ଭୁବନେଶ୍ୱର : ଦ୍ୱିତୀୟ ପର୍ୟ୍ୟାୟ ଜେଇଇ ମେନ୍ ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ଅନୁଷ୍ଠିତ ହୋଇ ୧୮ ତାରିଖରେ ସରିବ । ଦ୍ୱିତୀୟ ପର୍ୟ୍ୟାୟ ଜେଇଇ ମେନ୍ ପାଇଁ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନ୍ଟିଏ) ପକ୍ଷରୁ ଶୁକ୍ରବାର ଆଡମିଟ୍ କାର୍ଡ ଜାରି କରାଯାଇଛି । ପରୀକ୍ଷା କମ୍ପ୍ୟୁଟର୍ ବେସ୍ଡ ଟେଷ୍ଟ୍ ବା ସିବିଟି ମୋଡ୍ରେ ହେବ ବୋଲି ସୂଚନା ମିଳିଛି । ଛାତ୍ରଛାତ୍ରୀମାନେ ନିଜର ଆବେଦନ ଫର୍ମର ନମ୍ବର ଓ ଜନ୍ମ ତାରିଖ ଦେଇ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ବୋଲିଡ. ସାଧନା ପରିସର କହିଛନ୍ତି । jeemain.nta.nic.inରୁ ଡାଉନ୍ଲୋଡ୍ ସମୟରେ ଅସୁବିଧା ହେଲେ ୦୧୧-୪୦୭୫୯୦୦୦ରେ ଯୋଗାଯୋଗ କରିବାକୁ କୁହାଯାଇଛି । ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଆରମ୍ଭ ହେବାର ଏକ ଘଣ୍ଟା ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାକୁ ପଡ଼ିବ । ପ୍ରାର୍ଥୀମାନେ ପରିଚୟ ପ୍ରମାଣ (ଭୋଟର୍ ଆଇ କାର୍ଡ଼/ଆଧାର କାର୍ଡ଼/ଡ୍ରାଇଭିଂ ଲାଇସେନ୍ସ/ପାସପୋର୍ଟ) ସମେତ ଆତ୍ମଘୋଷଣା ଫର୍ମ (ସେଲ୍ଫ ଡିକ୍ଲାରେସନ୍ ଫର୍ମ) ମଧ୍ୟ ନେଇ ଆସିବେ । ନଚେତ୍ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ ନାହିଁ । ସେହିପରି କରୋନା କଟକଣା କଡ଼ାକଡ଼ି ମାନିବା ନେଇ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି । ଓଡ଼ିଶାରେ ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା, ଢେଙ୍କାନାଳ, କଟକ, ବ୍ରହ୍ମପୁର, ବାଲେଶ୍ୱର, ଅନୁଗୁଳ, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ପୁରୀ, ଜଗତସିଂହପୁର ସମେତ ୧୭ଟି ସହରର ୮୫ଟି କେନ୍ଦ୍ରରେ ଜେଇଇ ମେନ୍ ଅନୁଷ୍ଠିତ ହେବ । ସେହିପରି ଦେଶ ଓ ବିଦେଶରେ ୩୩୧ଟି କେନ୍ଦ୍ରରେ ପରୀକ୍ଷା ହେବ ବୋଲି ଏନ୍ଟିଏର ବରିଷ୍ଠ ପରୀକ୍ଷା ନିର୍ଦ୍ଦେଶକ ଡ. ସାଧନା ପରିସର ସୂଚନା ଦେଇଛନ୍ତି ।