କୃଷି ବିଲ୍‌ ଉପରେ ଅକାଳି ସାଂସଦଙ୍କ ଚେତାବନୀ : ଚାଷୀଙ୍କୁ ଦୁର୍ବଳ ଭାବନ୍ତୁ ନାହିଁ ସରକାର

ନୂଆଦିଲ୍ଲୀ : ସଂସଦରେ ମୌସୁମୀ ଅଧିବେଶନର ଆଜି ସପ୍ତମ ଦିନ । ସରକାର କୃଷି ସମ୍ବନ୍ଧିତ ବିଲ୍‌କୁ ରାଜ୍ୟସଭାରେ ପେସ୍‌ କରିଛନ୍ତି । କୃଷି ସହ ଜଡ଼ିତ ଦୁଇଟି ବିଲ୍‌ ଲୋକସଭାରେ ପୂର୍ବରୁ ପାସ୍‌ ହୋଇସାରିଛି । ଶିରୋମଣି ଅକାଳି ଦଳ, ଯେଉଁ ଦଳ ବିଜେପି.ର ସବୁଠୁ ପୁରୁଣା ସହଯୋଗ ଥିଲା, ସେହି ଦଳ ବିଲ୍‌କୁ ବିରୋଧ କରିଛି । ପାର୍ଟିର ସାଂସଦ ହର୍‌ସିମ୍‌ରତ୍‌ କୌର୍‌ ବାଦଲ୍‌ କେବିନେଟ୍‌ରୁ ଇସ୍ତଫା ମଧ୍ୟ ଦେଇଛନ୍ତି । ସାରା ଦେଶରେ ଚାଷୀମାନେ ଏହି ଦୁଇ ବିଲ୍‌କୁ ବିରୋଧ କରୁଛନ୍ତି । କଂଗ୍ରେସ ପକ୍ଷରୁ ସରକାରଙ୍କୁ ଚାଷୀ ବିରୋଧୀ ବୋଲି ଆଖ୍ୟା ଦିଆଯାଇଛି । ତେବେ ଆଜି ଶିରୋମଣି ଅକାଳି ଦଳର ସାଂସଦ ନରେଶ ଗୁଜରାଲ କହିଛନ୍ତି, ଏହି ବିଲ୍‌କୁ ଆଗ ସିଲେକ୍ଟ କମିଟି ପାଖକୁ ପଠାଯାଉ, ପ୍ରଥମେ ସେହି କମିଟିର କଥା ଶୁଣାଯାଉ । ଏହାସହ ସାଂସଦ ଶ୍ରୀ ଗୁଜରାଲ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ, ଚାଷୀଙ୍କୁ ଦୁର୍ବଳ ଭାବନ୍ତୁ ନାହିଁ ସରକାର । ଅନ୍ୟପକ୍ଷରେ ଜେଡିୟୁ. ପକ୍ଷରୁ ବିଲ୍‌କୁ ସମର୍ଥନ କରାଯାଇଛି । ପାର୍ଟିର ସାଂସଦ ରାମଚନ୍ଦ୍ର ସିଂହ କହିଛନ୍ତି, ବିହାର ୨୦୦୬ରେ ଏପିଏମ୍‌ସି ଅଧିନିୟମରୁ ବାହାରିଥିବା ପ୍ରଥମ ରାଜ୍ୟ ଥିଲା । ସେହି ସମୟରୁ କୃଷି ଉତ୍ପାଦନ ଏବଂ କ୍ରୟ ଏମ୍‌ଏସ୍‌ପି. ସହ ବଢ଼ିଥିଲା । ଟିଆର୍‌ଏସ୍‌.ର ସାଂସଦ କେଶବ ରାଓ ଏହି ବିଲ୍‌ ଉପରେ ସରକାରଙ୍କୁ ଆକ୍ରମଣ କରିଛନ୍ତି । ସେ କହିଛନ୍ତି, ସଂପୃକ୍ତ ବିଲ୍‌ ରାଜ୍ୟଗୁଡ଼ିକର ଅଧିକାର ଉପରେ ହସ୍ତକ୍ଷେପ କରିଛି । ସେ ଆରୋପ ଲଗାଇଛନ୍ତି ଯେ, ସରକାର ଦେଶରେ କୃଷି ସଂସ୍କୃତିକୁ ବଦଳାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ।

Leave A Reply

Your email address will not be published.