om academy

ନୂତନ ଭାରତ ବଜାର ଶକ୍ତି ଉପରେ ନିର୍ଭର କରେ, ଏହା ଏବେ ନିବେଶର ସବୁଠାରୁ ପସନ୍ଦଯୋଗ୍ୟ ଲକ୍ଷ୍ୟସ୍ଥଳୀ ହେବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : କରୋନା ମହାମାରୀ ବିରୋଧରେ ଭାରତ ସାତ ମାସ ଧରି ସଂଗ୍ରାମ ଜାରି ରଖିଆସିଛି । ଗତ ମାର୍ଚ୍ଚ ମାସରେ ପ୍ରଥମେ ଲକଡାଉନ୍ ଘୋଷଣା କରାଯାଇଥିଲା।
ପ୍ରଧାନମନ୍ତ୍ରୀ କହିଛ‌ନ୍ତି ଯେ, ମୁଁ ଦୃଢ଼ ନିଶ୍ଚିତ ଏକଥାରେ ଆମେ ସଭିଏଁ ସହମତ ହେବା ଯେ ଏହି ଭୂତାଣୁ ସଂପର୍କରେ ପୂର୍ବରୁ ସମସ୍ତେ ଅନଭିଜ୍ଞ ଥିଲେ । ଅତୀତରେ ଏଭଳି ଭୂତାଣୁ ବିଷୟରେ କାହାକୁ କିଛି ହେଲେ ଜଣାନଥିଲା । ତେଣୁ, ଏଭଳି ନୂତନ ଓ ଅଜଣା ଶତ୍ରୁ ବିରୁଦ୍ଧରେ ଆମ କାର୍ୟ୍ୟାନୁଷ୍ଠାନର ଉପାୟକୁ ଆମକୁ ହିଁ ବିକଶିତ କରିବାକୁ ପଡ଼ିଥିଲା । ମୁଁ କୌଣସି ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ ନୁହେଁ । କିନ୍ତୁ ମୋର ଆକଳନ କେବଳ ସଂଖ୍ୟାରେ ହିଁ ସୀମିତ । ମୁଁ ଭାବୁଛି ଆମେ ଆମର କରୋନା ଭୂତାଣୁ ବିରୋଧୀ ସଂଗ୍ରାମର ମେରିଟକୁ ଆମେ କେତେ ସଂଖ୍ୟାରେ ଜୀବନ ବଞ୍ଚାଇପାରିଛୁ ସେହି ଅନୁସାରେ ବିଚାର କରିବା ଉଚିତ ହେବ ।

ପ୍ରଧାନମନ୍ତ୍ରୀ କହିଛ‌ନ୍ତି,ଏହି ଭୂତାଣୁର ସଂକ୍ରମଣ ବେଶ୍ ବିଚିତ୍ର ପରି ମନେହୁଏ । ଏକ ସମୟରେ, ଗୁଜରାଟ ଭଳି କେତେକ ସ୍ଥାନକୁ ହଟ୍ ସ୍ପଟ୍ ବୋଲି ବିବେଚନା କରାଯାଉଥିଲା ଯଦ୍ୟପି କେରଳ, କର୍ଣ୍ଣାଟକ ଆଦି ସ୍ଥାନରେ ଏହା ନିୟନ୍ତ୍ରଣାଧୀନ ଥିଲା । କିନ୍ତୁ କିଛି ମାସ ପରେ ଗୁଜରାଟରେ ଅବସ୍ଥା ସୁଧୁରିବାକୁ ଆରମ୍ଭ କରିବା ବେଳେ କେରଳରେ ପରସ୍ଥିତି ଜଟିଳ ହେବା ଲକ୍ଷ୍ୟ କରାଯାଇଥିଲା । ସେଥିପାଇଁ ମୁଁ ଭାବୁଛି କରୋନା ବିରୁଦ୍ଧରେ ଆମର ସଂଗ୍ରାମରେ ଆମେ କୌଣସି ପ୍ରକାର ହେୟ ମନୋଭାବ ପୋଷଣ କରିବା ଅନୁଚିତ । ଅକ୍ଟୋବର ୨୦ ତାରିଖ ଦିନ ମୁଁ ଦେଶବାସୀଙ୍କୁ ଦେଇଥିବା ବାର୍ତ୍ତାରେ ମଧ୍ୟ ସେଇ କଥା ଉପରେ ଜୋର ଦେଇଥିଲି ଯେ ଆଗକୁ ଆମର କର୍ତ୍ତବ୍ୟ ହେବ କେବଳ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ରକ୍ଷା କରିବା । “ଜବ୍ ତକ୍ ଦବାଇ ନେହିଁ, ତବ୍ ତକ୍ ଢିଲାଇ ନେହିଁ ।”

ସେ କହିଛ‌ନ୍ତି ଯେ, କରୋନା ଭୂତାଣୁ ସଂକ୍ରମଣର ପ୍ରାରମ୍ଭିକ ପର୍ୟ୍ୟୟରେ ଗ୍ରହଣ କରାଯାଇଥିବା ସକାରାତ୍ମକ ପଦକ୍ଷେପମାନ ଆମକୁ ଏହି ମହାମାରୀ ବିରୋଧରେ ପ୍ରତିରକ୍ଷା ବ୍ୟବସ୍ଥା ପ୍ରସ୍ତୁତିରେ ଆମକୁ ବେଶ୍ ସହାୟକ ହୋଇପାରିଥିଲା । ଯଦିଚ, ଅସମୟରେ କୌଣସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ବେଶ ଯନ୍ତ୍ରଣାଦାୟକ ଥିଲା, ତଥାପ ଭାରତ ଭଳି ଆକାରର ଏକ ରାଷ୍ଟ୍ର ସକାଶେ, ଆମର ବ୍ୟବସ୍ଥା ଯେତିକି ଖୋଲାମେଲା, ଆମର ବ୍ୟବସ୍ଥା ଯେତିକି ପରସ୍ପର ସହ ସଂଯୁକ୍ତ, ସେହି ଦୃଷ୍ଟିରୁ ଦେଖିଲେ ସମଗ୍ର ବିଶ୍ୱରେ କରୋନା ଜନିତ ମୃତ୍ୟୁହାର ଦୃଷ୍ଟିରୁ ଆମେ ସର୍ବ ନିମ୍ନରେ ରହିଛୁ । ଆମର ଆରୋଗ୍ୟ ହାର ମାତ୍ରା ନିରବଚ୍ଛିନ୍ନ ଭାବେ ଉପରକୁ ଉପରକୁ ବୃଦ୍ଧି ପାଇଚାଲିଛି ଏବଂ ଆମର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବେଶ୍ ଉଲ୍ଲେଖନୀୟ ମାତ୍ରାରେ କମି କମି ଚାଲିଛି । ସେପ୍ଟେମ୍ବର ମଧ୍ୟଭାଗରେ ଯେତେବେଳେ କି ଏହି ମହାମାରୀ ତା’ର ଶିଖର ପର୍ୟ୍ୟାୟରେ ଥିଲା, ସେତେବେଳେ ଦିନକୁ ୯୭,୮୯୪ ଜଣ ଦୈନିକ ଆକ୍ରାନ୍ତ ହେଉଥିବା ବେଳେ ଅକ୍ଟେବର ଶେଷ ଭାଗକୁ ଏହା ୫୦,୦୦୦ ପାଖାପାଖି ହୋଇଥିବା ଜଣାପଡ଼ିଛି । ଏହା ସେଇଥିପାଇଁ ସମ୍ଭବପର ହୋଇପାରିଛି କାରଣ ସମଗ୍ର ଭାରତ ଏକଜୁଟ ହୋଇପାରିଛନ୍ତି ଏବଂ ସେମାନେ ଟିମ୍ ଇଣ୍ଡିଆ ଭାବେ କାର୍ୟ୍ୟ କରୁଛନ୍ତି ।

