଦାରୁକୋଣ ସହ ଦ୍ୱଜାବନ୍ଧା ଶିଖର ସହ ପାଦଦେଶରେ ଥିବା ଠେଙ୍ଗୋ ଡ୍ୟାମ ପର୍ଯ୍ୟଟକଙ୍କୁ ବିଶେଷ ଆନନ୍ଦ ଦେଇଥାଏ । ଖାଲି ସେତିକି ନୁହେଁ, ବୟନ କଳାର ନିଖୁଣ କାରିଗରିରେ ହସ୍ତତନ୍ତରେ ବୁଣା ହେଉଥିବା ସୁବର୍ଣ୍ଣପୁରୀ ପାଟଶାଢୀର କାରୁକାର୍ୟ୍ୟରେ କଳାପ୍ରେମୀ ମଣିଷଟିଏ ଝୁଙ୍କି ପଡିବା ଥୟ । ମାଟିର ଟେରାକୋଟା, ବର୍ଷ ସାରା ଚାଲିଥିବା ଯାନିଯାତ୍ରା ସହ ସାଂସ୍କୃତିକ ନାଚଗୀତ ଏମାଟିର ଅସ୍ମିତାକୁ ବହନ କରେ ଚିରକାଳ । ସୁବର୍ଣ୍ଣପୁରର ସାଂସ୍କୃତିକ, ପ୍ରାକୃତିକ ଓ ପ୍ରାଚିନ ଐତିହ୍ୟସ୍ଥଳିର ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦେବା ସହ ପର୍ଯ୍ୟଟକଙ୍କ ପାଇଁ ପର୍ୟ୍ୟାପ୍ତ ସୁବିଧା ଆଜିର ଦିନରେ ଏକ ବଡ ଆହ୍ୱାନ ରଖେ ବୋଲି କହନ୍ତି ସଂସ୍କୃତି ଗବେଷକ ଡକ୍ଟର ଦେବାଶିଷ ପାଣ୍ଡିଆ ।


ଓଡିଶାର ପଶ୍ଚିମ ଭାଗରେ ଥିବା ସୁବର୍ଣ୍ଣପୁର ମାଟିର ସର୍ବଗ୍ରାହୀ ପର୍ଯ୍ୟଟନ କେବଳ ଓଡିଶା କାହିଁକି ସମଗ୍ର ଦେଶର ପର୍ଯ୍ୟଟନ ଧାରାରେ ଏକ ବି‌ଶ୍ୱମୁଖୀ ପର୍ୟ୍ୟଟନସ୍ଥଳୀର ମାନ୍ୟତା ରଖେ । ଆଶା ରଖିବା କେନ୍ଦ୍ର ସରକାରଙ୍କ ‌ସ୍ୱଦେଶ ଦର୍ଶନ ପରି ପର୍ଯ୍ୟଟନ ଯୋଜନାରେ ସୁବର୍ଣ୍ଣପୁର ସାମିଲ ହେବ ।

2 Comments
  1. Nuru Sahu says

    Hii

    1. Koshala Prabaha says

      ok

Leave A Reply

Your email address will not be published.