centurian jitm

ସାହିତ୍ୟ ପତ୍ରିକା ନବକାକଳିର ବିଷୁବ ପୁରସ୍କାର ଅନୁଷ୍ଠିତ

nschool
  • ସାହିତ୍ୟ ଗ୍ରାମରୁ ସୃଷ୍ଟି ହୁଏ ସହରରେ ଆଲୋଚନା ହୁଏ : ସଂଗ୍ରାମ ମହାପାତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସାହିତ୍ୟ ଗ୍ରାମରୁ ସୃଷ୍ଟି ହୁଏ ସହରରେ ଆଲୋଚନା ହୁଏ ବୋଲି ଅତିଥି ଭାବେ ଯୋଗଦେଇ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ମତ ରଖିଛନ୍ତି । ଜଗତସିଂହପୁର ଜିଲ୍ଲାର କେଳି-କାଞ୍ଚନ-ରତ୍ନାକର ପାଠାଗାର ଓ ବଣମଲ୍ଲୀ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ତ୍ରୈମାସିକ ସାହିତ୍ୟ ସଂସ୍କୃତି ଆଧ୍ୟାତ୍ମିକ ପତ୍ରିକା ନବକାକଳିର ବିଷୁବ ଉତ୍ସବ, ରାଜ୍ୟସ୍ତରୀୟ କବି ସମ୍ମେଳନ ଓ ସମ୍ବର୍ଦ୍ଧନା ସଭା କଟକ ସ୍ଥିତ ଗାନ୍ଧୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ସ୍ୱପ୍ନିଳ କବି ଡ. ସୁରେନ୍ଦ୍ରନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତା ଓ ନବକାକଳିର ପରିଚାଳନା ସଂପାଦିକା ମନୋରମା ଦାଶଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂଗ୍ରାମ କେଶରୀ ମହାପାତ୍ର, ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଡ. ନାରାୟଣ ପଣ୍ଡା, ଉଦ୍‌ଘାଟକ ଭାବେ ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ସମ୍ମାନିତ ଅତିଥି ଭାବେ ଡ. ସଂଗ୍ରାମ କେଶରୀ ସାମନ୍ତରାୟ, ରାଉରକେଲାର ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ସାହିତ୍ୟିକ ଦିଲ୍ଲୀପ ଦାସ ପ୍ରମୁଖ ଯୋଗଦେଇ ଓଡିଆ ନବବର୍ଷର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ସାହିତ୍ୟର ଦିଗନ୍ତ ବିସ୍ତାରୀ ଚେତନା ରହିଛି । ନବକାକଳି ହେଉଛି ସାହିତ୍ୟର ସ୍ୱରଲିପି । ଆଧୁନିକ ସାହିତ୍ୟ ମାନବବାଦର ସାହିତ୍ୟ ହେବା ଆବଶ୍ୟକ । ସେହିପରି କବିର କବିତା ମାନସିକ ଚେତନାର ଚୌହଦୀରେ, ଶାମୁକାର ମୁକ୍ତାରେ, ଘାସର କାକର ବିନ୍ଦୁରେ, ଗଛ ଡାଳର କଅଁଳ ପତ୍ରରେ ଥାଏ । ସାହିତ୍ୟ ପାଇଁ ଉତ୍ସର୍ଗୀକୃତ ମନୋଭାବ ଦରକାର । ଓଡିଆ ଭାଷା ସାହିତ୍ୟକୁ ବଂଚାଇ ରଖିବା ପାଇଁ ସମ୍ମିଳିତ ଉଦ୍ୟମର ଆବଶ୍ୟକ ବୋଲି ମତ ରଖିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ଆଚରଣ ଓ ଉଚ୍ଚାରଣରେ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ରଷ୍ଟା, ସମାଲୋଚକ ଓ ସଂଗଠକଙ୍କୁ ନେଇ ସମାବେଶ ସୃଷ୍ଟି ତଥା ସାହିତ୍ୟ ଗ୍ରାମରୁ ସୃଷ୍ଟି ହୁଏ ଓ ସହରରେ ଆଲୋଚନା ହୁଏ ବୋଲି ସେ ମତ ରଖିଥିଲେ । ଏହି ଅବସରରେ ଅତିଥିମାନେ ନବକାକଳିର ବିଷୁବ ବିଶେଷାଙ୍କ ଓ ଅମିତା ଦାସଙ୍କ ‘ଅପା’ର ତୃତୀୟ ସଂଖ୍ୟାକୁ ଉନ୍ମୋଚନ କରିଥିଲେ । ସାହିତ୍ୟ ପ୍ରତି ବିଶେଷ ଅବଦାନ ପାଇଁ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ରଙ୍କୁ ନବକାକଳି ବିଷୁବ ସମ୍ମାନ, ମୁଖ୍ୟବକ୍ତା ଡ. ପଣ୍ଡାଙ୍କୁ ପ୍ରଫେସର ଗୌରୀ କୁମାର ବ୍ରହ୍ମା ନବକାକଳି ବିଷୁବ ପ୍ରବନ୍ଧ ସମ୍ମାନ, ଡ. ସୁରେଶ ଚନ୍ଦ୍ର ପଣ୍ଡାଙ୍କୁ ନବକାକଳି ବିଷୁବ କବିତା ସମ୍ମାନ, କବି କୁଞ୍ଜବିହାରୀ ରାଉତଙ୍କୁ ନବକାକଳି କବି ଗୌରବ ସମ୍ମାନ ସହ ମୀନତି ଶତପଥୀ, ପ୍ରତିଭା ଶତପଥୀ, ଚୈତନ୍ୟ ରାଉତ, ଗୀତାଞ୍ଜଳୀ ପୃଷ୍ଟି, ଦେବେନ୍ଦ୍ର ନାଥ ସାହୁ, ସୁରଭି ଦ୍ୱିବେଦୀ, ସଞ୍ଜୟ କୁମାର ଚୌଧୁରୀ, ମୀନତି କର, ଡ. ଉମେଶ ମହାନ୍ତି, ଗୋକର୍ଣ୍ଣିକା ପତ୍ରିକାର ସଂପାଦକ ରମାକାନ୍ତ ଜେନାଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଭୂବନମୋହନ ମହାନ୍ତି ଓ ଗୀତାଞ୍ଜଳି ପୃଷ୍ଟିଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ରାଜ୍ୟର ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ଶିବାନୀ ଭଟ୍ଟାଚାର୍ଯ୍ୟ ସ୍ୱାଗତ ଭାଷଣ ରଖିଥିବା ବେଳେ ଅଧ୍ୟକ୍ଷ ଡ. ତ୍ରିପାଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଇଂ ବର୍ଷା ତ୍ରିପାଠୀ, କଲ୍ୟାଣୀ ମିଶ୍ର, ଦେବେନ୍ଦ୍ର ନାଥ କର, ସ୍ନିଗ୍ଧା ସ୍ୱୟଂପ୍ରଭା ଦାଶ, ପ୍ରଭାତୀ ମିଶ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ଉପସ୍ଥିତ ସମସ୍ତ ଅତିଥି ଓ କବିଙ୍କୁ ପଣା ଓ ପ୍ରସାଦ ସେବନରେ ଅପ୍ୟାୟିତ କରାଯାଇଥିଲା ।

Leave A Reply

Your email address will not be published.