ପ୍ରଧାନମନ୍ତ୍ରୀ‌ଙ୍କ ମତରେ ଏହା ଏକ ସଂପୂର୍ଣ୍ଣ ନୂଆ ପ୍ରକାରର ଭୂତାଣୁ। ଯେଉଁସବୁ ରାଷ୍ଟ୍ରମାନେ ପ୍ରାରମ୍ଭିକ ପର୍ୟ୍ୟାୟରେ ଏହାକୁ ନିୟନ୍ତ୍ରଣ କରିପାରିଥିଲେ ସେଠାରେ ଏବେ ପୁଣି ଥରେ ଏହି ମହାମାରୀ ମୁଣ୍ଡ ଟେକିଛି ବୋଲି ଖବର ମିଳିଛି । ଭାରତର ଭୌଗୋଳିକ ବ୍ୟାପ୍ତି, ଜନସଂଖ୍ୟାର ସାନ୍ଦ୍ରତା, ନିୟମିତ ଭାବେ ହେଉଥିବା ସାମାଜିକ ଜନ ସମାଗମ ପ୍ରତି ମଧ୍ୟ ଆମକୁ ଧ୍ୟାନ ଦେବାକୁ ପଡ଼ିବ । ଯେତେବେଳେ ଆମେ ଏହିସବୁ ସଂଖ୍ୟା କଥା ଚିନ୍ତାକରୁ ଏବଂ ଅନ୍ୟମାନଙ୍କ ସହ ନିଜକୁ ତୁଳନା କରୁ ସେତେବେଳେ ଆମେ ଏହି କଥାକୁ କଦାପି ଏଡ଼ାଇ ଦେଇପାରିବାନାହିଁ । ଆମର ଅନେକ ରାଜ୍ୟ ଏପରି ଅଛନ୍ତି ଯେଉଁଠି ବିଶ୍ୱର କେତେକ ରାଷ୍ଟ୍ର ଠାରୁ ସୁଦ୍ଧା ବଡ଼ ।
ପୁଣି ଦେଶ ଭିତରେ କରୋନାର ପ୍ରଭାବ ମଧ୍ୟ ଭିନ୍ନ ଭିନ୍ନ- କେତେକ ଅଞ୍ଚଳ ଏପରି ଅଛି ଯେଉଁଠାରେ ଏହାର ମାତ୍ରା ଅତି କମ ଓ ଆଉ କେତେକ ରାଜ୍ୟ ଯେଉଁଠାରେ ଏହା ଉପରେ ଅଧିକ ଧ୍ୟାନ ଦିଆଯାଉଛି ଏବଂ ସେଠାରେ ଏହାର ସଂକ୍ରମଣ ମଧ୍ୟ ଅବ୍ୟାହତ ରହିଛି । ତଥାପି ଏକଥାକୁ ସ୍ମରଣ ରଖିବାକୁ ହେବ ଯେ ୭୦୦ରୁ ଅଧିକ ଜିଲ୍ଲାବିଶିଷ୍ଟ ଏକ ରାଷ୍ଟ୍ରରେ, ମାତ୍ର କେତେକ ଜିଲ୍ଲା ଓ ରାଜ୍ୟରେ ହିଁ ଏହାର ପ୍ରଭାବ ଅଧିକ ମାତ୍ରାରେ ଅନୁଭୂତ ହୋଇଛି ।
କେତେକ କ୍ଷେତ୍ରରେ ଆମର ସର୍ବଶେଷ ପରିସଂଖ୍ୟାନ ସୂଚାଏ ଯେ ମୃତ୍ୟୁହାର ଏବଂ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାତ୍ମକ ଭାବେ ଦେଖିଲେ କିଛି ସମୟ ପୂର୍ବରୁ ଯାହା ଥିଲା ସେଥିରେ ହ୍ରାସ ଘଟିଛି । ତଥାପି ଆମେ କୌଣସି କାର୍ୟ୍ୟରେ ଅବହେଳା ପ୍ରଦର୍ଶନ କରିବୁନାହିଁ । କରୋନା ଭୂତାଣୁ ଏବେ ସୁଦ୍ଧା ଆମ ଦେଶରେ ରହିଛି । ଆମର ଅବହେଳା ଯୋଗୁ ଏହା ପୁଣି ବୃଦ୍ଧି ପାଇପାରେ । ମୁଁ ଭାବୁଛି ଆମର କାର୍ୟ୍ୟାନୁଷ୍ଠାନ ଓ ଧ୍ୟାନ ପରିସ୍ଥିତିର ମୁକାବିଲା ସକାଶେ ଆମର କ୍ଷମତା ବୃଦ୍ଧି ଉପରେ କେନ୍ଦ୍ରିତ ହେବା ଆବଶ୍ୟକ । ଲୋକମାନଙ୍କୁ ଅଧିକ ସଚେତନ କରାଇବା, ସେମାନଙ୍କ ପାଇଁ ଅଧିକ ସୁବିଧାସୁଯୋଗ ସୃଷ୍ଟି କରିବା ଯାହାକି ଆପ୍ତବାକ୍ୟ “ସବୁଠାରୁ ଭଲ କଥା ଆଶା କର, କିନ୍ତୁ ସବୁଠାରୁ ବଡ଼ ବିପର୍ୟ୍ୟୟ ପାଇଁ ନିଜକୁ ପ୍ରସ୍ତୁତ ରଖ” ଆଧାରରେ କରାଯିବା ଉଚିତ ।

କୋଭିଡ଼ ୧୯ ମହାମାରୀର ପ୍ରଭାବ ଅର୍ଥନୀତିକୁ ଦୁର୍ବଳ କରିଦେଇଛି। ଆପଣ ଜୀବନ ଓ ଜୀବନଜୀବିକା ମଧ୍ୟରେ ଉଚିତ ସନ୍ତୁଳନ ରକ୍ଷା ନିମନ୍ତେ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପ୍ରୟାସରେ ସରକାର କେତେଦୂର ସଫଳ ହୋଇଛନ୍ତି ବୋଲି ଆପଣ ବିବେଚନା କରନ୍ତି?
ପ୍ରଧାନମନ୍ତ୍ରୀ : ଦେଶ ସ୍ୱାଧୀନତା ଲାଭ କରିବାର ସାତ ଦଶନ୍ଧିରୁ ଅଧିକ ସମୟ ବିତି ସାରିଛି । କିନ୍ତୁ ତଥାପି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ମନରୁ ଉପନିବେଶବାଦୀ ମନୋଭାବ ଦୂର ହୋଇପାରିନାହିଁ । ସେମାନେ ଭାବନ୍ତି ଯେ ଜନଗଣ ଏବଂ ସରକାର ହେଲେ ଦୁଇଟି ଭିନ୍ନ ପ୍ରସଙ୍ଗ । ଲୋକମାନଙ୍କ ମନରେ ଏହି ଧାରଣା ସୃଷ୍ଟି ହୋଇଛି ଯେ ସରକାରଙ୍କ ଉପରେ ଏହି ବିପଦ ପଡ଼ିଛି । କିନ୍ତୁ ବାସ୍ତବତା ହେଲା ଏହାରେ ଏହି ମହାମାରୀ ୧୩୦ କୋଟି ଲୋକ ଓ ସରକାରଙ୍କୁ ଆକ୍ରାନ୍ତ କରିଛି ଏବଂ ସରକାର ଓ ଜନତା ଏହାର ମୁକାବିଲା ପାଇଁ ହାତ ମିଳାଇଛନ୍ତି ।
କୋଭିଡ଼ ୧୯ ମହାମାରୀ ଆରମ୍ଭ ହେବା ଦିନଠାରୁ ସାରା ପୃଥିବୀରେ ବିଭିନ୍ନ ଦେଶରେ ଅସଂଖ୍ୟ ଲୋକଙ୍କ ପ୍ରାଣହାନି ଘଟି ଚାଲିଛି । ସେମାନଙ୍କର ସ୍ୱାସ୍ଥ୍ୟ ବ୍ୟବସ୍ଥା ହଠାତ୍ ଭୁଶୁଡ଼ି ପଡ଼ିଛି କାରଣ ରୋଗୀମାନଙ୍କ ବୋଝ ସମ୍ଭାଳିବାକୁ ତାହା ସକ୍ଷମ ହୋଇପାରିନାହିଁ । ଏଭଳି ମୃତକଙ୍କ ମଧ୍ୟରେ ଉଭୟ ଯୁବ ଓ ବୟୋବୃଦ୍ଧ ରୋଗୀ ଅଛନ୍ତି । ଏହି ସମୟରେ ଆମର ପ୍ରଥମ କର୍ତ୍ତବ୍ୟ ହେଲା ଭାରତରେ ଏଭଳି ପରିସ୍ଥିତିକୁ କିଭଳି ଏଡାଇ ଦିଆଯାଇପାରିବ ଏବଂ ଲୋକମାନଙ୍କ ଜୀବନ ରକ୍ଷା କରାଯାଇପାରିବ । ଏହି ଭୂତାଣୁ ହେଲା ଏକ ଅଜଣା ଶତ୍ରୁ ସଦୃଶ । ଏହା ଅପ୍ରତ୍ୟାଶିତ ଭାବେ ମାନବ ସମାଜ ଉପରେ ସବାର ହୋଇପଡ଼ିଛି ।

ଆହୁରି କହିଛ‌ନ୍ତି ପ୍ରଧାନମନ୍ତ୍ରୀ, ଲୋକମାନଙ୍କ ଜୀବନ ରକ୍ଷା କରିବା କେବଳ କୋଭିଡ଼ ୧୯ ମହାମାରୀ କବଳରୁ ଦେଶବାସୀଙ୍କ ଜୀବନ ରକ୍ଷା ମଧ୍ୟରେ ସୀମିତ ନଥିଲା । ଏହା ମଧ୍ୟ ଗରିବ ଲୋକମାନଙ୍କୁ ପର୍ୟ୍ୟାପ୍ତ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ଅଭିପ୍ରେତ ଥିଲା । ଏପରିକି ଯେତେବେଳେ ଅଧିକାଂଶ ବିଶେଷଜ୍ଞ ଓ ସମ୍ବାଦପତ୍ର ସରକାରଙ୍କୁ କର୍ପୋରେଟ ସେକ୍ଟରମାନଙ୍କ ନିମନ୍ତେ ଏକ ଆର୍ଥିକ ପ୍ୟାକେଜ୍ ଘୋଷଣା ପାଇଁ କହୁଥିଲେ, ଆମର ଧ୍ୟାନ ଥିଲା ସମାଜର ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ଜୀବନ ରକ୍ଷା । ଆମେ ପ୍ରଥମେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ ଘୋଷଣା କରିଥିଲୁ ଯଦ୍ୱାରା ଗରିବ ଲୋକ , ପ୍ରବାସୀ ଶ୍ରମିକ ଓ କୃଷକମାନେ ଯେଉଁମାନେ କି ସବୁଠାରୁ ଅଧିକତର ଭାବେ ଆକ୍ରାନ୍ତ ସେମାନଙ୍କ ନିକଟରେ କିଭଳି ଭାବେ ଖାଦ୍ୟାନ୍ନ ଓ ସହାୟତା ପହଞ୍ଚାଯାଇପାରିବ ।

ଏଭଳି ସଂସ୍କାର ନିମନ୍ତେ ବିଶେଷଜ୍ଞମାନେ ଢ଼େର୍ ଦିନରୁ ମତ ପୋଷଣ କରିଆସୁଥିଲେ । ଏପରିକି ରାଜନୈତିକ ଦଳମାନେ ମଧ୍ୟ ଏଭଳି ସଂସ୍କାରଗୁଡ଼ିକ ନାଁରେ ଜନସାଧାରଣଙ୍କ ଠାରୁ ଭୋଟ ମାଗୁଥିଲେ । ସମସ୍ତେ ଚାହୁଁଥିଲେ ଯେ ଏଭଳି ସଂସ୍କାର ଆସୁ ଓ କାର୍ୟ୍ୟକାରୀ ହେଉ । ପ୍ରସଙ୍ଗଟି ହେଉଛି ଯେ ବିରୋଧୀ ଦଳମାନେ ଚାହାନ୍ତି ଯେ ଆମେ ସେଥିରୁ ଯେମିତି କୌଣସି ସାବାସୀ ଓ ପ୍ରଶଂସା ନପାଉ ।

