ଜାଣନ୍ତୁ, କେଉଁ ଦେଶକୁ କେବେ ମିଳିବ କରୋନା ଭେକ୍‌ସିନ୍‌

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସ୍‌ର ଭେକ୍‌ସିନ୍‌ ବିତରଣ ପାଇଁ ଯୋଜନା ଘୋଷଣା କରିଦେଇଛି । ବିଭିନ୍ନ ଦେଶକୁ ଠିକ୍‌ ସମୟରେ ଭେକ୍‌ସିନ୍‌ ଦେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋବେକ୍ସକୁ ଲଂଚ କରିଛି । କୋବେକ୍ସ ଦ୍ୱାରା ଭେକ୍‌ସିନ୍‌ ବିତରଣ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱର ୧୫୦ଟି ଦେଶ ଏହି ସଂଗଠନ ସହ ଯୋଡ଼ି ହୋଇ ସାରିଛନ୍ତି । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନ୍ୟ ଧନୀ ରାଷ୍ଟ୍ରମାନଙ୍କୁ ମଧ୍ୟ ସାମିଲ୍‌ ହେବାକୁ ଅପିଲ୍‌ କରିଛି ।


ଭେକ୍‌ସିନ୍‌ର ଖୋଜ୍‌, ଉତ୍ପାଦନ ଏବଂ ବିତରଣ ଉଦ୍ଦେଶ୍ୟରେ କୋବେକ୍ସ ସଂଗଠନ ପ୍ରସ୍ତୁତ କରାଯାଇଛି । ଏହାଦ୍ୱାରା ଧନୀ ଓ ଗରିବ ଦେଶ ଏକା ସାଂଗରେ ଅର୍ଥ ଠୁଳ କରି ଭେକ୍‌ସିନ୍‌ କିଣିବେ । ଏହାର ଅନ୍ୟ ଉଦ୍ଦେଶ୍ୟ ହେଲା ଭେକ୍‌ସିନ୍‌ରେ ଜମାଖୋରୀ ମାନସିକତା ସୃଷ୍ଟି ନ ହେଉ ଏବଂ ସଂଗଠନରେ ସାମିଲ୍‌ ହୋଇଥିବା ସମସ୍ତ ଦେଶର ହାଇ ରିସ୍କ କେଟାଗୋରୀ ଲୋକଙ୍କୁ ପ୍ରଥମେ ଭେକ୍‌ସିନ୍‌ ମିଳୁ ।


ପ୍ରାପ୍ତ ସୂଚନା ଅନୁସାରେ ଆଜି ପର୍ଯ୍ୟନ୍ତ ୬୪ ଧନୀ ରାଷ୍ଟ୍ର କୋବେକ୍ସର ଅଂଶୀଦାର ହୋଇ ସାରିଛନ୍ତି । କିନ୍ତୁ ଆମେରିକା ଏଥିରେ ସାମିଲ୍‌ ହେବାକୁ ମନା କରିଦେଇଛି । ଚୀନ୍‌ ଏବଂ ରୁଷ୍‌ ମଧ୍ୟ ଏଥିରେ ସାମିଲ୍‌ ହୋଇନାହାନ୍ତି । ବ୍ରିଟେନ୍‌ ଏବଂ ଜର୍ମାନୀ ଭଳି ଦେଶ ଏହାର ଅଂଶୀଦାର ହୋଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଶା ରହିଛି, ୨୪ ଅନ୍ୟ ଧନୀ ରାଷ୍ଟ୍ର ଆଗାମୀ ଦିନରେ ଏଥିରେ ସାମିଲ୍‌ ହେବେ । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋବେକ୍ସ ଏଡ୍‌ଭାନ୍ସ ମାର୍କେଟ୍‌ କମିଟ୍‌ମେଂଟ୍‌ ମାଧ୍ୟମରେ ସହଯୋଗ ପ୍ରାପ୍ତ ହେବାକୁଥିବା ରାଷ୍ଟ୍ରମାନଙ୍କ ଭିତରେ ଭାରତ ମଧ୍ୟ ସାମିଲ୍‌ ଅଛି ।


ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି, ଏକ ସୁରକ୍ଷିତ ଏବଂ ପ୍ରଭାବୀ କରୋନା ଭେକ୍‌ସିନ୍‌ ମିଳୁ ମିଳୁ କୋବେକ୍ସ ମାଧ୍ୟମରେ ସାମିଲ୍‌ ଦେଶମାନଙ୍କୁ ଭେକ୍‌ସିନ୍‌ ମିଳିଯିବ । ଏଥିପାଇଁ ଦୁଇଟି ପର୍ଯ୍ୟାୟ ପ୍ଲାନ୍‌ ତିଆରି କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ସଦସ୍ୟ ଦେଶର ୩% ଲୋକଙ୍କୁ ଭେକ୍‌ସିନ୍‌ର ଖୋରାକ୍‌ ଦିଆଯିବ ଯାହା ଆଗକୁ ୨୦% ପର୍ଯ୍ୟନ୍ତ ବଢ଼ିବ । ତେବେ ଜନସଂଖ୍ୟାର ୨୦% ଲୋକଙ୍କ ପାଇଁ ଭେକ୍‌ସିନ୍‌ ସପ୍ଲାଏ କରାଯିବା ପରେ ଯଦି ସପ୍ଲାଏ ସୀମିତ ରହୁଛି, ତେବେ ଦ୍ୱିତୀୟ ପର୍ଯ୍ୟାୟ ପ୍ଲାନ୍‌ ଆରମ୍ଭ କରାଯିବ । ଏହାଦ୍ୱାରା ଯେଉଁ ଦେଶରେ ଅଧିକ ସଂକ୍ରମଣ ରହିଛି, ସେହି ଦେଶକୁ ଅଧିକ ଭେକ୍‌ସିନ୍‌ ଦିଆଯିବ । ସମସ୍ତ ଦେଶର ଏହି ଅଧିକାର ରହିବ ଯେ ସେହି ଦେଶ ନିଜେ ନିର୍ଣ୍ଣୟ କରିବ ଦେଶରେ କେଉଁ ଲୋକମାନଙ୍କୁ ଆଗ ଭେକ୍‌ସିନ୍‌ ଦିଆଯିବ । ଏହାପରେ ବିଚାର ବିମର୍ଷର ପ୍ରଥମାର୍ଦ୍ଧରେ ୩% ଲୋକଙ୍କୁ ଭେକ୍‌ସିନ୍‌ ଏଇଥିପାଇଁ ମିଳିବ, ଯାହାଦ୍ୱାରା ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟ ହାଇ ରିସ୍କ କେଟାଗୋରୀର ଲୋକଙ୍କୁ ଆଗ ଭେକ୍‌ସିନ୍‌ ମିଳି ପାରିବ ।

Leave A Reply

Your email address will not be published.