ଦେଶରେ ଆରମ୍ଭ ହେଲା ୫ଜି ଯୁଗ, ପ୍ରଗତି ମୈଦାନରୁ ପ୍ରଧାନମନ୍ତ୍ରୀ କଲେ ଉଦ୍‌ଘାଟନ

ନୂଆଦିଲ୍ଲୀ : ଦେଶରେ ବହୁ ପ୍ରତୀକ୍ଷିତ ୫ଜି ସେବା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଏହି ୫ଜି ସେବା ଆରମ୍ଭ କରିଛନ୍ତି । ଟେକ୍ନୋଲୋଜିର ଏହି ନୂଆ ପିଢିରେ ଭାରତ ପ୍ରବେଶ କରି ଚୀନ, ଦକ୍ଷିଣ କୋରିଆ, ଆମେରିକା ଆଦି ଦେଶ ସହିତ ସାମିଲ ହୋଇଛି । ଆଜିଠାରୁ ଦେଶର ୧୩ଟି ସହରରେ ୫ଜି ସେବା ଆରମ୍ଭ ହେବ । ଏଥିରେ ଦିଲ୍ଲୀ, ମୁମ୍ବାଇ ମଧ୍ୟ ରହିଛି । ଯଦିଓ ଏଥିପାଇଁ ଏକ ନୂଆ ପ୍ଲାନ୍ ବା ଟାରିଫ ଗ୍ରହଣ କରିବାକୁ ପଡିବ କିମ୍ବା ଆରମ୍ଭରେ ଏକ ଅଫର ଆସିବ, ଏହା ଉପରେ କୌଣସି ସୂଚନା ମିଳିନାହିଁ । ଆଜିଠାରୁ ଇଣ୍ଡିଆନ ମୋବାଇଲ୍ କଂଗ୍ରେସ ମଧ୍ୟ ଆରମ୍ଭ ହୋଇଛି । ଚାରି ଦିନ ପର୍ଯ୍ୟନ୍ତ ଚାଲିବ ଏହି ସମ୍ମିଳନୀ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇ ୫ଜି ସେବା ଆରମ୍ଭ କରିଥିଲେ । ଏହି ସମୟରେ ସେ ଟେଲିକମ୍ ଅପରେଟରମାନଙ୍କ ସହିତ ମଧ୍ୟ ମୋଦୀ କଥା ହୋଇଥିଲେ । ଏବେ ୪ଜିରୁ ଅପଗ୍ରେଡ୍ କରି ଆମେ ୫ଜି ସେବାରେ ପହଞ୍ଚିଛୁ ବୋଲି କହିଥିଲେ ।

୪ଜି ତୁଳନାରେ, ୫ଜି ନେଟୱାର୍କର ସ୍ପିଡ ୧୦ ଗୁଣା ଅଧିକ । ଏହା ଦ୍ୱାରା ରିଏଲ ଟାଇମରେ ଡାଟା ସେୟାର କରିବା କୋଟି କୋଟି ଲୋକଙ୍କୁ ସହଜ ହୋଇଯିବ । ଯାହାଦ୍ୱାରା ଅନେକ ସମୟ ମଧ୍ୟ ବଞ୍ଚିବ । ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଲଞ୍ଚ କରିବା ସହିତ ନିଜେ ଏହାକୁ ବ୍ୟବହାର କରି ଦେଖିଛନ୍ତି ୫ଜିର ସ୍ପିଡ କେତେ ରହିଛି । ୫ଜିର ସ୍ପିଡ ୪ଜି ଠାରୁ ୧୦ ଗୁଣ ଅଧିକ ରହିବ । ଏହି ଉଦ୍‌ଘାଟନ ସମୟରେ ଦେଶର ତିନି ପ୍ରମୁଖ ଟେଲିକମ୍ ଅପରେଟରମାନେ ଭାରତରେ ୫ଜି ଟେକ୍ନୋଲୋଜିର ସମ୍ଭାବନା ଦେଖାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଏକ ଟେକ୍ନୋଲୋଜି ପ୍ରଦର୍ଶନ କରିଥିଲେ । ଏହି ପ୍ରଦର୍ଶନୀରେ ପ୍ରଧାନମନ୍ତ୍ରୀ ହାଇ-ସିକ୍ୟୁରିଟି ରାଉଟର, ସାଇବର ଅପରାଧକୁ ରୋକିବା ଆଦି ଉପରେ ଗୁରୁତ୍ୱ ଦେଇଥିଲେ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ କହିଛନ୍ତି ଯେ ଡିସେମ୍ବର ୨୦୨୩ ସୁଦ୍ଧା ଜିଓ ୫ଜି ସେବା ଦେଶର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବ । କମ୍ ଦାମରେ ଏହି ସେବା ଯୋଗାଇ ଦେବ ବୋଲି ଜିଓ କହିଛି । ସେହିପରି ଭୋଡାଫୋନ୍ ଆଇଡିଆ କହିଛି, ୫ଜି ଟେକ୍ନୋଲୋଜି ନିର୍ମାଣ ଶ୍ରମିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ । ଏଥିସହ ୫ଜି ଟେକ୍ନୋଲୋଜି କେବଳ ଇଣ୍ଟରନେଟର ସ୍ପିଡ ନୁହେଁ ଏହା ଲୋକଙ୍କୁ ଅନେକ ପ୍ରକାରର ସୁବିଧା ଯୋଗାଇବ ।

Leave A Reply

Your email address will not be published.