ଆମେ ମଧ୍ୟ ଏଥିପାଇଁ କୌଣସି ପ୍ରଶଂସା ଚାହୁଁନାହୁଁ । ଆମେ ସଂସ୍କାର ଆଣିଛୁ କୃଷକ ଓ ଶ୍ରମିକମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି । ସେମାନେ ଆମକୁ ଉତ୍ତମ ରୂପେ ବୁଝିଛନ୍ତି ଏବଂ ଆମର ଅଭିପ୍ରାୟ ଉପରେ ସେମାନଙ୍କର ଆସ୍ଥା ଅଛି । ଏହାର କାରଣ ହେଲା ପୂର୍ବରୁ ଆମେ ଯେଉଁଭଳି ଭାବେ ସେମାନଙ୍କ ହିତ ସକାଶେ କାର୍ୟ୍ୟ କରିଛୁ ।
ଆମେ କୃଷି କ୍ଷେତ୍ରରେ ଏଭଳି ସଂସ୍କାର ଆଣିବା ନିମନ୍ତେ ବିଗତ ଛଅ ବର୍ଷ ମଧ୍ୟରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରିଆସିଛୁ । ତେଣୁ ଆଜି ଆମେ ଯାହା କରିଛୁ ତାହା କେବଳ ହେଉଛି ଗୋଟିଏ ଚେନର ଗୋଟିଏ କଡ଼ି ଭଳି କାର୍ୟ୍ୟ ଯାହାକି ଆମେ ୨୦୧୪ ମସିହାରେ ଆରମ୍ଭ କରିଥିଲୁ। ଆମେ ପୂର୍ବରୁ ଅନେକ ଥର ସର୍ବନିମ୍ନ ସହାୟମ ମୂଲ୍ୟ (ଏମଏସପି)ରେ ବୃଦ୍ଧି ଘଟାଇଥିଲୁ ଏବଂ ବସ୍ତୁତଃ ଏମଏସପି ହାରରେ ଆମେ କୃଷକମାନଙ୍କ ଠାରୁ ଅନେକ ଥର ଉତ୍ପାଦିତ ଶସ୍ୟ ସଂଗ୍ରହ କରିଛୁ ଯାହାକି ପୂର୍ବ ସରକାର ଯାହା କରିଥିଲେ ତା’ ଠାରୁ ଢ଼େର୍ ଅଧିକ ଥର । ଉଭୟ ଜଳସେଚନ ଏବଂ ବୀମା ବ୍ୟବସ୍ଥା ଯୋଗୁ କୃଷକମାନଙ୍କ ଉପାର୍ଜନରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି । ପ୍ରତ୍ୟକ୍ଷ ଉପାର୍ଜନ ସହାୟତା କୃଷକମାନଙ୍କ ସକାଶେ ସୁନିଶ୍ଚିତ କରାଯାଇଛି ।

ଶ୍ରମ ସଂସ୍କାର ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍‌ନ୍ତି, ଏସବୁ ସଂସ୍କାର ଅତି ମାତ୍ରାରେ ଶ୍ରମିକଙ୍କ ପାଇଁ ହିତକର । ସେମାନେ ଏବେ ସବୁ ପ୍ରକାର ସରକାରୀ ସୁବିଧା ସୁଯୋଗ ଓ ସାମାଜିକ ନିରାପତ୍ତା ପାଇବାକୁ ହକଦାର ହୋଇପାରିଛନ୍ତି, ଏପରିକି ମାତ୍ର ଏକ ନିର୍ଦ୍ଧାରିତ ସମୟ ପାଇଁ ସେମାନଙ୍କୁ କାର୍ୟ୍ୟରେ ନିୟୋଜିତ କରାଯାଇଥିଲେ ସୁଦ୍ଧା । ଶ୍ରମ ସଂସ୍କାର ନିଯୁକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିବାରେ ସହାୟକ ହେବ ଏବଂ ଅସଂଗଠିତ କ୍ଷେତ୍ରରେ ସୁଦ୍ଧା ସେମାନଙ୍କୁ ସର୍ବନିମ୍ନ ମଜୁରି, ସାମାଜିକ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ଦିଗରେ ଏହି ସଂସ୍କାର ସାହାଯ୍ୟ କରିବ । ଏଥିରେ ସରକାରଙ୍କ ହସ୍ତକ୍ଷେପକୁ ସୁଦ୍ଧା ସର୍ବନିମ୍ନ କରାଯିବାର ବ୍ୟବସ୍ଥା ରହିଛି । ଏଭଳି ସଂସ୍କାର ଦ୍ୱାରା ସେମାନେ ନିର୍ଦ୍ଧାରିତ ସମୟରେ ସେମାନଙ୍କର ମଜୁରି ପାଇପାରିବେ ଏବଂ କର୍ମସ୍ଥଳୀରେ ଶ୍ରମିକମାନଙ୍କ ନିରାପତ୍ତା ପ୍ରତି ମଧ୍ୟ ପ୍ରାଧାନ୍ୟ ଦିଆଯିବ । ତେଣୁ ଦେଶରେ ଏକ ଉତ୍ତମ କର୍ମ ସଂସ୍କୃତି ଓ ବାତାବରଣ ସୃଷ୍ଟି ହୋଇପାରିବ ।

ଗୋଟିଏ ସମାଲୋଚନା ଉଠେ ଯେ ୩୦୦ ପର୍ୟ୍ୟନ୍ତ କର୍ମଚାରୀ ଥିବା କାରଖାନାମାନଙ୍କୁ କର୍ମଚାରୀମାନଙ୍କୁ ଛଟେଇ କରିବା ନିମନ୍ତେ ଅଧିକ ସୁବିଧା ପ୍ରଦାନ କରାଯାଇଛି । କିନ୍ତୁ ଇଲେକ୍ଟ୍ରୋନିକ୍ସ, ପୋଷାକ ପ୍ରସ୍ତୁତି ଓ ଅନ୍ୟାନ୍ୟ ସେକ୍ଟରରେ ଥିବା ବଡ଼ ବଡ଼ ଫ୍ୟାକ୍ଟ୍ରିରେ ଆହୁରି ଅଧିକ କର୍ମଚାରୀ କାର୍ୟ୍ୟ କରନ୍ତି ।

ପୂର୍ବରୁ ଭାରତରେ ଦୁଇଟି ସମସ୍ୟା ଥିଲା । ଆମର ଶ୍ରମ ଆଇନ ଏଭଳି ଭାବେ ଥିଲାଯେ ଅଧିକାଂଶ ଶ୍ରମିକ କୌଣସି ପ୍ରକାର ସାମାଜିକ ସୁରକ୍ଷା ସୁବିଧା ପାଇପାରୁନଥିଲେ । ଏବଂ କମ୍ପାନୀମାନେ ଅଧିକ ଶ୍ରମିକ ଆହରଣ ସକାଶେ ଆଗ୍ରହ ପ୍ରକାଶ କରୁନଥିଲେ । ସେମାନଙ୍କର ଶ୍ରମ ଆଇନକୁ ଭୟ ଥିଲା ଏବଂ ତାହା ଶ୍ରମଭିତ୍ତିକ ଉତ୍ପାଦନକୁ ମଧ୍ୟ ପ୍ରୋତ୍ସାହିତ କରୁନଥିଲା । ଇନ୍ସପେକ୍ଟର ରାଜ ବ୍ୟବସ୍ଥା ଓ ଅତି ଜଟିଳ ଶ୍ରମ ଆଇନ କର୍ମଚାରୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିଲା ।

ଆମେ ସେଭଳି ମାନସିକତାରୁ ପ୍ରଥମେ ମୁକ୍ତ ହେବା ଦରକାର ଯେ ଶିଳ୍ପ ଓ ଶ୍ରମ ସଦାବେଳେ ପାରସ୍ପରିକ ବିବାଦ ଅବସ୍ଥାରେ ରହିଛନ୍ତି । କାହିଁକି ଆମେ ଏଭଳି ଏକ ବ୍ୟବସ୍ଥାର ବିକାଶ ଘଟାଇବାନାହିଁ ଯଦ୍ୱାରା ଉଭୟ ସମାନ ଭାବେ ସୁଯୋଗ ପାଇପାରିବେ? ଯେହେତୁ ଶ୍ରମ ଏକ ମିଳିତ ବିଷୟ, ଆଇନ ରାଜ୍ୟ ସରକାରମାନଙ୍କୁ ଅଧିକ ସୁଯୋଗ ପ୍ରଦାନ କରେ ଯଦ୍ୱାରା ସେମାନେ ସେମାନଙ୍କ ବିଶେଷ ପରିସ୍ଥିତି ଓ ଆବଶ୍ୟକତା ଅନୁସାରେ ଆଇନକୁ ବଦଳାଇ ପାରୁଛନ୍ତି ।

ଧର୍ମଘଟ କରିବାର ଅଧିକାରକୁ କଦାପି ସଂକୁଚିତ କରାଯାଇନାହିଁ । ବସ୍ତୁତଃ, ଶ୍ରମିକ ସଂଗଠନମାନଙ୍କୁ ନୂତନ ଅଧିକାର ପ୍ରଦାନ କରାଯାଇଛି, ସେମାନଙ୍କୁ ବାଧ୍ୟତାମୂଳକ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି ।

