ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟରରେ ଧୁମ୍‌ଧାମ୍‌ରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପୁରପଲ୍ଲୀ ଉତ୍ସବ ମୁଖର ହୋଇପଡିଛି । ବର୍ତ୍ତମାନ ଆଜାଦୀର ଅମୃତ ମହୋତ୍ସବ ପାଳନ ଅବସରରେ ରାଜ୍ୟ ସରକାରଙ୍କ ସମଗ୍ର ଶିକ୍ଷା ଯୋଜନା ଅଧୀନରେ ସମସ୍ତ ବିଦ୍ୟାଳୟରେ ସପ୍ତାହ ବ୍ୟାପୀ ତ୍ରିରଙ୍ଗା ପତାକା ଉଡ଼ାଇବା ପାଇଁ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ସରକାର ଚିଠି କରିଛନ୍ତି । ଏହାକୁ ସଠିକ୍‌ ଭାବେ ଅନୁପାଳନ କରି ବର୍ତ୍ତମାନ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ସିଆର୍‌ସିସି ଦିବସ କୁମାର ସାହୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବୈତାଳି କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରେ ସପ୍ତାହ ବ୍ୟାପୀ ଆମ ଦେଶର ଗର୍ବର ପ୍ରତୀକ ତ୍ରିରଙ୍ଗା ଉଡ଼ୁଛି । ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ସିଆର୍‌ସିସି ଶ୍ରୀ ସାହୁଙ୍କ ଉଦ୍ୟମ କ୍ରମେ ପୁଟୁକିଡୁଙ୍ଗୁରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ତଥା ଗ୍ରାମବାସୀମାନଙ୍କୁ ନେଇ ଏକ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟରୁ ଏକ ଶୋଭାଯାତ୍ରା ଆରମ୍ଭ କରି ଗ୍ରାମ ପରିକ୍ରମା କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁ ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ତ୍ରିରଙ୍ଗା ପତାକା ଯୋଗାଇ ଦେଇଥିବା ବେଳେ ତ୍ରିରଙ୍ଗା ପତାକାକୁ କିଭଳି ସମ୍ମାନ ପ୍ରଦର୍ଶନ କରିବାକୁ ହୁଏ ସମସ୍ତଙ୍କୁ ବୁଝାଇଥିଲେ । ଏହାପରେ ଛାତ୍ରଛାତ୍ରୀମାନେ ନୃତ୍ୟ ମାଧ୍ୟମରେ ଦେଶଭକ୍ତି ପ୍ରଦର୍ଶନ କରିଥିଲେ । ଯାହାକୁ ଗ୍ରାମବାସୀ ଆନ୍ତରିକତା ସହ ସମର୍ଥନ କରିବା ସହ ସମସ୍ତେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସବୁଠାରୁ ଆକର୍ଷଣୀୟ ଥିଲା ଗ୍ରାମର ବୃଦ୍ଧାମାନଙ୍କ ଦେଶଭକ୍ତି ଗୀତର ତାଳରେ ନୃତ୍ୟ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଲାଲଙ୍କ ସମେତ ସହକାରୀ ଶିକ୍ଷକ ଅନନ୍ତ ମେହେର, ଜୟଦେବ ପ୍ରଧାନ, ବୁଦ୍ଧଦେବ ଭୁଏ, ରାମେଶ୍ୱର ହରିପାଳ ତଥା ସୋନୁ ରୋହୀଦାସ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସରକାରୀ ବିଦ୍ୟାଳୟରେ ତଥା ଉପାନ୍ତ ଅଞ୍ଚଳର ପିଲାମାନଙ୍କ ଦେଶଭକ୍ତି ଗୀତର ତାଳେ ତାଳେ ନୃତ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା । ସିଆରସିସି ଦିବସ କୁମାର ସାହୁଙ୍କ ଉକ୍ତ ମହତ ପ୍ରୟାସକୁ ଲୋକେ ଉଚ୍ଚ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.