ପଲସାନୀ ଗ୍ରାମର ଯୁଧିଷ୍ଠିର ମଲ୍ଲିକଙ୍କୁ ସରକାର ଅଭିଶାପ ଦେଇଛନ୍ତି କି ?

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମ ପଂଚୟତ ଅଧୀନରେ ଯାଏ ଏକ ଲ୍ଲୀଗ୍ରାମ ପଲସାନୀ । ପଦ୍ମପୁର ତହସିଲ ଅଫିସକୁ ନିର୍ଭର କରିଥାନ୍ତି ଏଠାକାର ଲୋକେ । ଗତ କିଛି ମାସ ତଳେ ଅଦିନିଆ ତୁହାକୁ ତୁହା ବର୍ଷା ହେବା ଫଳରେ ୭୩ ବର୍ଷରେ ପାଦ ଥାପିଥିବା ଯୁଧିଷ୍ଠିର ମଲ୍ଲିକଙ୍କ ମାଟି ଘରଟି ଏକା ବେଳକେ ମାଟିରେ ମିଶିଗଲା । ଯୁଧିଷ୍ଠିର ମଲ୍ଲିକ ସଂପୂର୍ଣ୍ଣ ଗରିବ ଶ୍ରେଣୀର ହୋଇଥିବାରୁ ବି.ପି.ଏଲ୍ ସୀମା ରେଖା ତଳେ ସରକାରୀ ପଂଜିକୃତ ମଧ୍ୟ ବହୁ ଦିନରୁ ହୋଇ ସାରିଛନ୍ତି । ମୁଣ୍ଡ ଗୁଂଜିବାକୁ ଆଶ୍ରିତ ମାଟି ଘରଟି ମାଟିରେ ମିଶିଯିବା ଫଳରେ ନିଜକୁ ମିଶାଇ ଚାରି ପ୍ରାଣୀ କୁଟୁମ୍ବ ଆଜି ପର୍ୟ୍ୟନ୍ତ ବାର ଦୁଆର ଶୁଣ୍ଢି ପିଣ୍ଢା ହୋଇ ଏଣେ ତେଣେ ଲୋକଙ୍କ ବାରଣ୍ଡାରେ ଦୁଃଖ କଷ୍ଟରେ ରହୁଛନ୍ତି । ଏ ସମ୍ପର୍କରେ ଏଠାକାର ଏକମାତ୍ର ୱାର୍ଡ ମେମ୍ବର ରମେଶ ପ୍ରଧାନ ଯୁଧିଷ୍ଠିର ମଲ୍ଲିକଙ୍କ ପାଖକୁ ଯାଇ ଏ ସମ୍ପର୍କ ରେ ତହସିଲଦାର ପଦ୍ମପୁରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦେବାରୁ ଲକ ଡାଉନ ସମୟରେ ମଧ୍ୟ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇବାକୁ ଧାଇଁ ଯାଇଥିଲେ । ହେଲେ କରୋନା ମାଡ କାହାକୁ ଫାଇଦା ଦେଉ ଅବା ନଦେଉ, କେତେକ ଉଚ୍ଚପଦସ୍ଥ କର୍ମଚାରୀଙ୍କ ପାଇଁ ଏକ ପୌଷ ମାସରେ ପରିଣତ ହେଲା ଭଳି ପଦ୍ମପୁର ତହସିଲଦାର ଶ୍ରୀ ମଲ୍ଲିକଙ୍କୁ ଦରଖାସ୍ତ ‘ତୁ ସେଠି ଫୋପାଡି ଦେ’, ମୁଁ ତାକୁ ପରେ ଦେଖିବି ବୋଲି କହିଥିଲେ’ ବୋଲି ଅଭିଯୋଗକାରୀ ଜଣାଇଛନ୍ତି । ତଥାପି ଯୁଧିଷ୍ଠିର ହତୋତ୍ସାହ ନ ହୋଇ ଦୀର୍ଘ ସମୟ ଧରି ତହସିଲଦାରଙ୍କ କଥାକୁ ସମ୍ମାନ ଜଣାଇ ଅପେକ୍ଷା କଲେ । ହେଲେ ତାଙ୍କ ଠାରୁ କୌଣସି ଜବାବ ଟିଏ ମଧ୍ୟ ଅଦ୍ୟାବଧି ମିଳି ପାରିଲାନାହିଁ । ସେ ଅପାଠୁଆ ହୋଇ ଥିବାରୁ ଡଷ୍ଟବିନ୍ କଣ ଜାଣିନାହାନ୍ତି । ତେଣୁ ତାଙ୍କ ଅଭିଯୋଗ ଫର୍ଦର ଦରଖାସ୍ତ ଟିକୁ ତହସିଲ କାର୍ୟ୍ୟାଳୟରେ ଥିବା ଡଷ୍ଟବିନ ବକ୍ସରେ ପକାଇ ଦେଇନାହାନ୍ତି ତ ବୋଲି ଏଠାକାର ଲୋକେ ସନ୍ଧେହ କରୁଛନ୍ତି । ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ମିଳିତ କ୍ରମେ ଆମ ବ୍ଲକରେ ପ୍ରଚଳିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଟିଏ ଏଭଳି ଅସହାୟ ଦିଗହରା ସର୍ବହରା ବ୍ୟକ୍ତିକୁ ମିଳିବା କଥା । କିନ୍ତୁ ଏଇ ବ୍ଲକରେ ଜଣେ ଜଣେ ମଣିଷର ସବୁ ଥାଇ ମଧ୍ୟ ଦୁଇ ଦୁଇଟି ଇନ୍ଦିରା ଆବାସ ହାତେଇ ନେବା ବିଭିନ୍ନ ସଂବାଦପତ୍ର ତଥା ଗଣମଧ୍ୟମରେ ଆଗରୁ ପ୍ରକାଶିତ ହୋଇସାରିଛି । ହେଲେ ଉପଯୁକ୍ତ ବି.ପି.ଏଲ ଧାରୀଙ୍କୁ ଚିହ୍ନଟ କରି ଅସହାୟ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ଉପଯୁକ୍ତ ଥଇଥାନ କରିବା ଜିଲ୍ଲା ପ୍ରଶାସନ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଇକମାଲଙ୍କ କର୍ତ୍ତବ୍ୟ ଅଟେ । ହେଲେ ଏଠି ସେଠି ସବୁଠି ଓଲଟା ଗତିରେ ଚାଲିଛି ସରକାରୀ ଯୋଜନାର ରୂପରେଖ ବୋଲି ସାଧାରଣରେ ଆଲୋଚନା ହେଉଛି । ଏଣୁ ଯୁଧିଷ୍ଠିର ମଲ୍ଲିକଙ୍କ ଦହନୀୟ ସମୟରେ ଉପଯୁକ୍ତ ତଦନ୍ତ ପୂର୍ବକ ତାଙ୍କୁ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଟିଏ ଯୋଗାଇ ଦେବାକୁ ଓଡିଶା ସରକାରଙ୍କ ଠାରେ ଦାବୀ କରାଯାଇଛି । ଏଠି ଏକ ପ୍ରଶ୍ନ ଉଙ୍କି ମାରୁଛି, ସତରେ କଣ ଯୁଧିଷ୍ଠିର ମଲ୍ଲିକ ଏଇ ସ୍ୱାଧୀନ ଭାରତ ବର୍ଷରେ ଅଭିଶପ୍ତ ମଣିଷଟିଏ……!

Leave A Reply

Your email address will not be published.