ଜିଏସଟି ବ୍ୟବସ୍ଥା ଉପରେ ସେ କହିଛ‌ନ୍ତି, ଗତ ଛଅ ବର୍ଷ ଭିତରେ ଲକ୍ଷ୍ୟ କରାଯାଇଛି ଯେ ପ୍ରତିଯୋଗିତାମୂଳକ ଏବଂ ସହଭାଗୀତା ମୂଳକ ସଂଘୀୟ ବ୍ୟବସ୍ଥା ଆମର ସମସ୍ତ କାର୍ୟ୍ୟରେ ପ୍ରତିଫଳିତ ହୋଇଛି । ଆମ ଭଳି ଏକ ବିଶାଳ ରାଷ୍ଟ୍ରରେ କେବଳ କେନ୍ଦର ଗୋଟିଏ ଖୁଣ୍ଟ ଦ୍ୱାରା ବିକାଶ ଧାରାକୁ ଜାରି ରଖାଯାଇ ପାରିବନାହିଁ । ସେଥିପାଇଁ ରାଜ୍ୟମାନଙ୍କ ପକ୍ଷରୁ ଦ୍ୱିତୀୟ ଖୁଣ୍ଟର ମଧ୍ୟ ଆବଶ୍ୟକତା ରହିଛି । ଏଭଳି ଆଭିମୁଖ୍ୟ ଯୋଗୁ ହିଁ କୋଭିଡ଼- ୧୯ ବିରୋଧରେ ଆମର ସଂଗ୍ରାମ ସୁଦୃଢ଼ ହୋଇପାରିଛି । ସାମୂହିକ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଉଛି । ମୁଁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଏ ବିଷୟରେ ଅନେକ ଥର ଆଲୋଚନା କରିଛି, ସେମାନଙ୍କ ପରାମର୍ଶ ଓ ଇନପୁଟ୍ ନେଇଛି, ଯାହାକି ପୂର୍ବରୁ କେବେ ଘଟିନଥିଲା ।
ଜିଏସଟି ପ୍ରସଙ୍ଗରେ ସବୁ ଦୃଷ୍ଟିରୁ ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ବର୍ଷ । ଅଧିକାଂଶ ଆକଳନ ଓ ଅନୁମାନ ଶତାବ୍ଦୀ ଭିତରେ ଥରେ ମାତ୍ର ସଂଘଟିତ ଏଭଳି ଅଭୂତପୂର୍ବ ମହାମାରୀ ଯୋଗୁ ସାକାର ହୋଇପାରିନାହିଁ । ତଥାପି, ଆମେ ଏଭଳି ପ୍ରସ୍ତାବର ସୁଯୋଗ ରଖିଛୁ ଯେ ଆମକୁ ଆଗକୁ ବଢ଼ିବାକୁ ହେବ ଏବଂ ଅଧିକାଂଶ ରାଜ୍ୟ ସେମାନଙ୍କ କାର୍ୟ୍ୟରେ ସନ୍ତୁଷ୍ଟ । ସେଥିରୁ ଏକ ସହମତ ମୁଣ୍ଡ ଟେକୁଛି।

ଏକଥା ସ୍ମରଣ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ କେନ୍ଦ୍ର- ରାଜ୍ୟ ସମ୍ପର୍କ କେବଳ ଜିଏସଟି ମଧ୍ୟରେ ସୀମିତ ନୁହେଁ । କରୋନା ମହାମାରୀ ଓ ସାମଗ୍ରିକ ଟିକସ ରାଜସ୍ୱରେ ହୋଇଥିବା ହ୍ରାସ ସତ୍ତ୍ୱେ, ଆମେ ରାଜ୍ୟମାନଙ୍କୁ ବର୍ଦ୍ଧିତ ସମ୍ବଳ ହସ୍ତାନ୍ତର କରିଛୁ । ଏପ୍ରିଲ ଓ ଜୁଲାଇ ମଧ୍ୟରେ ଟିକସ ବଣ୍ଟନର ମୋଟ ପରିମାଣ ଓ ଗ୍ରାଣ୍ଟ୍ ଇନ୍ ଏଡ଼ ଭାବେ ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଇଥିବା ଅର୍ଥ, ଯେଉଁଥିରେ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ସାମିଲ, ସେଥିରେ ୧୯% ବୃଦ୍ଧି ଘଟିଛି ଏବଂ ତାହା ଗତ ବର୍ଷ ଏହି ସମୟରେ ୩.୪୨ ଲକ୍ଷ କୋଟି ଥିବା ବେଳେ ଚଳିତ ବର୍ଷ ୪.୦୬ ଲକ୍ଷ କୋଟିକୁ ବୃଦ୍ଧି ପାଇଛି । ସଂକ୍ଷେପରେ, ଆମର ରାଜସ୍ୱ କମିଥିଲେ ସୁଦ୍ଧା, ଆମେ ରାଜ୍ୟମାନଙ୍କୁ ପାଣ୍ଠି ଯୋଗାଣ ଅବ୍ୟାହତ ରଖିଛୁ ।

କୋଭିଡ଼ ୧୯ ମହାମାରୀ ପରିସ୍ଥିତି ଦୃଷ୍ଟିରୁ କେନ୍ଦ୍ର ସରକାର ମଧ୍ୟ ରାଜ୍ୟମାନଙ୍କୁ ସେମାନଙ୍କର ଗ୍ରସ୍ ଷ୍ଟେଟ୍ ଡୋମେଷ୍ଟିକ୍ ପ୍ରଡକ୍ଟ (ଜିଏସଡିପି) ସୀମାରେ ୨୦୨୦- ୨୧ ଆର୍ଥିକ ବର୍ଷ ପାଇଁ ୨% ବୃଦ୍ଧି ଘଟାଇଛନ୍ତି । ଏହା ଫଳରେ ରାଜ୍ୟମାନଙ୍କୁ ମୋଟ ୪.୨୭ ଲକ୍ଷ କୋଟି ଟଙ୍କା ଉପଲବ୍ଧ କରାଯାଇଛି। କେନ୍ଦ୍ର ସରକାର ଏବେ ସୁଦ୍ଧା ରାଜ୍ୟମାନଙ୍କୁ ଜୁନ ୨୦୨୦ରେ ସେମାନଙ୍କର ପ୍ରଥମ ୦.୫% ବୃଦ୍ଧି ନିମନ୍ତେ ଅନୁମତି ପ୍ରଦାନ କରିସାରିଛନ୍ତି । ଏହା ଦ୍ୱାରା ରାଜ୍ୟମାନଙ୍କୁ ମୋଟ ୧,୦୬,୮୩୦ କୋଟିର ଅତିରିକ୍ତ ସମ୍ବଳ ଉପଲବ୍ଧ କରାଇଛନ୍ତି । ରାଜ୍ୟମାନଙ୍କ ଅନୁରୋଧ କ୍ରମେ, ରାଜ୍ୟ ବିପର୍ୟ୍ୟୟ ରେସପନ୍ସ ପାଣ୍ଠି (ଏସଡିଆରଏଫ)ର ଉପଯୋଗର ସୀମାକୁ ୩୫%ରୁ ୫୦% କୁ ବୃଦ୍ଧି କରିଛନ୍ତି । କରୋନା ମହାମାରୀ ବିରୋଧରେ ସଂଗ୍ରାମ ଜାରି ରଖିବା ନିମନ୍ତେ ରାଜ୍ୟମାନଙ୍କୁ ଅଧିକ ଅର୍ଥ ଯୋଗାଣ ସୁନିଶ୍ଚିତ ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛ‌ନ୍ତି ଯେ, ପୂର୍ବରୁ କ’ଣ ହେଉଥିଲା ସେ ସମ୍ପର୍କରେ ଆପଣଙ୍କୁ ଏକ ଉଦାହରଣ ଦେଉଛି । ୟୁପିଏ ସରକାର ସମୟରେ ଯେତେବେଳେ ସିଏସ୍ଟି ବଦଳରେ ଭାଟ୍ ଆସିଲା ସେତେବେଳେ ତତ୍କାଳୀନ ସରକାର ରାଜ୍ୟମାନଙ୍କର ରାଜସ୍ୱ ଆଦାୟ କମ୍ ହେଲେ ଉପଯୁକ୍ତ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ତେବେ ୟୁପିଏ ସରକାର ଏ କ୍ଷେତ୍ରରେ କ’ଣ କରିଛନ୍ତି ଆପଣ ଜାଣିଛନ୍ତି କି ? ନିଜର ପ୍ରତିଶ୍ରୁତି ସତ୍ତ୍ୱେ ୟୁପିଏ ସରକାର ରାଜ୍ୟମାନଙ୍କର ରାଜସ୍ୱ କ୍ଷତିପୂରଣ ଭରଣା କରିବାକୁ ମନା କଲେ । ଏହି ଘଟଣା କେବଳ ଗୋଟିଏ ବର୍ଷ ପାଇଁ ଘଟିନଥିଲା; କ୍ରମାଗତ ଭାବେ ୫ ବର୍ଷ ଧରି ଏହି କାର୍ୟ୍ୟ ଚାଲିଥିଲା। ଜିଏସ୍ଟି ବ୍ୟବସ୍ଥା ପ୍ରବର୍ତ୍ତନ ପାଇଁ ୟୁପିଏ ସରକାର ସମୟରେ ରାଜ୍ୟମାନେ କାହିଁକି ରାଜି ହେଉନଥିଲେ ଏହା ତାହାର ଅନ୍ୟତମ କାରଣ। ଏନ୍ଡିଏ ସରକାର ଏହାସତ୍ତ୍ୱେ ଏହି ପ୍ରତିଶ୍ରୁତି ପୂରଣ କରିଥିଲା ଏବଂ ଆମେ ୨୦୧୪ରେ କ୍ଷମତାକୁ ଆସିବା ପରେ ସେହି ପୁରୁଣା ବକେୟା ରାଜ୍ୟମାନଙ୍କୁ ପରିଶୋଧ କରିବାର ପ୍ରତିଶ୍ରୁତି ଦେଇ ତାହାକୁ କାର୍ୟ୍ୟକାରୀ କରିଥିଲୁ । ଏଥିରୁ ସଂଘୀୟ ବ୍ୟବସ୍ଥା ପ୍ରତି ଆମ ଆଭିମୁଖ୍ୟ ପ୍ରମାଣିତ ହୁଏ ।

