ନୂଆଦିଲ୍ଲୀ : ଯୋଗ ଗୁରୁ ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଦ୍ୱାରା ବିକଶିତ କରୋନିଲ କିଟ୍କୁ ଭୁଟାନ ପରେ ନେପାଳ ନିଷିଦ୍ଧ କରିଛି । ନେପାଳ ଆୟୁର୍ବେଦ ଓ ଅଲଟରନେଟିଭ ମେଡିସିନ ବିଭାଗ କରୋନା ସଂକ୍ରମଣ ରୋକିବାରେ କରୋନିଲ ପ୍ରଭାବଶାଳୀ ହେଉନଥିବାରୁ କରୋନିଲ କିଟ୍ ବଣ୍ଟନକୁ ବନ୍ଦ କରିଦେଇଛି । ନେପାଳର ଆୟୁର୍ବେଦ ଏବଂ ବିକଳ୍ପ ଔଷଧ ବିଭାଗ କହିଛି ଯେ ୧,୫୦୦ କରୋନିଲ କିଟ୍ ଆମଦାନୀ କରିବା ସମୟରେ ଆବଶ୍ୟକ ପଦ୍ଧତି ଗ୍ରହଣ କରାଯାଇ ନାହିଁ । ରାମଦେବ ନେପାଳକୁ ଉପହାରରେ ଏହି କରୋନିଲ କିଟ୍ ପ୍ରଦାନ କରିଥିଲେ । ତେବେ ନେପାଳ ସରକାରଙ୍କ ଏହି ଆଦେଶ ଏବେ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ବୋଲି ମଧ୍ୟ ବିଚାର କରାଯାଉଛି । ପ୍ରଧାନମନ୍ତ୍ରୀ ଓଲିଙ୍କ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ହୃଦୟେଶ ତ୍ରିପାଠୀ ଏବଂ ମହିଳା ଓ ଶିଶୁ ବିକାଶ ପ୍ରଭାରୀ ଜୁଲି ମହତୋଙ୍କ କାର୍ୟ୍ୟକାଳରେ ଦେଶରେ କରୋନିଲର ପ୍ରଚଳନ ହୋଇଥିଲା । ଅନ୍ୟପକ୍ଷରେ ଭାରତର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ପତଞ୍ଜଳି ଔଷଧ ଉପରେ ନେପାଳ କୌଣସି ଆନୁଷ୍ଠାନିକ ପ୍ରତିବନ୍ଧକ ନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ନେପାଳ ସରକାର ଦେଶରେ ପତଞ୍ଜଳିର ଆୟୁର୍ବେଦ ଭିତ୍ତିକ କରୋନିଲ ବିରୋଧରେ କୌଣସି ଆନୁଷ୍ଠାନିକ ନିଷେଧାଦେଶ ଜାରି କରି ନାହାଁନ୍ତି । ସାଧାରଣ ଜନତାଙ୍କୁ ବଣ୍ଟନ କରାଯିବାକୁ ଥିବା ଯେ କୌଣସି ପ୍ରକାରର ଔଷଧ ପ୍ରଥମେ ସ୍ୱାସ୍ଥ୍ୟ ଓ ଜନସଂଖ୍ୟା ମନ୍ତ୍ରଣାଳୟ ଅଧୀନରେ ଥିବା ଔଷଧ ପ୍ରଶାସନ ବିଭାଗରେ ପଞ୍ଜିକୃତ ହେବା ଆବଶ୍ୟକ ବୋଲି କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । କିଛି ଦିନ ପୂର୍ବରୁ ଭୁଟ୍ଟାନ ସରକାର କରୋନିଲ କିଟ୍ ଉପରେ ଦେଶରେ ନିଷିଦ୍ଧାଦେଶ ଜାରି କରିଛନ୍ତି । ଭୁଟ୍ଟାନ ଡ୍ରଗ ରେଗୁଲେଟରୀ ଅଥରିଟି ଦେଶରେ ଏପରି କୌଣସି ଔଷଧର ବିକ୍ରି ଓ ବିତରଣ ଉପରେ କଟକଣା ଜାରି କରାଯାଇଛି ।
Prev Post