ଦିନକୁ ୮ ଲକ୍ଷରୁ ଅଧିକ ନମୁନା ପରୀକ୍ଷଣ ସହ ମୋଟ ସଂଖ୍ୟା ଟପିଲା ୩.୫ କୋଟି

• ନିୟୁତ ପିଛା ପରୀକ୍ଷଣ ଗତକାଲି ୨୫,୫୭୪ରେ ପହଞ୍ଚିଛି
ନୂଆଦିଲ୍ଲୀ, (ପିଆଇବି) : ଜାନୁୟାରୀ ମାସରେ ଦେଶର ଗୋଟିଏ ମାତ୍ର ପୁଣେ ପରୀକ୍ଷାଗାରରୁ ଆରମ୍ଭ କରାଯାଇଥିବା କରୋନା ସଂକ୍ରମଣ ପରୀକ୍ଷଣ ଆଜି ୩.୫ କୋଟି ଅତିକ୍ରମ କରିଛି । ଗତ ୭ ଦିନ ଧରି ଦୈନିକ ୮ ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷା କରାଯାଉଥିବା ବେଳେ ଗତକାଲି ୨୪ ଘଣ୍ଟା ମଧ୍ୟରେ ୮,୦୧,୧୪୭ ନମୁନା ପରୀକ୍ଷା କରାଯାଇପାରିଛି । ଏଥିସହିତ ମୋଟ ନମୁନା ପରୀକ୍ଷଣ ସଂଖ୍ୟା ୩,୫୨,୯୨,୨୨୦ରେ ପହଞ୍ଚିଛି ।
ବ୍ୟାପକ ନମୁନା ପରୀକ୍ଷଣ କାର୍ୟ୍ୟକ୍ରମକୁ ଦକ୍ଷତାର ସହିତ କାର୍ୟ୍ୟକାରୀ କରାଯାଉଛି । ଗତ ୩ ସପ୍ତାହ ମଧ୍ୟରେ ହୋଇଥିବା ହାରାହାରି ନମୁନା ପରିକ୍ଷଣକୁ ଅନୁଧ୍ୟାନ କଲେ ଏହା କିପରି ଅଗ୍ରଗତି କରିଛି ତାହା ସ୍ପଷ୍ଟ ବାରି ହୋଇପଡୁଛି । ଦୈନିକ ନମୁନା ପରୀକ୍ଷଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ହାରାହାରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି ।
ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତିକୁ ଦକ୍ଷତାର ସହିତ କାର୍ୟ୍ୟକାରୀ କରାଯିବା ଦ୍ଵାରା ନିୟୁତ ପିଛା ଏହି ହାର ଗତକାଲି ୨୫,୫୭୪ ପହଞ୍ଚିଛି । ବ୍ୟାପକ ପରୀକ୍ଷଣ ଦ୍ଵାରା ସଂକ୍ରମିତଙ୍କୁ ସଅଳ ଚିହ୍ନଟ କରାଯିବା ସହ ସେମାନଙ୍କୁ ଏକାନ୍ତବାସରେ ରଖାଯିବା ଓ ଅଧିକ ଲକ୍ଷଣଯୁକ୍ତ ରୋଗୀମାନଙ୍କୁ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଇପାରୁଛି । ନମୁନା ପରୀକ୍ଷଣକୁ ଜୋରଦାର କରାଇବା ଯୋଗୁଁ ଦେଶରେ ପରୀକ୍ଷାଗାର ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟାଯାଇଛି । ୯୮୩ଟି ସରକାରୀ ଓ ୫୩୨ଟି ବେସରକାରୀ ପରୀକ୍ଷାଗାର ଏହିପରି ୧୫୧୫ଟି ପରୀକ୍ଷାଗାରରେ ଅଧିକରୁ ଅଧିକ ଲୋକଙ୍କ ପରୀକ୍ଷା ସମ୍ଭବ ହୋଇପାରୁଛି ।
କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ: https://www.mohfw.gov.in/ and @MoHFW_INDIA ।

Leave A Reply

Your email address will not be published.