ପ୍ରଧାନମନ୍ତ୍ରୀ କହିଛ‌ନ୍ତି,ଏମିତି କେତେକ ଅତି ଚତୁର ଲୋକ ଅଛନ୍ତି ଯେଉଁମାନେ ମୋଟ ସଂକ୍ରମିତଙ୍କ ସଂଖ୍ୟାକୁ ଅନ୍ୟ ଦେଶ ସହିତ ତୁଳନା କରି ଏଭଳି କହିଥାନ୍ତି; କିନ୍ତୁ ସେମାନେ ଯେଉଁସବୁ ଦେଶ ସହିତ ଭାରତକୁ ତୁଳନା କରନ୍ତି ଜନସଂଖ୍ୟା ଦୃଷ୍ଟିରୁ ଦେଖିଲେ ସେସବୁ ଦେଶ ଆମର ଗୋଟିଏ ଗୋଟିଏ ରାଜ୍ୟର ଲୋକ ସଂଖ୍ୟା ସହିତ ପ୍ରାୟ ସମାନ ।
ତଥାପି, ମୁଁ ଆଶା କରୁଛି ଇକ୍ନୋମିକ୍ସ ଟାଇମ୍ସ ଏ ସମ୍ପର୍କରେ ଆହୁରି ଭଲଭାବେ ଗବେଷଣା କରି ଏଭଳି ବାହାନା ଓ ଯୁକ୍ତିକୁ ଖଣ୍ଡନ କରିବ । ମାର୍ଚ୍ଚ ମାସରେ ଭାରତରେ ମହାମାରୀ ଆରମ୍ଭ ହେବାବେଳକୁ ଦେଶରେ କେତେ ଅଧିକ ସଂଖ୍ୟକ ଲୋକ ଏଥିରେ ଆକ୍ରାନ୍ତ ହେବେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଥିଲେ ସେ ସଂଖ୍ୟା ସହିତ ବର୍ତ୍ତମାନର ଆକ୍ରାନ୍ତ ଲୋକଙ୍କ ସଂଖ୍ୟାକୁ ଦେଖିଲେ ଏଥିରୁ ବାସ୍ତବତା ଜାଣିହେବ ।

ଆମେ ଆମର ଅର୍ଥନୈତିକ ପୁନରୁଦ୍ଧାର କାର୍ୟ୍ୟରେ ଆଗେଇ ଚାଲିଛୁ। ଯେଉଁସବୁ ସୂଚକ ଦେଖାଯାଉଛି ତାହା ମଧ୍ୟ ଉତ୍ସାହଜନକ। ପ୍ରଥମତଃ କୃଷିକ୍ଷେତ୍ର କଥା ବିଚାର କରିବା, ପୂର୍ବରୁ ମୁଁ କହିଛି ଆମର ଚାଷୀମାନେ ପୂର୍ବର ସମସ୍ତ ରେକର୍ଡ ଭଙ୍ଗ କରିଛନ୍ତି ଏବଂ ସର୍ବାଧିକ ସ୍ତରର ଏମ୍ଏସ୍ପି ଦେଇ ଆମେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ସଂଗ୍ରହ କରିଛୁ । ଏହି ଦୁଇଟି କାରଣକୁ ଦେଖନ୍ତୁ- ରେକର୍ଡ ପରିମାଣର ଉତ୍ପାଦନ ଓ କ୍ରୟ । ଏହାଦ୍ୱାରା ଗ୍ରାମ୍ୟ ଅର୍ଥବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଆୟ ପ୍ରକ୍ରିୟା ସଂଚରିତ ହେବ ଏବଂ ଏହାର ଉତ୍ତମ ପ୍ରଭାବ ଚାହିଦା ସୃଷ୍ଟିରେ ସହାୟକ ହେବ । ଦ୍ୱିତୀୟତଃ ରେକର୍ଡ ପରିମାଣର ଉଚ୍ଚହାରରେ ଏଫ୍ଡିଆଇ ପ୍ରବାହ ସୂଚାଉଛି ଯେ ଭାରତର କ୍ରମବର୍ଦ୍ଧିଷ୍ଣୁ ଛବି ନିବେଶକ ଅନୁକୂଳ ଦେଶ ଭାବେ ଏହାର ଭାବମୂର୍ତ୍ତିକୁ ଅମ୍ଳାନ ରଖିଛି । ଏ ବର୍ଷ ମହାମାରୀ ସତ୍ତ୍ୱେ ଗତ ଏପ୍ରିଲ-ଅଗଷ୍ଟ ମଧ୍ୟରେ ଭାରତକୁ ସର୍ବାଧିକ ୩୫.୭୩ ବିଲିୟନ ଆମେରିକୀୟ ଡଲାର ଏଫଡିଆଇ ଆସିଛି । ଗତବର୍ଷ ଏହି ସମୟ ମଧ୍ୟରେ ଯେତେ ଏଫ୍ଡିଆଇ ଆସିଥିଲା ତାହାଠାରୁ ଏହା ୧୩ ଶତାଂଶ ଅଧିକ ଏବଂ ଏହା ମଧ୍ୟ ଏକ ରେକର୍ଡର ବର୍ଷ। ତୃତୀୟତଃ ଗତବର୍ଷ ତୁଳନାରେ ଚଳିତବର୍ଷ ଟ୍ରାକ୍ଟର ସହିତ ଅନ୍ୟାନ୍ୟ ମୋଟରଯାନ ବିକ୍ରି ସମାନସ୍ତରରେ ପହଞ୍ଚିଛି କିମ୍ବା ସେହି ସ୍ତର ଅତିକ୍ରମ କରିବା ଅବସ୍ଥାରେ ରହିଛି। ଚାହିଦା ବୃଦ୍ଧିର ଏହା ଏକ ଉତ୍ତମ ସଂକେତ। ଚତୁର୍ଥରେ, ମ୍ୟାନୁଫାକ୍ଚରିଂ ଉଦ୍ୟୋଗରେ ନିରନ୍ତର ପ୍ରଗତି ଫଳରେ ଭାରତ ଦୁଇଟି ପାହାଚ ଉପରକୁ ଉଠି ଚୀନ ଏବଂ ବ୍ରାଜିଲ ପରେ ଗତ ସେପ୍ଟେମ୍ବର ମାସରେ ବିଶ୍ୱର ତୃତୀୟ ଉଦୀୟମାନ ବଜାର ମାନ୍ୟତା ପାଇଛି। ମ୍ୟାନୁଫାକ୍ଚରିଂ ଅଭିବୃଦ୍ଧି ପ୍ରଥମ ଥର ପାଇଁ ବାର୍ଷିକ ଭିତ୍ତିରେ ବୃଦ୍ଧି ପାଇବାରେ ଲାଗିଛି। ଏହା ଫଳରେ କ୍ରମାଗତ ସାତ ମାସ ଧରି ଏସବୁ ସାମଗ୍ରୀର ରପ୍ତାନୀ ବାଣିଜ୍ୟ ବୃଦ୍ଧି ପାଉଛି । ଇ-ୱେ ବିଲ୍ସ ଏବଂ ଜିଏସ୍ଟି ସଂଗ୍ରହ ଅଭିବୃଦ୍ଧି ମଧ୍ୟ ବେଶ୍ ଭଲ ଅଛି। ଶେଷରେ ନୂଆ ଇପିଏଫ୍ଓ ସଦସ୍ୟଙ୍କ ଯୋଗଦାନକୁ ଦେଖିଲେ ମଧ୍ୟ ଉତ୍ସାହର ସୂଚନା ମିଳେ । ୨୦୨୦ ଅଗଷ୍ଟରେ ତା ପୂର୍ବମାସ ଜୁଲାଇମାସ ଠାରୁ ୩୪ ଶତାଂଶ କର୍ମଚାରୀ ଇପିଏଫଓର ସଦସ୍ୟ ହୋଇଛନ୍ତି । ଫଳରେ ଦେଶରେ ନୂଆ ଇପିଏଫ୍ଓ ସଦସ୍ୟଙ୍କସଂଖ୍ୟା ୧୦ ଲକ୍ଷରୁ ଅଧିକ ହୋଇଛି । ଏହା ପ୍ରମାଣିତ କରୁଛି ଭାରତର ନିଯୁକ୍ତି ବଜାରରେ ଉନ୍ନତି ଘଟୁଛି ।

ଅର୍ଥନୀତିକୁ ପୁନଃ କ୍ରିୟାଶୀଳ କରିବା ନିମନ୍ତେ ଆମେ ନିରନ୍ତର ଆବଶ୍ୟକ ସ୍ଥଳେ ଆର୍ଥିକ ପ୍ରୋତ୍ସାହନ, ପ୍ୟାକେଜ ଘୋଷଣା କରିବୁ । ଏଥିପ୍ରତି ଉପଯୁକ୍ତ ନଜର ରଖାଯାଇଛି । ଏହାସହିତ ମଧ୍ୟ ସାମଗ୍ରିକ ମାକ୍ରୋ-ଇକ୍ନୋମିକ ସ୍ଥିରତାକୁ ସୁନିଶ୍ଚିତ କରିବାକୁ ଆମେ ସମୟବଦ୍ଧ ଭାବେ କାର୍ୟ୍ୟ କରୁଛୁ । ମନେ ରଖନ୍ତୁ ଯେ ଏ ପର୍ୟ୍ୟନ୍ତ ଆମେ ମହାମାରୀ ସଂକଟରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇନାହୁଁ । ତଥାପି ଆମ ଅର୍ଥବ୍ୟବସ୍ଥା ପୁନରୁଦ୍ଧାର କରିବାର ଏକ ଉଲ୍ଲେଖନୀୟ ଦକ୍ଷତା ପ୍ରଦର୍ଶନ କଲାଣି। ଏହା କେବଳ ଆମ ଲୋକଙ୍କ ସ୍ଥିତିସ୍ଥାପକତା ଯୋଗୁଁ ସମ୍ଭବ ହୋଇଛି। ଲୋକଙ୍କ ସ୍ଥିତିସ୍ଥାପକତା ଏପରି ଏକ ଜିନିଷ ଯାହାକୁ ସଂଖ୍ୟାରେ ପ୍ରକାଶ କରିହେବ ନାହିଁ; କିନ୍ତୁ ଯେଉଁସବୁ ପ୍ରଗତିସବୁ ଘଟୁଛି ତା’ପଛରେ ଏହାର ପ୍ରଭାବ ରହିଛି । ଦୋକାନୀ, ବ୍ୟବସାୟୀ, ଏମ୍ଏସ୍ଏମ୍ଇ ଚଳାଉଥିବା ବ୍ୟକ୍ତି, କାରଖାନା କର୍ମଚାରୀ, ଉଦ୍ୟୋଗୀ ଏ ସମସ୍ତେ ଭାରତର ଦୃଢ ବଜାର ବିଚାର ବା ମାର୍କେଟ ସେଣ୍ଟିମେଣ୍ଟ ଏବଂ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ପ୍ରକ୍ରିୟାର ନାୟକ ।

