ଡକାୟତି କରିବା ପୁର୍ବରୁ ୯ ଜଣ ଦୁର୍ବୃତ୍ତଙ୍କୁ କାବୁକଲା ଟିଟିଲାଗଡ଼ ପୋଲିସ : ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ଏସଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର

ଟିଟିଲାଗଡ, (ସଂଜୟ କୁମାର ନାୟକ) : ଡକାୟତି କରିବା ପୁର୍ବରୁ ୯ ଜଣ ଦୁର୍ବୃତ୍ତଙ୍କୁ କାବୁକଲା ଟିଟିଲାଗଡ଼ ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ଏସଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର । ସୂଚନା ଅନୁସାରେ ଗତ ୨୪ ତାରିଖ ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ସହର ନିକଟସ୍ଥ ବୁର୍ଡିପଡ଼ା ଗ୍ରାମ ପାଖରେ ଏକ ଆଜବେଷ୍ଟେଜ୍‌ ସେଡ୍‌ ତଳେ କିଛି ଯୁବକ ବସିଥିବା ଦେଖିବାକୁ ପାଇଥିଲା ପୋଲିସ । ତାଙ୍କ ନିକଟକୁ ଯିବା କ୍ଷଣି ସେମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ସମସ୍ତଙ୍କୁ ପୋଲିସ କାବୁ କରିଥିଲା । ତାଙ୍କ ନିକଟରୁ ଗୋଟାଏ ଭୁଜାଲି, ଦୁଇଟି ଆଇରନ ରଡ, ଛୁରୀ, ୩ ପୁଡିଆ ଲଙ୍କା ଗୁଣ୍ଡ, ଗୋଟିଏ ସ୍କୁଟି, ଦୁଇଟି ବାଇକ ସହ ଅନ୍ୟାନ୍ୟ ସାମଗ୍ରୀ ସହ ନଗଦ ଅର୍ଥ ଜବତ୍‌ କରାଯାଇଥିଲା । ପୋଲିସ ପଚରାଉଚରା କରିବାରୁ ସେମାନେ ଜଣେ ବ୍ୟବସାୟୀଙ୍କ ଘରୁ ଡକାୟତି ଯୋଜନା କରୁଥିବା ଜଣାପଡିଛି । ଗିରଫ ୯ ଜଣ ଅଭିଯୁକ୍ତମାନେ ହେଲେ ହାଇସ୍କୁଲପଡ଼ାର କାହ୍ନା ମନହୀରା, ପିଡବ୍‌ଲୁଡି କଲୋନୀର ଶ୍ରୀକାନ୍ତ ମିଶ୍ର, ବୁର୍ଡିପଡ଼ାର ଗୁଲାପ ବିଶି, ଚମରୁ ନାଗ, ବାସୁ ରତେଇ, ପ୍ରଭାତ ଭୋଇ, ବାନ୍ଧୁପଲାର ଚନ୍ଦନ ପଟେଲ, ସର୍ଗିଗୁଡ଼ାର ଓମ୍‌ ସାହୁ, ଲଖି ପଟେଲ ବୋଲି ସୂଚନାରେ କୁହାଯାଇଛି । ତେବେ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଟିଟିଲାଗଡ଼ ଏସଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର ଏବଂ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ।

Leave A Reply

Your email address will not be published.