ଅତି ଉତ୍ସାହରେ ସମାପିତ ହେଲା ଆନନ୍ଦ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ ଆନୁକୁଲ୍ୟରେ ଦେଶ ବ୍ୟାପୀ ‘ଆନନ୍ଦ ଉତ୍ସବ’ କର୍ମଶାଳା ଅତି ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି । ଦେଶବ୍ୟାପୀ ଏହି ପ୍ରଶିକ୍ଷଣ ଶିବିରରେ ୩୩ ହଜାର ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ରାଉରକେଲା ଶାଖା ଆନୁକୁଲ୍ୟରେ ସ୍ଥାନୀୟ ଭଞ୍ଜ ଭବନ ତଥା ଉଦିତ ନଗର ସ୍ଥିତ ଶ୍ରୀ ଶ୍ରୀ ସ୍ପେସରେ ଆୟୋଜିତ ଏହି ବିଶାଳ ପ୍ରଶିକ୍ଷଣ ଶିବିରରେ ଦେଢ଼ ଶହରୁ ଅଧିକ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ଗତ ଅଗଷ୍ଟ ୧୨ ତାରିଖରୁ ଆରମ୍ଭ ହୋଇ ଏହି ପ୍ରଶିକ୍ଷଣ ୧୭ ତାରିଖରେ ସମାପ୍ତ ହୋଇଥିଲା । ଆସନ, ପ୍ରାଣାୟାମ, ସୁଦର୍ଶନ କ୍ରିୟା, ଧ୍ୟାନ ଏବଂ ବିଭିନ୍ନ ଆଧ୍ୟାତ୍ମିକ ପ୍ରଶିକ୍ଷଣର ସମନ୍ଵୟ ଏହି କର୍ମଶାଳା ବିଶ୍ୱର୧୯୦ରୁ ଅଧିକ ଦେଶରେ ଗଭୀର ଆଦୃତି ଲାଭ କରିଛି । ବିଶ୍ଵ ବରେଣ୍ୟ ସନ୍ଥ ତଥା ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର ସଂସ୍ଥାପକ ପରମ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କର ଦେଶ ବ୍ୟାପୀ ଏହି କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଅନଲାଇନରେ ପ୍ରଶିକ୍ଷାର୍ଥୀମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ ଏବଂ ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ସ୍ଥାନୀୟ ଭଞ୍ଜ ଭବନ ପରିସରରେ ଏହି ଉପଲକ୍ଷେ ଆୟୋଜିତ ଏକ ଗଣ ମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କରି ଆର୍ଟ ଅଫ୍ ଲିଭିଂ ଜାତୀୟ ସ୍ତରର ପ୍ରଶିକ୍ଷକ ଦେବଜ୍ୟୋତି ମହାନ୍ତି ଆନନ୍ଦ ଉତ୍ସବ ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କ ବ୍ୟକ୍ତି ଗତ ଜୀବନରେ ଘଟିଥିବା ବିଭିନ୍ନ ସୁଫଳ ଉପରେ ଆଲୋକପାତ କରିଥିଲେ । ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ସ୍ଥାପିତ ସେକ୍ଟର ୨୦ ଓ ସେକ୍ଟର ୨୨ ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ତଥା ସେକ୍ଟର ୧୯ ସ୍ଥିତ ଇସ୍ପାତ ବିଦ୍ୟାମନ୍ଦିରର ଶିକ୍ଷା ଦାନ ଓ ପରିଚାଳନା ଦାୟିତ୍ୱ ନିକଟ ଅତୀତରେ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟା ମନ୍ଦିର ଟ୍ରଷ୍ଟକୁ ପ୍ରଦାନ କରାଯାଇଥିବା କଥା ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ । ବିଶ୍ରା ବ୍ଲକରେ ଇସ୍ପାତ କାରଖାନା ପାର୍ଶ୍ୱାଞ୍ଚଳରେ ଦଶମ ପାସ କରି ନଥିବା ପିଲାମାନଙ୍କ ପାଇଁ ଜାରି ରହିଥିବା ନିଶୁଳ୍କ ଏୟାର କଣ୍ଡିସନ ମରାମତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ରାଉରକେଲାଠାରୁ ପ୍ରାୟ ୪୦ କିଲୋମିଟର ଦୂର ଅରଣ୍ୟ ମଧ୍ୟ ରେ ଥେଟେଇପୋଷ ପଞ୍ଚାୟତର ସାନ ବମ୍ବୁଆଠାରେ ଆଦିବାସୀ ଓ ବଞ୍ଚିତ ବର୍ଗର ପିଲାମାନଙ୍କ ପାଇଁ ସ୍ଥାପିତ ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ବିଦ୍ୟାଳୟରେ ପ୍ରାୟ ୨୫୦ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ସହିତ ନିଶୁଳ୍କ ଶିକ୍ଷା ଦାନ ଦିଆଯାଉଛି ବୋଲି ସେ ପ୍ରକାଶ କରିଥିଲେ । ଏହି ଗଣମାଧ୍ୟମ ସମ୍ମିଳନୀରେ ରଶ୍ମୀ ରଞ୍ଜନ ଦାସ, ଲଳିତ ସୁନ୍ଦର ଜେନା, ଚନ୍ଦ୍ରଚୁଡ ପାଣିଗ୍ରାହୀ, ତୁଷାର ବାଳା ତ୍ରିପାଠୀ ବଲ ବିନ୍ଦର କୌର, ସଞ୍ଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥାଇ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଆନନ୍ଦ ଉତ୍ସବ କର୍ମଶାଳାରେ କାଜଲ ଦାସ, ଭଗବାନ ଦାସ ଶିବ ହରେ, ରାମ କୃଷ୍ଣ ପ୍ରଧାନ, ଗୋପାଳ ସାହୁ, ରୀନା ଶର୍ମା, ତପସ୍ୱିନୀ ପ୍ରଧାନ, ପ୍ରକାଶ ନାୟକ, ରମେଶ ସେନାପତି, ସରୋଜ ଦାସ, ତପସ୍ୱିନୀ ମିଶ୍ର, ହେମନ୍ତ ପତି, ସସ୍ମିତା ସୁବୁଦ୍ଧି, ପୁଷ୍ପଶ୍ରୀ ସାହୁ , ଅଜିତା ବେହେରା ପ୍ରମୁଖ ପ୍ରଶିକ୍ଷକ ଏବଂ ସ୍ଵେଚ୍ଛାସେବୀ ମାନେ ସହଯୋଗ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.