ପ୍ରଧାନମନ୍ତ୍ରୀ କହିଛ‌ନ୍ତି ଯେ, ମହାମାରୀ ପରେ ଭାରତ ମ୍ୟାନୁଫାକ୍ଚରିଂ ଉଦ୍ୟୋଗର ବିକାଶ ବିଷୟରେ ଚିନ୍ତା କରିବା କଥା ଆରମ୍ଭ କରିନାହିଁ। ଅନେକ ଦିନ ପୂର୍ବରୁ ଆମେ ଏ ଦିଗରେ କାର୍ୟ୍ୟ କରୁଥିଲୁ ଏବଂ ମ୍ୟାନୁଫାକଚରିଂ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଁ ଗୁରୁତ୍ୱ ଦେଇଆସୁଥିଲୁ । ବିଶେଷକରି ଭାରତ ଏକ ଯୁବରାଷ୍ଟ୍ର ଏବଂ ଏଠାରେ ଦକ୍ଷ ଲୋକଶକ୍ତି ରହିଛି । ତେବେ ଭାରତ ଅନ୍ୟର କ୍ଷତିକରି ଲାଭବାନ ହେବା ନୀତିରେ ବିଶ୍ୱାସ କରେନାହିଁ । ନିଜ ସାମର୍ଥ୍ୟ ଓ ଶକ୍ତି ବଳରେ ଭାରତ ଏକ ବିଶ୍ୱ ମ୍ୟାନୁଫାକ୍ଚରିଂ ହବ୍ରେ ପରିଣତ ହେବ। ଆମେ ଏ କ୍ଷେତ୍ରରେ ଯେଉଁ ଉଦ୍ୟମ କରୁଛୁ ତାହା ଅନ୍ୟ କୌଣସି ଦେଶର ବିକଳ୍ପ ଭାବେ ଉଭା ହେବାକୁ ଉଦ୍ଦିଷ୍ଟ ନୁହେଁ। ଆମର ଲକ୍ଷ୍ୟ ଏକ ଦେଶ ହିସାବରେ ସମସ୍ତଙ୍କୁ ଅଦ୍ୱିତୀୟ ସୁବିଧାସୁଯୋଗ ଯୋଗାଇ ଦେବା। ଆମେ ସମସ୍ତଙ୍କର ପ୍ରଗତି ଚାହୁଁ। ଭାରତର ବିକାଶ ଘଟିଲେ ବିଶ୍ୱର ଏକ ଷଷ୍ଠାଂଶ ଜନତାଙ୍କର ପ୍ରଗତି ସାଧିତ ହେବ ।

ପ୍ରଧାନମନ୍ତ୍ରୀ କହିଛ‌ନ୍ତି ଯେ, ଭାରତର ଫାର୍ମା ସେକ୍ଟର ଅଳ୍ପ କେଇମାସ ମଧ୍ୟରେ ଉଲ୍ଲେଖନୀୟ ଅଗ୍ରଗତି କରି ତାହାର ସାମର୍ଥ୍ୟ ଦେଖାଇ ପାରିଛି। ଗ୍ଲୋବାଲ ଫାର୍ମା ସପ୍ଲାଇ ଚେନ୍ରେ ଭାରତ ଏକ ପ୍ରମୁଖ ଖେଳାଳି ଭାବେ ଆତ୍ମପ୍ରକାଶ କରିପାରିଛି । ଏବେ ଆମେ ଖୁବ୍ କମ୍ ସମୟ ମଧ୍ୟରେ ପିପିଇ କିଟ୍ସ ଉତ୍ପାଦନରେ ବିଶ୍ୱର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛୁ। ଭେଣ୍ଟିଲେଟର ନିର୍ମାଣ କ୍ଷେତ୍ରରେ ଭାରତ ଇତିମଧ୍ୟରେ ବୈଷୟିକ ସ୍ତରରେ ବେଶ୍ ବିକାଶ ଲାଭକରିଛି । ପୂର୍ବରୁ ଏ କ୍ଷମତା ପ୍ରାୟ ଆମର ନ ଥିଲା । ଖୁବ୍ କମ୍ ସମୟ ମଧ୍ୟରେ ଆମେ ହଜାର ହଜାର ଭେଣ୍ଟିଲେଟର ଉତ୍ପାଦନ କରିପାରୁଛୁ ।

ସ୍ୱାଧୀନତା ପରଠାରୁ କରୋନା ମହାମାରୀ ଆରମ୍ଭ ପର୍ୟ୍ୟନ୍ତ ଦେଶର ସରକାରୀ ହସ୍ପିଟାଲରେ ମାତ୍ର ୧୫ରୁ ୧୬ ହଜାର ଭେଣ୍ଟିଲେଟର କାର୍ୟ୍ୟକ୍ଷମ ଅବସ୍ଥାରେ ଥିଲା। ଇତିମଧ୍ୟରେ ଆମେ ୫୦ ହଜାର ଭେଣ୍ଟିଲେଟର ବିଭିନ୍ନ ହସ୍ପିଟାଲକୁ ଯୋଗାଇ ଏ କ୍ଷେତ୍ରରେ ଦ୍ରୁତ ପ୍ରଗତି ହାସଲ କରିଛୁ ।
ଏବେ ଆମେ ଏହି ମଡେଲକୁ ସଫଳତାର ସହ ସ୍ଥାପନ କରିଛୁ । ଏହି ସଫଳତାର ସୂତ୍ର ଆମେ ଅନ୍ୟ କ୍ଷେତ୍ରରେ ମଧ୍ୟ ପ୍ରୟୋଗ କରି ଅଗ୍ରଣୀ ହୋଇପାରିବୁ। ମୋବାଇଲ ଉତ୍ପାଦନ, ଫାର୍ମସ୍ୟୁଟିକାଲ୍ସ ଏବଂ ମେଡିକାଲ ଉପକରଣ ଆଦି କ୍ଷେତ୍ରରେ ନିକଟରେ ଆମେ ଯେଉଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ବା ପିଏଲଆଇ ସ୍କିମ୍ ଆରମ୍ଭ କରିଛୁ ତାହା ଆନ୍ତର୍ଜାତିକ ସ୍ତରର ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ଏକ କେନ୍ଦ୍ରୀକୃତ ଓ ଲକ୍ଷ୍ୟଭିତ୍ତିକ ପଦକ୍ଷେପ। ଆଗ୍ରହୀ ବିଦେଶୀ ନିବେଶକମାନେ ଏହାର ସୁଯୋଗ ନେଇ ଭାରତରେ ନିଜର ଅର୍ଥଲଗାଣ ଓ ଉଦ୍ୟୋଗ ସ୍ଥାପନ ସହିତ ବ୍ୟବସାୟ ବାଣିଜ୍ୟ ବୃଦ୍ଧିରେ ସହାୟକ ହେବେ । ବିଶ୍ୱସ୍ତରୀୟ ଓ ଉତ୍ତମ ମାନର ସାମଗ୍ରୀ ଉତ୍ପାଦନ କରି ସେମାନେ ଭାରତକୁ ନିଜର ରପ୍ତାନି କେନ୍ଦ୍ର କରିପାରିବେ। କେବଳ ମୋବାଇଲ ଫୋନ କ୍ଷେତ୍ରରେ ଆଗାମୀ ୫ ବର୍ଷ ମଧ୍ୟରେଉତ୍ପାଦନ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆଶା କରାଯାଉଛି । ସେଥିମଧ୍ୟରୁ ୬୦ ଶତାଂଶ ମୋବାଇଲ ରପ୍ତାନି କରାଯିବ ।

ଆତ୍ମକୈନ୍ଦ୍ରିକ ବା ସ୍ୱାର୍ଥସର୍ବସ୍ୱ ହେବା ଭାରତ କିମ୍ବା ଭାରତୀୟଙ୍କ ପ୍ରକୃତି ନୁହେଁ। ଆମେ ଏକ ଦୂରଦୃଷ୍ଟି ସଂପନ୍ନ ସଭ୍ୟତା ଓ ଏକ ଉଚ୍ଛଳ ଗଣତନ୍ତ୍ରର ସଦସ୍ୟ। ଭାରତ ଏକ ଉତ୍ତମ ବିଶ୍ୱ ଗଠନ ନିମନ୍ତେ ଅନ୍ୟାନ୍ୟ ଦେଶ ସହିତ କାମ କରିବାକୁ ସଦା ପ୍ରୟାସୀ। ଆତ୍ମନିର୍ଭର ଭାରତକେବଳ ପ୍ରତିଯୋଗିତାରେ ସୀମିତ ନୁହେଁ। ଏହା ମଧ୍ୟ ଦକ୍ଷତାର କଥା କହେ। ଏହା ପ୍ରଭୁତ୍ୱରେ ବିଶ୍ୱାସ କରେନି, ବରଂ ନିର୍ଭରଶୀଳତାରେ ବିଶ୍ୱାସୀ। ଆତ୍ମନିର୍ଭର ଭାରତ ଆତ୍ମସର୍ବସ୍ୱ ନୁହେଁ, ବରଂ ଏହା ସମଗ୍ର ବିଶ୍ୱର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ।

ବିଶେଷଜ୍ଞମାନଙ୍କ ମଧ୍ୟରେ ଥିବା ଭ୍ରମବା ଦ୍ୱନ୍ଦ୍ୱର ଅର୍ଥ ନୁହେଁ, ଆମ ଆଭିମୁଖ୍ୟରେ ବିରୋଧାଭାସ ରହିଛି। ଆମେ ନିକଟରେ ଏଫ୍ଡିଆଇ ପ୍ରବେଶକୁ ସୁଗମ କରିବା ପାଇଁ କେତେକ କ୍ଷେତ୍ରରେ ଥିବା କଟକଣାକୁ କୋହଳ କରିଛୁ। ସେଥିପାଇଁ କୃଷି, ଶ୍ରମ ଓ କୋଇଲା ଉଦ୍ୟୋଗ ଭଳି ବିଭିନ୍ନ କ୍ଷେତ୍ରରେ ସଂସ୍କାରବାଦୀ କାର୍ୟ୍ୟକ୍ରମମାନ ହାତକୁ ନିଆଯାଇଛି । ସେହି ଦେଶ ଯିଏକି ଆନ୍ତର୍ଜାତିକ ବାଣିଜ୍ୟ ବ୍ୟବସାୟର ଶକ୍ତିରେ ବିଶ୍ୱାସ କରେ ସେହି ଦେଶ ହିଁ ବିଶ୍ୱ ସହିତ ମିଶି କାମ କରିବାକୁ ଅଧିକରୁ ଅଧିକ ପଥ ଉନ୍ମୁକ୍ତ କରେ । ଏ କଥା ଅବଶ୍ୟ ସତ୍ୟ ଯେ ଯେଉଁସବୁ କ୍ଷେତ୍ରରେ ଭାରତର ଅନ୍ତର୍ନିହିତ ଶକ୍ତି ଓ ସୁବିଧା ସୁଯୋଗ ଥିଲା ତାହାକୁ ବୁଝିବାରେ ଭାରତ ସକ୍ଷମ ହୋଇପାରି ନାହିଁ । ଉଦାହାରଣ ସ୍ୱରୂପ କୋଇଲା କ୍ଷେତ୍ର ସେଥିରୁ ଗୋଟିଏ । ୨୦୧୯-୨୦ରେ ଭାରତ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କାର କୋଇଲା ଆମଦାନୀ କରିଥିଲା । ଅପରପକ୍ଷରେ ଦେଖିବାକୁ ଗଲେ ଭାରତରେ ପ୍ରଚୁର କୋଇଲା ମହଜୁଦ ଅଛି ଏବଂ ସର୍ବାଧିକ କୋଇଲା ସଂପଦ ଥିବା ଦେଶମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ । ସେହିଭଳି ରପ୍ତାନି ଉପରେ ଅଧିକ ନିର୍ଭରଶୀଳ ଥିବା ଆଉ ଏକ କ୍ଷେତ୍ର ହେଲା ଭାରତର ପ୍ରତିରକ୍ଷା ଉଦ୍ୟୋଗ । ଏସବୁକୁ ଦୃଷ୍ଟିରେ ରଖି ଆମେ ବିଭିନ୍ନ ସଂସ୍କାର କାର୍ୟ୍ୟକାରୀ କରିଛୁ । ପ୍ରତିରକ୍ଷା କ୍ଷେତ୍ରରେ ଏଫ୍ଡିଆଇ ସୀମାକୁ ୪୯ ଶତାଂଶରୁ ୭୪ ଶତାଂଶକୁ ବୃଦ୍ଧି କରାଯାଇଛି । ସେହିଭଳି ଆସନ୍ତା ୫ ବର୍ଷ ପାଇଁ ୩.୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ ଘରୋଇ ଉଦ୍ୟୋଗରେ ଭାରତ ଉତ୍ପାଦନ କରିବ । ଏଥିରେ ୧୦୦ଟି ଅସ୍ତ୍ରଶସ୍ତ୍ର ଓ ଉପକରଣ ଅନ୍ତର୍ଭୁକ୍ତ । ସରକାର ଇତିମଧ୍ୟରେ ଏ ସଂକ୍ରାନ୍ତ ଘୋଷଣାନାମା ଜାରି କରିଛନ୍ତି ।
ଯେଉଁମାନେ ଭାରତରେ ପୁଞ୍ଜି ନିବେଶ କରିଛନ୍ତି ସେମାନଙ୍କୁ ଆମେ ନ୍ୟାୟୋଚିତ ସୁବିଧା ସୁଯୋଗ ଯୋଗାଇଛୁ । ସେମାନେ ଭାରତ ପ୍ରତି ବିଶ୍ୱାସ ପ୍ରକଟ କରିଛନ୍ତି ଏବଂ ନିଜର ଦକ୍ଷତା ବୃଦ୍ଧି କରି ବିଶ୍ୱସ୍ତରରେ ପ୍ରତିଯୋଗିତା କରୁଛନ୍ତି । ଆତ୍ମନିର୍ଭର ଭାରତ ପ୍ରୟାସଟି ହେଲା ଭାରତର ଅବ୍ୟକ୍ତ ଦକ୍ଷତାର ଚାବି ଖୋଲିବା; ଯାହାଫଳରେ ଆମର ଫାର୍ମ ବା କଳକାରଖାନା କେବଳ ଦେଶୀ ବଜାରର ଆବଶ୍ୟକତା ପୂରଣରେ ସୀମିତ ନ ରହି ବିଶ୍ୱ ବଜାରରେ ସାମିଲ ହେବେ ।

ଆନ୍ତର୍ଜାତିକ ବାଣିଜ୍ୟ ପଛରେ ଥିବା ମାର୍ଗଦର୍ଶନକାରୀ ନୀତି ଓ ସିଦ୍ଧାନ୍ତର ଲକ୍ଷ୍ୟ ହେଲା ଏଥିରେ ସଂପୃକ୍ତ ସବୁରାଷ୍ଟ୍ରଙ୍କୁ ସମାନ ସୁବିଧା ସୁଯୋଗ ଦେବା ଏବଂ ଏହାଦ୍ୱାରା କେହି ଯେପରି କ୍ଷତିଗ୍ରସ୍ତ ନ ହୁଅନ୍ତି ତାହା ନିଶ୍ଚିତ କରିବା । ବିଶେଷଜ୍ଞମାନେ ମୋତେ ଯାହା ଜଣାଇଛନ୍ତି, ତଦନୁସାରେ ଏକ ଆଦର୍ଶ ବାଣିଜ୍ୟ ରାଜିନାମା ବିଶ୍ୱ ବାଣିଜ୍ୟ ସଂଗଠନ ମାଧ୍ୟମରେ କାର୍ୟ୍ୟକାରୀ ହୋଇ ବୈଶ୍ୱିକ ଏବଂ ବହୁପାକ୍ଷିକ ସ୍ୱାର୍ଥ ସାଧନ କରିବା ଉଚିତ । ଭାରତ ସର୍ବଦା ଆନ୍ତର୍ଜାତିକ ବାଣିଜ୍ୟ ନୀତିନିୟମକୁ ପାଳନ କରିଆସିଛି । ଆନ୍ତର୍ଜାତିକ ବାଣିଜ୍ୟ ନିୟମମୁକ୍ତ, ଅବାଧ, ନ୍ୟାୟୋଚିତ, ସ୍ୱଚ୍ଛ ଏବଂ ସମସ୍ତଙ୍କ ପାଇଁ ସମାନ ହେବା ଆବଶ୍ୟକ । ଏହା ଆନ୍ତର୍ଜାତିକ ବ୍ୟବସାୟ ବ୍ୟବସ୍ଥାର ନୀତିନିୟମ ଦ୍ୱାରା ପରିଚାଳିତ ହେବା ଉଚିତ । ଏହା ହୋଇପାରିଲେ ବିକାଶଶୀଳ ଦେଶଗୁଡିକର ଆଶାଆକାଂକ୍ଷା ଓ ବିକାଶମୂଳକ ଲକ୍ଷ୍ୟ ପୂରଣ ହୋଇପାରିବ । ବିଶ୍ୱ ବାଣିଜ୍ୟ ସଂଗଠନ ବାଡବ୍ଲୁଟିଓ ମଧ୍ୟ ଏହି ବିଚାର ଅନୁସାରେ ଗଠିତ ।

କରୋନା ମହାମାରୀ ଆରମ୍ଭରେ ଆମେ ଅନୁଭବ କଲୁ ଯେ ପିପିଇ ଆଦି ଆମଦାନୀ ଉପରେ ଆମକୁ ନିର୍ଭର କରିବାକୁ ପଡିବ । ବିଭିନ୍ନ ଦେଶ ଲକ୍ଡାଉନ୍ ଜାରିକରିବା ପରେ ସମସ୍ୟା ଗୁରୁତର ଆକାର ଧାରଣକଲା । ଏହାଦ୍ୱାରା ଉତ୍ପାଦନ ଓ ଯୋଗାଣ ପ୍ରଭାବିତ ହେଲା । ତେଣୁ ପିପିଇର ଆନ୍ତର୍ଜାତିକ ଯୋଗାଣ ବ୍ୟବସ୍ଥା ଗୁରୁତର ଭାବେ ବିଘ୍ନିତ ହୋଇଥିଲା । ସୁତରାଂ ଆମେ ତୁରନ୍ତ ଏହି ସମସ୍ୟାରୁ ମୁକୁଳିବା ପାଇଁ ପିପିଇ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ଚିନ୍ତାକରି ତତ୍କାଳ ପଦକ୍ଷେପ ଗ୍ରହଣକଲୁ । ଏ କ୍ଷେତ୍ରରେ ଆମେ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ରଖି କାର୍ୟ୍ୟ ଆରମ୍ଭ କରିଥିଲୁ । ଏଥିପାଇଁ ଆବଶ୍ୟକ ପଡୁଥିବା କଞ୍ଚାମାଲର ଉତ୍ସ ଚିହ୍ନଟ ଏବଂ ଉତ୍ପାଦନ ବ୍ୟବସ୍ଥା ଆଦି ଉପରେ ଗୁରୁତ୍ୱ ଦିଆଯାଇଥିଲା । ପିପିଇ କିଟ୍ସ, ଏନ୍ ୯୫ ମାସ୍କ, ଭେଣ୍ଟିଲେଟର, ଡାଇଗ୍ନୋଷ୍ଟିକ କିଟ୍ ଆଦି ଉତ୍ପାଦନ କରିବା ପାଇଁ ଆମେ ରାଜ୍ୟ ସରକାର ଓ ଉଦ୍ୟୋଗଗୁଡିକ ସହଯୋଗରେ ୨୪ ଘଣ୍ଟିଆ କାମ କରିଥିଲୁ । କ୍ରମଶଃ ଏହି ସମସ୍ୟା ସମାଧାନ ହୋଇଗଲା ଏବଂ ଦେଶରେ ଏସବୁ ସାମଗ୍ରୀ ଅଧିକରୁ ଅଧିକ ଉତ୍ପାଦିତ ହେଲା । ବରାଦ ଅନୁସାରେ ଭାରତରେ ଥିବା ବିଭିନ୍ନ କଂପାନୀ ଏବଂ ସଂସ୍ଥା ଏସବୁ ସାମଗ୍ରୀ ଉତ୍ପାଦନ କରି ଯୋଗାଇଲେ । ଆମର ଆବଶ୍ୟକତା ପୂରଣ ପରେ ବଳକା ସାମଗ୍ରୀକୁ ଆମେ ଅନ୍ୟାନ୍ୟ ଦେଶକୁ ସେମାନଙ୍କ ଚାହିଦା ଅନୁସାରେ ଯୋଗାଇବାରେ କ୍ରମଶଃ ସକ୍ଷମ ହେଲୁ ।

ସର୍ବପ୍ରଥମେ ମୁଁରାଷ୍ଟ୍ରକୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଯେତେବେଳେ ଟିକା ଉପଲବ୍ଧ ହେବ ସେତେବେଳେ ସମସ୍ତଙ୍କୁ ଏହା ଦିଆଯିବ । ଏଥିରୁ କେହି ବାଦ ପଡିବେ ନାହିଁ । ଅବଶ୍ୟ ପ୍ରାରମ୍ଭିକ ଭାବେ ଆମେ ସବୁଠୁ ବିପଜ୍ଜନକ ଓ ଅସୁବିଧା ସ୍ଥିତିରେ ଥିବା ବର୍ଗ ଏବଂ କରୋନା ଲଢେଇ ସମ୍ମୁଖଭାଗରେ ଥିବା କର୍ମୀମାନଙ୍କୁ ସୁରକ୍ଷିତ କରିବାକୁ ଏ କ୍ଷେତ୍ରରେ ଅଗ୍ରାଧିକାର ଦେବୁ । ଟିକା ପ୍ରଦାନ ସଂକ୍ରାନ୍ତ ଏକ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ଗଠନ କରାଯାଇଛି । କରୋନା ଟିକା କିପରି ଦିଆଯିବ ଏବଂ ଏଥିରେ କେଉଁବର୍ଗ ଅଗ୍ରାଧିକାର ପାଇବେ ସେସବୁ କଥା ଏହି ଗୋଷ୍ଠୀ ଚୂଡାନ୍ତ କରିବ ।

ଅଧିକାଂଶ ଲୋକ ଯେଉଁମାନେ ନୈରାଶ୍ୟବାଦୀ ସେମାନେ ସର୍ବଦା ସନ୍ଦେହରେ ରହନ୍ତି । ଆପଣ ଯଦି ସେମାନଙ୍କ ଗହଣରେ ବସିବେ, ସେମାନଙ୍କ ଠାରୁ କେବଳ ହତାଶା ଓ ନୈରାଶ୍ୟର କଥା ଶୁଣିବେ ।

ତେବେ ଆପଣ ଯଦି ଆଶାବାଦୀ ଲୋକଙ୍କ ସହ ଏ ବିଷୟରେ ଆଲୋଚନା କରିବେ ସେମାନଙ୍କଠାରୁ ଆପଣ ନୂଆ ବିଚାର, ପ୍ରସ୍ତାବ ଓ ଆଗକୁ ବଢିବାର ବାଟ କଥା ଶୁଣିବାକୁ ପାଇବେ। ଆଜି ଆମ ଦେଶ ଏହାର ଭବିଷ୍ୟତ ନେଇ ଦୃଢ ଆଶାବାଦୀ । ଭାରତ ୫ ଟ୍ରିଲିୟନ ଡଲାର ବିଶିଷ୍ଟ ଅର୍ଥବ୍ୟବସ୍ଥାରେ ପରିଣତ ହେବା ଲକ୍ଷ୍ୟ ହାସଲ ପାଇଁ ଦୃଢ ଆଶାବାଦୀ । ଏହି ଦୃଢ ଆଶା ଆମକୁ ଆତ୍ମବିଶ୍ୱାସ ଦିଏ । ଆଜି ଯଦି କରୋନା ଯୋଦ୍ଧାମାନେ ରୋଗୀଙ୍କ ସେବା ପାଇଁ ୧୮ ରୁ ୨୦ ଘଣ୍ଟା କାର୍ୟ୍ୟ କରୁଛନ୍ତି ଏହା ଆମକୁ ଅଧିକ କଠୋର ପରିଶ୍ରମ କରିବାକୁ ପ୍ରେରଣା ମଧ୍ୟ ଯୋଗାଉଛି ।

ମହାମାରୀ ଯୋଗୁଁ ଆମେ ଯଦି ଚଳିତବର୍ଷ ଇପ୍ସିତ ଗତିରେ ଆଗେଇ ନ ପାରିଲୁ, ସେହିଠୁ କ’ଣ ହୋଇଗଲା ! ଆସନ୍ତା ବର୍ଷ ଆମେ ଆହୁରି ଅଧିକ ଚେଷ୍ଟା କରିବୁଏବଂ ଦ୍ରୁତଗତିରେ ଧାଇଁବୁ । ଏ ବର୍ଷ ଯେଉଁ କ୍ଷତି ହୋଇଛି ତାହାକୁ ପୂରଣ କରିବାକୁ ଚେଷ୍ଟା କରିବୁ । ଆମ ରାସ୍ତାରେ ଥିବା ପ୍ରତିବନ୍ଧକ ଯଦି ଆମର ଗତିରୋଧ କରେ ତାହାହେଲେ କୌଣସି ମହାନ୍ ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ । ଆଶା ନ କରିବା ଅର୍ଥ ବିଫଳତାକୁ ନିଶ୍ଚିତ କରିବା । ତେଣୁ ଆଶା କରି ସେ ଦିଗରେ ଉଦ୍ୟମ କରିବାରେ କୌଣସି ଅସୁବିଧା ନାହିଁ । କ୍ରୟଶକ୍ତି ଅନୁପାତରେ ଭାରତ ବିଶ୍ୱର ତୃତୀୟବୃହତ୍ ଅର୍ଥବ୍ୟବସ୍ଥା । ଆମେ ଏହାକୁ ପ୍ରଚଳିତ ଆମେରିକୀୟ ଡଲାର ମୂଲ୍ୟ ଅନୁସାରେ ବିଶ୍ୱର ତୃତୀୟ ଅର୍ଥବ୍ୟବସ୍ଥାରେ ପରିଣତ କରିବାକୁ ଚାହୁଁଛୁ । ପାଞ୍ଚ ଟ୍ରିଲିୟନ ଡଲାର ଲକ୍ଷ୍ୟ ଆମକୁ ଏହା ହାସଲ କରିବାରେ ସହାୟକ ହେବ ।

ଆହୁରି ମଧ୍ୟ ଆମ ସରକାରଙ୍କ ଲକ୍ଷ୍ୟ ହାସଲ ରେକର୍ଡ ଭଲ ରହିଛି । ଧାର୍ୟ୍ୟ ତାରିଖ ପୂର୍ବରୁ ଆମେ ଗ୍ରାମାଞ୍ଚଳ ପରିମଳ ଲକ୍ଷ୍ୟ ପୂରଣ କରିବାରେ ସଫଳ ହୋଇଛୁ । ଗ୍ରାମ୍ୟ ବିଦ୍ୟୁତିକରଣ ମଧ୍ୟ ଧାର୍ୟ୍ୟ ସମୟସୀମା ପୂର୍ବରୁ ଶେଷ ହୋଇଛି । ସେହିଭଳି ଧାର୍ୟ୍ୟ ସମୟର ବହୁ ପୂର୍ବରୁ ଆମେ ୮ କୋଟି ଲୋକଙ୍କୁ ଉଜ୍ଜ୍ୱଳା ସଂଯୋଗ ଦେବାରେ ମଧ୍ୟ ସଫଳତା ପାଇଛୁ । ତେଣୁ ଆମର ଉପଲବ୍ଧିର ରେକର୍ଡ ଏବଂ ଚାଲୁ ରହିଥିବା ସଂସ୍କାର ତଥା ସର୍ବୋପରି ଆମ ଦକ୍ଷତା ଉପରେ ଲୋକଙ୍କ ବିଶ୍ୱାସ ଆମକୁ ଏହି ଲକ୍ଷ୍ୟ ହାସଲରେ ସହାୟକ ହେବ ।

Leave A Reply

Your email address will not be published.

fifteen − fourteen =